ଗାଜଲବାଡ଼ି ଘାଟିରେ ଝୁଲି ରହିଲା ଭୁବନେଶ୍ୱରୁ ୪୩ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍‌; ସମସ୍ତ ପର୍ଯ୍ୟଟକ ସୁରକ୍ଷିତ

ଭଞ୍ଜନଗର: ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍‌ ବୁଧବାର ସନ୍ଧ୍ୟା ବେଳେ ସୋରଡ଼ା ଥାନା ଅନ୍ତର୍ଗତ ଗାଜଲବାଡ଼ି ଘାଟି ରାସ୍ତାର ଗୋଟାଏ ମୋଡ଼ରେ ଖସି ପଡୁ ପଡୁ ଅଧା ବାଟରେ ଝୁଲି ରହିଯାଇଥିଲା। ଫଳରେ ଏଥିରେ ଥିବା ପର୍ଯ୍ୟଟକମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ମିଳିଥିବା ଖବର ଅନୁସାରେ, OD 02-BG-4411 ନମ୍ବରବିଶିଷ୍ଟ ଏକ ଘରୋଇ ବସ୍‌ ଭୁବନେଶ୍ୱରରୁ ୪୩ ଜଣ ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗବାଡ଼ି ବୁଲିଯାଇଥିଲା। ସନ୍ଧ୍ୟା ବେଳେ ସେ ବସ୍‌ ସମ୍ପୃକ୍ତ ଯାତ୍ରୀମାନଙ୍କୁ ଧରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରୁଥିଲା। ଦାରିଙ୍ଗବାଡ଼ିରୁ ପ୍ରାୟ ୧୭ କିଲୋମିଟର ଅତିକ୍ରମ କରିବା ପରେ ଥିବା ଗାଜଲବାଡ଼ି ଘାଟିର ୯ ନମ୍ବର ମୋଡ଼ରେ ଚାଳକ ବସ୍‌ଟିକୁ ଠିକ୍‌ ଭାବରେ ବୁଲାଇ ପାରି ନ ଥିଲେ। ଫଳରେ ବସ୍‌ଟି ରାସ୍ତାରୁ ବାହାରି ଯାଇ ଘାଟି ତଳକୁ ଗଡ଼ି ଯାଉ ଯାଉ ଅଧା ଝୁଲା ଅବସ୍ଥାରେ ଅଟକି ଯାଇଥିଲା।

ଏ ବିଷୟରେ ଖବର ପାଇ ସୋରଡ଼ା ଓ ଦାରିଙ୍ଗବାଡ଼ିର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆତଙ୍କିତ ପର୍ଯ୍ୟଟକମାନଙ୍କୁ ଅଧାଝୁଲା ଅବସ୍ଥାରେ ରହିଥିବା ବସ୍‌ରୁ ବାହାର କରିଥିଲେ। ସୋରଡ଼ା ଥାନା ଆଇଆଇସି ରମେଶ ଚନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ଏହା ପରେ ସମସ୍ତ ପର୍ଯ୍ୟଟକମାନଙ୍କୁ ଅନ୍ୟ ଏକ ବସ୍‌ରେ ସୋରଡ଼ା ନିଆଯାଇଥିଲା। ରାସ୍ତାରୁ ତଳକୁ ଝୁଲନ୍ତା ଅବସ୍ଥାରେ ଥିବା ସେ ବସ୍‌ଟିକୁ ମଧ୍ୟ ପୁଣି ରାସ୍ତା ଉପରକୁ ଉଠାଇ ଅଣାଯାଇଛି।

ସମ୍ବନ୍ଧିତ ଖବର