ଅସ୍ତରଙ୍ଗ : ଅସ୍ତରଙ୍ଗର ସ୍ୱର୍ଣ୍ଣିମ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବଙ୍ଗୋପ ସାଗରରେ ମିଶିଥିବା ଦେବୀମୁହାଣକୁ ଲାଗିଥିବା ଦେବୀନାସିର ଜଳ ନିଳାମ୍ବୁ ଚିଲିକା ଭଳି ଓ ଦୁଇପାଶ୍ୱର୍ରେ ଥିବା ହେନ୍ତାଳବଣ ସୌନ୍ଦର୍ଯ୍ୟ ଭିତରକନିକାଠାରୁ କମ୍ ନୁହେଁ। ସୌନ୍ଦର୍ଯ୍ୟରେ ଭରପୁର ଦେବୀନାସି ଦୂରତା ଦୃଷ୍ଟିକୋଣରୁ ଟିକିଏ ଦୂରରେ ରହିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦବିନ୍ଦୁ ସାଜିଛି। ମୁହାଣ ନିକଟବର୍ତ୍ତୀ ଅଞ୍ଚଳ ଏବେ ପର୍ଯ୍ୟଟନର ନୂଆ ଠିକଣା ପାଲଟିଛି।
ସହନ ମୌଜା ନିକଟରେ ବହିଯାଉଥିବା ଦେବୀନାସି ବା ଗଙ୍ଗାଦେବୀ ନାମରେ ନାମିତ ଏକ ପ୍ରଶସ୍ତ ନଈର ଦୁଇପାର୍ଶ୍ୱରେ ଉଭାହୋଇଛି ହେନ୍ତାଳ ବଣ। ଗଛ ଡାଳରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କର ସମାଗମ ସାଙ୍ଗକୁ ଖିଚିରିମିଚିରି ଶବ୍ଦ, ଜଳଭାଗ ମଧ୍ୟସ୍ଥ ସ୍ଥଳଭାଗ ବା ଆଇଲ୍ୟାଣ୍ଡରେ ନାଲି କଙ୍କଡା, ଜଳଭାଗକୁ ଲାଗି ନିର୍ଦ୍ଦିଷ୍ଟ ସ୍ଥାନରେ ପକ୍ଷୀଙ୍କ ସମାଗମ ଏକ ନିଆରା ପରିବେଶ ସୃଷ୍ଟି କରୁଛି। ବହୁ ସମୟରେ ଜଳରାଶିରେ ଡଲଫିନ୍ଙ୍କ ଜଳକ୍ରୀଡ଼ା ସାଙ୍ଗକୁ ନଭେମ୍ବର ମାସର ମେ ମାସ ମଧ୍ୟରେ ଜଳରାଶି ଓ ବେଳାଭୂମିର ବାଲୁକା ରାଶିକୁ ଅଲିଭ୍ ରିଡଲେ କଇଁଛ ଆଗମନ କରିଥାନ୍ତି। ସାତ ଦରିଆ ପାରିହୋଇ ଶହଶହ ସଂଖ୍ୟାରେ କଇଁଛ ଆସି ଅଣ୍ଡାଦାନ କରି ଫେରିଥାନ୍ତି। ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକ ପୀରଜାହାନିଆ ବେଳାଭୂମି ସମେତ ଏବେ ଦେବୀନାସିସ୍ଥିତ ଗଙ୍ଗାଦେବୀରେ ବୋଟିଂ କରି ମୁହାଣ ମୁହଁ ପର୍ଯ୍ୟନ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। କିନ୍ତୁ ଏହି ପର୍ଯ୍ୟଟନ କ୍ଷେତ୍ରରେ ସରକାରୀ ସୁବିଧାଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି।
ଦେବୀନାସିକୁ ଇକୋ ଟୁରିଜିମ୍ କରିବାକୁ ବନବିଭାଗ ସରକାରଙ୍କ ନିକଟରେ କେବେଠୁ ପ୍ରସ୍ତାବ ରଖିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନି। ସେହିପରି ଦେବୀନାସିରେ ବନବିଭାଗ ବିଟ୍ ହାଉସ୍ଠାରୁ ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ଜଙ୍ଗଲରେ ହରିଣ, ଠେକୁଆ, ହେଟାବାଘ, ମୟୁର ଓ ଅନ୍ୟାନ୍ୟ ଜୀବଜନ୍ତୁ ପର୍ଯ୍ୟଟଙ୍କର ଦୃଷ୍ଟିଆକର୍ଷଣ କରୁଛନ୍ତି। ଜଗତସିଂହପୁର ଓ ରାଜନଗର ପଟୁ ନଦୀ ପାରିହୋଇ ହରିଣ ଆସୁଥିବା ସୂଚନା ମିଳିଛି। ଯଦି ଭିତ୍ତିଭୂମି ବିକାଶ କରାଯାଇପାରନ୍ତା, ଏହା ରାଜ୍ୟର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଶବିଦେଶର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।