ଫସିଛନ୍ତି ଶହଶହ ପର୍ଯ୍ୟଟକ : ଅଖିଆ ଅପିଆ ପଡ଼ିଛନ୍ତି, ଯିବାକୁ ପାଉନାହାନ୍ତି ରାସ୍ତା

ପୁରୀ : ସନାତନ କେଦେନା, ବୟସ ୪୫। ଆସାମ ଲକ୍ଷ୍ମୀପୁର ଜିଲ୍ଲାରୁ ଆସିଛନ୍ତି। ଆଜି ଯିବାର ଥିଲା। ମାତ୍ର ଯାଇ ପାରିନାହାନ୍ତି। ଟ୍ରେନ୍‌ ବାତିଲ୍‌, ବସ୍‌ ମିଳୁନି। ଯେଉଁ ବସ୍‌ ମିଳୁଛି, ଟିକେଟ୍‌ ଦାମ୍‌ ୩ ଗୁଣ ଅଧିକ। ସେଥିପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତି। କେବଳ ସେ ନୁହନ୍ତି, ବିଷ୍ଣୁ ଭବନରେ ଏମିତି ରହିଛନ୍ତି ୧୦୦ ଜଣ ଆସାମ ପର୍ଯ୍ୟଟକ, ଯେଉଁମାନେ ଯାଇ ପାରୁନାହାନ୍ତି। ପ୍ରଶାସନକୁ ଜଣାଇ ମଧ୍ୟ ସହାୟତା ପାଇନାହାନ୍ତି।

ଆସାମରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ଶହେ ଭକ୍ତ। ବିଷ୍ଣୁ ଭବନରେ ରହୁଥିଲେ। ୪ ତାରିଖରେ ସେମାନଙ୍କର ଯିବାର ଥିଲା। ମାତ୍ର ଶୁକ୍ରବାର ‘ଫନି’ ଆସି ସବୁ କିଛି ବିଗାଡ଼ି ଦେଲା। ଏବେ ‘ଫନି’ ପାଇଁ ଟ୍ରେନ୍‌ ବାତିଲ୍‌। ଯିବେ କେମିତି ସେହି ଚିନ୍ତାରେ ପଡ଼ିଛନ୍ତି। ଯାହା ବି ଟଙ୍କା ଥିଲା ସରିଗଲାଣି। ଟ୍ରେନ୍‌ ଟିକେଟ୍‌ ବାବଦ ଟଙ୍କା ବି ଫେରି ପାଇଲେ ନାହିଁ। ସନାତନ ସ୍ଥାନୀୟ ପଣ୍ଡାଙ୍କ ସହାୟତାରେ ବସ୍‌ରେ ଫେରିବାକୁ ଯୋଜନା କରିଥିଲେ। ମାତ୍ର ଜଣକା ୧୫୦୦ ଟଙ୍କା ନେବାକୁ ବସ୍‌ ଦାବି କଲା। ଏତେ ଟଙ୍କା ଦେବା ସମ୍ଭବ ହେଲନାହିଁ। ତେଣେ ପାଖରେ ଟଙ୍କା ସରି ସରି ଆସୁଥିବାରୁ ଖାଇବା ପିଇବା ବି କଷ୍ଟକର ହେଲାଣି। ତେବେ ସ୍ଥାନୀୟ କିଛି ପଣ୍ଡା ତାଙ୍କୁ ସାହାଯ୍ୟ କରିଥିବାରୁ ସେମାନେ କୃତଜ୍ଞତା ଜଣାଇଥିଲେ। ସେମାନଙ୍କୁ ଆସାମ ପଠାଇବାକୁ ସହାୟତା କରିବା ପାଇଁ ପ୍ରଶାସନକୁ ଜଣାଇଛନ୍ତି। ହେଲେ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ। କେବଳ ସେମାନେ ନୁହନ୍ତି, ପଶ୍ଚିମ ଦ୍ବାର ସାମ୍‌ନା ମଣିସିଝା ଆଶ୍ରମରେ ରହୁଛନ୍ତି ୧୨୦ ଜଣ ଆସାମ ଭକ୍ତ। ଆସାମର ଲକ୍ଷ୍ମୀପୁର ଜିଲ୍ଲାର ହାରାମୋଟିରୁ ଆସିଥିବା ଭରତ ପାତ୍ରଙ୍କ ସମେତ ‌ଏହି ଭକ୍ତମାନେ ୭ ତାରିଖରେ ପୁରୀରୁ ଯିବା କଥା। ମାତ୍ର ଏବେ ଟ୍ରେନ୍‌ ଚାଲିବ କି ନାହିଁ ସେ ନେଇ ସେମାନେ ସନ୍ଦେହରେ। ବଜାରରେ କିଛି ମିଳୁନଥିବାରୁ ସେମାନେ ହଇରାଣ ହରକତ ହେଉଛନ୍ତି। କେବଳ ଆଶ୍ରମ ପକ୍ଷରୁ କିଛି ସହାୟତା ଦିଆଯାଉଛି। ସେଥିରେ ସେମାନେ ରହିବା ସମ୍ଭବ ହେଉନାହିଁ। ଏବେ ସେମାନେ ଆସାମ ଫେରିବାକୁ ଚାହିଁ ବସିଛନ୍ତି। ସେହିପରି ରମାକାନ୍ତ ଠାକୁଆରୀଙ୍କ ସହ ରହିଛନ୍ତି ୩୪ ଜଣ। ସେମାନେ ମଧ୍ୟ ଆସାମ ଫେରିବାକୁ ଅପେକ୍ଷା କରିଛନ୍ତି। ମାତ୍ର କିଛି ସୁବିଧା ନାହିଁ।

ସମ୍ବନ୍ଧିତ ଖବର