ଖଣ୍ଡାଧାରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରୋପ୍‌ୱେ ବ୍ୟବସ୍ଥା, ମୋବାଇଲ୍‌ ଟାୱାର ନିର୍ମାଣ ଉପରେ ଗୁରୁତ୍ବ

ବଣାଇଗଡ଼: ବଣାଇଗଡ଼ସ୍ଥ ବନବିଭାଗ ସମ୍ମିଳନୀ କକ୍ଷରେ ଖଣ୍ତାଧାର ଜଳପ୍ରପାତ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଣାଇ ବନଖଣ୍ତ ଅଧିକାରୀ ସନଥ କୁମାର ଏନ୍‌ ଅଧ୍ୟକ୍ଷତା କରିଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗଦେଇ ଖଣ୍ତାଧାର ଜଳପ୍ରପାତର ଉନ୍ନତୀକରଣ ପାଇଁ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ।

୨୦୧୭ ମଇ ୩୦ ତାରିଖଠାରୁ ଖଣ୍ତାଧାର ଜଳପ୍ରପାତ ଇକୋ-ଟୁରିଜିମ୍‌ ହାତକୁ ଯିବା ପରେ ଏହାର ପରିଚାଳନା ଦାୟିତ୍ବ ବଣାଇ ବନ ବିଭାଗ ହାତରେ ନ୍ୟସ୍ତ କରାଯାଇଛି। ସେବେଠାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ଖଣିଜ ସଂସ୍ଥାନ ପାଣ୍ଠିରୁ ଅର୍ଥ ବିନିଯୋଗ କରି ୨୭ଟି ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଆଗାମୀ ଦିନରେ ଆଉ ୯ଟି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ। ତାଳବାହାଳି ଓ ଲଡ଼ାପାଣି ବନସୁରକ୍ଷା ସମିତି ଦ୍ବାରା ଖଣ୍ତାଧାର ଜଳପ୍ରପାତର ବିଭିନ୍ନ କାର୍ଯ୍ୟରେ ଲୋକମାନଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି ୬ଟି ୨ ଶଯ୍ୟା ବିଶିଷ୍ଟ କଟେଜ୍‌ ଏବଂ ୪ଟି ୨ ଶଯ୍ୟା ବିଶିଷ୍ଟ ଇକୋ-କଟେଜ୍‌ ନିର୍ମାଣ କରାଯାଇ ଏହାକୁ ଖଣ୍ତାଧାର ନେଚର କ୍ୟାମ୍ପ ଭାବେ ବ୍ୟବହାର କରାଯାଉଛି। ବୈଠକରେ ପର୍ଯ୍ୟଟକଙ୍କଠାରୁ ନିଆଯାଉଥିବା ବିଭିନ୍ନ ପ୍ରକାର ଦେୟ ଆଂଶିକ ବୃଦ୍ଧି କରାଯାଇଛି। ସେହିପରି ପର୍ଯ୍ୟଟକଙ୍କ ସୁବିଧା ପାଇଁ ରୋପ୍‌ୱେ ବ୍ୟବସ୍ଥା ଓ ପର୍ଯ୍ୟଟନସ୍ଥଳରେ ମୋବାଇଲ୍‌ ଟାୱାର ନିର୍ମାଣ ଉପରେ ଗୁରୁତ୍ବ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବଣାଇ ଉପ-ଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇ ପିଏ ଆଇଟିଡିଏ ଲଲାଟ କୁମାର ଲୁହା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟଦ ମୁଜିବୁର ରେହମାନ, ସହକାରୀ ବନ ସଂରକ୍ଷକ ମହେନ୍ଦ୍ର ନାଥ, ଯଶୋବନ୍ତ କରାଳୀ, ବନାଂଚଳ ଅଧକାରୀ ମୁକ୍ତିକାନ୍ତ ପରିଡ଼ା, ନବୀନ କୁମାର ପ୍ରଧାନ, ତାଳବାହାଳି ସରପଞ୍ଚ ବୁଧୁରାମ ନାଏକ, ବନ୍ୟଜନ୍ତୁ ସଂରକ୍ଷକ ଆଶୁତୋଷ ନାଏକ, ପ୍ରଦୀପ କୁମାର ତ୍ରିପାଠୀ, ତପନ କୁମାର ଦଣ୍ତିଆ, ଦିଲ୍ଲୀପ କୁମାର ତ୍ରିପାଠୀ, ଜିତେନ୍ଦ୍ରିୟ ଆଚାର୍ଯ୍ୟ, ଅଜୟ କୁମାର ମହାନ୍ତ, ଗୀରେନ୍ଦ୍ର ସାହୁ, ରାଜେନ୍ଦ୍ର ପ୍ରଧାନ, ବୀର ଦେହୁରୀ, ଡାକ୍ତର ଅବିନାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସହକାରୀ ବନସଂରକ୍ଷକ ମହେନ୍ଦ୍ର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର