ଭଜନ-କୀର୍ତ୍ତନ ଆଗରେ ଫିକା ପଡିଲା ବନ୍ଦ ପାଳନ

ଭୁବନେଶ୍ୱର: ହାତରେ ମୃଦଙ୍ଗ ସାଙ୍ଗକୁ ମୁହଁରେ ହରିକଥା | ଭଜନ-କୀର୍ତ୍ତନର ମାହୋଲ ଭିତରେ ଆଜି ଉଛୁଳି ପଡିଥିଲା ଭୁବନେଶ୍ୱର ବିମାନବନ୍ଦରର ପରିସର | ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା | ରାସ୍ତାରେ ଭାରତ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଚକ-ଅଖ ସବୁ ଜାମ ହୋଇଯାଇଥିଲା | ତେବେ ଏହି ବନ୍ଦ ପାଳନର ପ୍ରଭାବ କିନ୍ତୁ ବିମାନବନ୍ଦରରେ ବିମାନଯାତ୍ରୀଙ୍କ ଉପରେ କିଛି ବି ପ୍ରଭାବ ପକାଇପାରିନଥିଲା | ମିଳିଥିବା ସୂଚନା ମୁତାବକ ଦିଲ୍ଲୀରୁ ପ୍ରାୟ ୭୦୦ ଜଣ ଭକ୍ତ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ |

ତେବେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଦିଲ୍ଲୀ ଫେରିବାକୁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ବିମାନବନ୍ଦରରେ ପହଁଚିଯାଇଥିଲେ | ଭାରତ ବନ୍ଦ ପାଇଁ କାଳେ କିଛି ସମସ୍ୟା ଉପୁଜିବ ସେଥିପାଇଁ ଟ୍ରାଭେଲସ ପକ୍ଷରୁ ଏହି ତୀର୍ଥଯାତ୍ରୀଙ୍କୁ ରାତି ୩ଟାରେ ଆଣି ବିମାନବନ୍ଦରରେ ଛାଡି ଦିଆଯାଇଥିଲା |

ଅନ୍ୟପଟେ ଭକ୍ତଙ୍କ କହିବା କଥା ଥିଲା ଯେ ଯେତିକି ସମୟ ସେମାନେ ବିମାନବନ୍ଦରରେ ଅପେକ୍ଷା କରୁଛନ୍ତି ସେତିକି ସମୟ ଭଜନ କୀର୍ତ୍ତନ ଓ ହରିନାମ ଗାଇ ଅତିବାହିତ କରିବେ | ବନ୍ଦର କୌଣସି ପ୍ରଭାବ ପଡିବ ନାହିଁ | ଯିଏ ବି ବନ୍ଦ କରୁ ନା କାହିଁକି ଭକ୍ତି ରସରେ ସେମାନଙ୍କୁ ଉପଭୋଗ କରିବାର ଅଛି | ଯେଉଁମାନଙ୍କୁ ରାଜନୀତି କରିବାର ଅଛି ସେମାନେ ହିଁ ବନ୍ଦ କରିବେ କିନ୍ତୁ ଭକ୍ତଙ୍କ ପାଇଁ ସବୁବେଳେ ଖୋଲା ରହିଛି |

ସମ୍ବନ୍ଧିତ ଖବର