କରୋନା କଟକଣା : ପୁରୀ, କୋଣାର୍କକୁ ଗଡ଼ିବନି ଟୁରିଷ୍ଟ୍‌ ବସ୍‌

ପୁରୀ : ‘କରୋନା’କୁ ନେଇ ଆତଙ୍କର ବାତାବରଣ ଦେଖାଦେବା ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପୁରୀ, କୋଣାର୍କ, ଚନ୍ଦ୍ରଭାଗା, ସାତପଡ଼ା ଆଦି ସ୍ଥାନକୁ ଯାତ୍ରା କରୁଥିବା ଟୁରିଷ୍ଟ ବସ୍‌ ଉପରେ କଟକଣା ଲଗାଇଛି ପୁରୀ ଜିଲ୍ଲା ପ୍ରଶାସନ।

ଆଜି ରାତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡକା ଯାଇଥିବା ଏକ ଜରୁରୀ ବୈଠକରେ ପୁରୀ ଜିଲ୍ଲାର ଟୁର୍ ଅପରେଟର୍‌ଙ୍କ ସହ ରୋଗର ଭୟାବହତା ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଯେଉଁ ସବୁ ବସ୍‌ ପର୍ଯ୍ୟଟକଙ୍କୁ ନେଇ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଉଥିଲା ସେଥିରେ କଟକଣା ଲଗାଯାଇଛି ବୋଲି ଜଣାଇ ଦିଆଯାଇଛି। ଫଳରେ ଆସନ୍ତାକାଲିଠାରୁ ଟୁରିଷ୍ଟ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏ ସଂପର୍କରେ ସୂଚନା ଦେଇ ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା କହିଛନ୍ତି, ଯେହେତୁ ଏଠାକୁ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି, ସେହି ଦୃଷ୍ଟିରୁ ‘କରୋନା’ ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି। ଏହାକୁ ଆଖି ଆଗରେ ରଖି ରବିବାରଠାରୁ କୋଣାର୍କ, ପୁରୀ, ରାମଚଣ୍ଡୀ, ସାତପଡ଼ା, ହରଚଣ୍ଡୀ ଆଦି ସ୍ଥାନକୁ ଯାତ୍ରୀଙ୍କୁ ବୁଲାଇବାକୁ ନେଉଥିବା ବସ୍‌ଗୁଡ଼ିକୁ ବନ୍ଦ ରଖାଯାଇଛି। କଟକଣା ନଉଠିବା ପର୍ଯ୍ୟନ୍ତ କୌଣସି ବସ୍‌ ଚଳାଚଳ କରିବନି।

ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଟୁର ଅପେରେଟ୍‌ରମାନଙ୍କୁ ଅପେକ୍ଷା କରିବାକୁ କୁହାଯାଇଛି। ଏ ସଂପର୍କରେ ଟୁର୍‌ ଅପରେଟର୍‌ ସଂଘ ପକ୍ଷରୁ କୁହାଯାଇଛି, ଦୈନିକ ଉପରୋକ୍ତ ସ୍ଥାନକୁ ୨୫ରୁ ୩୦ଟି ବସ୍‌ ଯାତାୟାତ କରେ। ଦେଢ଼ ହଜାରରୁ ଦୁଇ ହଜାର ଲୋକ ବୁଲିବାକୁ ଯାଇଥାନ୍ତି। କିନ୍ତୁ ଏହି କଟକଣା ପରେ ଟୁର୍‌ ଅପରେଟରଙ୍କୁ କ୍ଷତି ସହିବାକୁ ପଡ଼ିଛି। ସେ ପଟେ ଆସନ୍ତାକାଲି ବୁଲିବାକୁ ବହୁ ପର୍ଯ୍ୟଟକ ବୁକିଂ କରିଥିଲେ। ଏ ସବୁ ବାତିଲ୍‌ କରିବାକୁ ପଡ଼ିବ ବୋଲି ‌ସଂଘ କହିଛି। ତେବେ ଏ ବାବଦ କ୍ଷତି ଭରଣା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର