ଭୁବନେଶ୍ବର : ପର୍ଯ୍ୟଟନ କ୍ଷେତ୍ରକୁ ଉଚ୍ଚମାନର ପର୍ଯ୍ୟଟନ ବୃତ୍ତିଧାରୀଙ୍କୁ ଆକର୍ଷିତ କରିବା ତଥା ପର୍ଯ୍ୟଟନକୁ ଏକ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ୍‌ରେ ପରିଣତ କରିବା ଉଦ୍ଦେଶ୍ୟରେ ‘ଓଡ଼ିଶା ପର୍ଯ୍ୟଟନ ସେବା’ ବର୍ଗକୁ ପୁର୍ନଗଠନ କରାଯାଇଛି। ଏହାସହ ରାଜ୍ୟର ସମସ୍ତ (୩୦ଟି ଜିଲ୍ଲାର) ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ୭ଟି ପର୍ଯ୍ୟଟନ ଉପଖଣ୍ଡରେ ବିଭକ୍ତ କରାଯିବା ସହ ନୂଆଦିଲ୍ଲୀରେ ଏକ ପର୍ଯ୍ୟଟନ ଉପଖଣ୍ଡ କାର୍ଯ୍ୟ କରିବ। ପ୍ରତ୍ୟେକ ପର୍ଯ୍ୟଟନ ଉପଖଣ୍ଡକୁ ଜଣେ ଜଣେ ଓଡ଼ିଶା ପର୍ଯ୍ୟଟନ ସେବା ଅଧିକାରୀ ଯେଉଁମାନେ କି ଯୁଗ୍ମ ନିର୍ଦ୍ଦେଶକ ଅଥବା ଉପନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେବ। ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି।

Advertisment

ସେହିପରି ରାଜ୍ୟରେ ଆଇଟି/ଆଇଟିଇଏସ୍‌/ବିପିଓ/ଇଏସ୍‌ଡିଏମ୍ କ୍ଷେତ୍ରରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ତଥା ବିସ୍ତାର କରିବା ପାଇଁ ରାଜ୍ୟ ସରକାର ଆଇଟି ଟାୱାରରେ ଥିବା କୋର୍‌ ଅଞ୍ଚଳର ଲିଜ୍‌ ଭଡ଼ାକୁ ସଂଶୋଧନ କରିଛନ୍ତି। ଏଥିରେ ଭଡ଼ା ଦେୟ ୨୦ଟଙ୍କା ପ୍ରତି ବର୍ଗଫୁଟ କାର୍ପେଟ ଏରିଆ ଉପରେ ସ୍ଥିର ହୋଇଛି। ଯେଉଁଥିରେ ସୁପର୍‌ ବିଲ୍ଟଅପ୍ ଏରିଆରେ ଉପଯୋଗିତାର ବ୍ୟବହାର ନିମନ୍ତେ ଅତିରିକ୍ତ ୧୦%ର ବ୍ୟବସ୍ଥା କରାଯାଇଛି। ମାସିକ ସଞ୍ଚାଳନ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ଓ ବିଦ୍ୟୁତ ଶୁଳ୍କ ଆଦି ଏଥିରେ ଅନ୍ତର୍ଭୁକ୍ତ ନୁହେଁ। ଭଡ଼ାର ଏହି ସଂଶୋଧନ ବିଜ୍ଞପ୍ତି ପ୍ରକାଶ ପାଇବାର ୫ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟ ସରକାର କୌଣସି ସମୟରେ ଏହି ସଂଶୋଧନରେ ଥିବା ନିୟମରେ ପରିବର୍ତ୍ତନ କରିପାରିବେ। ଏସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି।
ଏହାସହ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ଡ. ସରିତା ସୁପକାର ଏବଂ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଏହି ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।