୧୯ରୁ ଗଡ଼ିବନି ଟୁରିଷ୍ଟ ବସ୍‌, ଷ୍ଟିୟରିଂ ଛାଡ଼ ଡାକରା ଦେଲେ ଟୁରିଷ୍ଟ ବସ୍‌ କର୍ମଚାରୀ

ପୁରୀ : ରଥଯାତ୍ରା ଲାଗି ଚଳଚଞ୍ଚଳ ହେଉଛି ଶ୍ରୀକ୍ଷେତ୍ର। ଦିନ କେଇଟା ପରେ ସ୍ନାନଯାତ୍ରା ଏବଂ ରଥଯାତ୍ରା। ପର୍ଯ୍ୟଟକମାନେ ପୁରୀ ଆସିବାକୁ ଚାହିଁ ବସିଛନ୍ତି। ଅଥଚ ଏଭଳି ସମୟରେ ଟୁରିଷ୍ଟ ବସ୍‌ ଗଡ଼ିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁରୀର ଟୁରିଷ୍ଟ ବସ୍‌ କର୍ମଚାରୀବୃନ୍ଦ। ଟୁରିଷ୍ଟ ବସ୍‌ ମାଲିକମାନେ ଉଚିତ୍‌ କାମ ପାଇଁ ଉଚିତ୍ ବେତନ କିମ୍ବା ଅନ୍ୟାନ୍ୟ ସୁବିଧା ଦେଉନଥିବାରୁ ଆସନ୍ତା ୧୯ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ବନ୍ଦ ଡାକରା ଦେଇଛନ୍ତି ନୀଳଗିରି ମୋଟର କର୍ମଚାରୀ ସଂଘ ଅନ୍ତର୍ଭୁକ୍ତ ଟୁରିଷ୍ଟ ବସ୍‌ର କର୍ମଚାରୀବୃନ୍ଦ।

ସଂଘର ସମ୍ପାଦକ ଅଜୟ କୁମାର ମିଶ୍ର କହିଛନ୍ତି, ନୀଳଗିରି ମୋଟର କର୍ମଚାରୀ ସଂଘ ଜରିଆରେ ବାରମ୍ବାର ଦାବି ଉଠାଇବା ସତ୍ତ୍ବେ ଟୁରିଷ୍ଟ ବସ୍‌ ମାଲିକମାନେ ଆମ ଗୁହାରି ଶୁଣୁନାହାନ୍ତି। ତେଣୁ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛୁ। ତାଙ୍କ କହିବା ମୁତାବକ, ୨୦୧୨ ମସିହାରୁ ଦୈନିକ ମଜୁରି ପ୍ରତିବର୍ଷ ୫୦ ଟଙ୍କା ଲେଖାଏଁ ବଢ଼ିବ ବୋଲି ମାଲିକମାନେ ପ୍ରତିଶ୍ରୁତି ‌ଦେଇଥିଲେ। ମାତ୍ର ସେତକ ତ ହେଲା ନାହିଁ, ୧୨ ଘଣ୍ଟା କାମ କରୁଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ମଜୁରି ବଢ଼ାଉନାହାନ୍ତି। ଓଭରଟାଇମ୍‌ କାମ କରୁଥିଲେ ମଧ୍ୟ ଆଜି ବି ହେଲ୍‌ପରମାନଙ୍କୁ ଦୈନିକ ମଜୁରି ୪୦୦ ଟଙ୍କା ମିଳୁଛି। ଗାଡ଼ି ଚାଳକମାନଙ୍କୁ ଦୈନିକ ୬୦୦ ଟଙ୍କା ମଜୁରି ମିଳୁଛି। ସବୁକିଛି ମହଙ୍ଗା ହେଉଥିଲେ ମଧ୍ୟ ଆମ ମଜୁରି ବଢ଼ୁନାହିଁ। ଅନ୍ୟପକ୍ଷରେ ଅଧିକାଂଶ ବସ୍‌ ମାଲିକ ଇପିଏଫ୍‌ ଓ ଇଏସ୍‌ଆଇ ସୁବିଧା ଦେଉନାହାନ୍ତି। ପରିଚୟ ପତ୍ର ମଧ୍ୟ ପ୍ରଦାନ କରୁନାହାନ୍ତି। ବାରମ୍ବାର ଦାବି ସତ୍ତ୍ବେ କେହି କର୍ଣ୍ଣପାତ କରୁନଥିବାରୁ ସଂଘ ନେତୃତ୍ବରେ ଜୁନ୍‌ ୧୯ ତାରିଖରୁ ଆନ୍ଦୋଳନ କରିବୁ ବୋଲି ସେ କହିଛନ୍ତି।

ଏବେ ପୁରୀରୁ ୫୦ରୁ ଅଧିକ ଟୁରିଷ୍ଟ ବସ୍‌ ଯାତାୟାତ କରୁଥିବା ବେଳେ ଶହେରୁ ଅଧିକ ପରିବାର ଏଥିରୁ ଜୀବିକା ନିର୍ବାହ କରୁଛନ୍ତି। ତେଣୁ ଟୁରିଷ୍ଟ ବସ୍‌ ଚାଳକମାନଙ୍କୁ ମାସିକ ୨୪ ହଜାର ଟଙ୍କା, ହେଲପରମାନଙ୍କୁ ମାସିକ ୧୮ ହଜାର ଟଙ୍କା ପ୍ରଦାନ, ବସ୍‌ କର୍ମଚାରୀଙ୍କୁ ଗାଡ଼ି ମାଲିକମାନେ କେଉଁ ଗାଡ଼ିରେ ନିଯୁକ୍ତି ଦେଇଛନ୍ତି ତାହା ଶ୍ରମ ଅଧିକାରୀଙ୍କ ମାଧ୍ୟମରେ ସ୍ବୀକାରୋକ୍ତି ପ୍ରଦାନ, ଇପିଏଫ୍‌ ଓ ଇଏସ୍‌ଆଇ ସୁବିଧା ସହ ବାର୍ଷିକ ଦୁଇ ହଳ ଡ୍ରେସ୍‌, ପୁରୀ ଓ କୋଣାର୍କ ଦର୍ଶନୀୟ ସ୍ଥାନମାନଙ୍କରେ ନିର୍ଦ୍ଦିଷ୍ଟ ପାର୍କିଂର ବନ୍ଦୋବସ୍ତ କରିବାକୁ ଦାବି କରାଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଟୁରିଷ୍ଟ ବସ୍‌ ଗଡ଼ିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଶ୍ରମ କମିସନର, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସଂଘ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ବୋଲି ସଂଘର ବୃନ୍ଦାବନ ଦାଶ, ଆର୍ତ୍ତତ୍ରାଣ ଦାଶ, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ଘନଶ୍ୟାମ ପ୍ରଧାନ, ମହାଦେବ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର