ଗ୍ୟାଙ୍ଗଟକ୍/ଭୁବନେଶ୍ବର/ବ୍ୟାସନଗର: ସିକିମ୍ ଦୁର୍ଘଟଣାରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ପରିବାରର ୪ ଜଣ ନିଖୋଜ ଅଛନ୍ତି। ସେମାନେ ହେଲେ ଯାଜପୁରରୋଡ୍ ଥାନା ବ୍ୟାସନଗର ପୌରାଞ୍ଚଳ ୧୬ନଂ ୱାର୍ଡ ଉମାପଦା ଗ୍ରାମର ଇତିଶ୍ରୀ ଜେନା, ତାଙ୍କ ବଡ଼ପୁଅ ସାହିଲ (୨୨), ଇତିଶ୍ରୀଙ୍କ ସାନଭାଇ ଅଜିତ (୪୮) ଓ ଭାଉଜ ସୁନିତା (୪୦)। ତେବେ ଇତିଶ୍ରୀଙ୍କ ସାନପୁଅ ସାଇରାଜ (୨୦) ଓ ପୁତୁରା ଅଂଶୁମାନ (୧୭) ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସାନପୁଅ ଓ ପୁତୁରା ଡାକ୍ତରଖାନାରେ ଚିକିତ୍ସାଧୀନ
କଥା ହେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରୁ ଗଲା ସ୍ବତନ୍ତ୍ର ଟିମ୍
ଗତ ୨୫ ତାରିଖରେ ଇତିଶ୍ରୀଙ୍କ ସମେତ ତାଙ୍କର ଦୁଇ ପୁଅ, ପୁତୁରା, ବଡ଼ଭାଇ, ଭାଉଜ, ଝିଆରୀ, ସାନଭାଇ ଓ ଭାଉଜ ସିକିମର ଗାଙ୍ଗଟକ୍କୁ ବୁଲିବାକୁ ଯାଇଥିଲେ। ଗତକାଲି ସମସ୍ତେ ଏକ ହିଲ୍ଟପ୍କୁ ଯାଇ ସେଠାରୁ ଦୁଇଟି ଗାଡ଼ିରେ ଆଗପଛ ହୋଇ ଫେରୁଥିଲେ। ବଡ଼ଭାଇ ଶିଶିରଙ୍କ ପରିବାର ଅନ୍ୟ ଏକ ଗାଡ଼ିରେ ସୁରକ୍ଷିତ ଭାବେ ଫେରିଥିଲେ। ମାତ୍ର ଇତିଶ୍ରୀ, ଦୁଇପୁଅ, ସାନଭାଇ, ଭାଉଜ ଓ ପୁତୁରା ଥିବା ଗାଡ଼ିଟି ଆଉ ଫେରିନଥିଲା। ଖୋଜଖବର ନେବାରୁ ଗାଡ଼ିଟି ମୁନ୍ସିଥାଙ୍ଗ୍ ନିକଟରେ ଭାରସାମ୍ୟ ହରାଇ ୧୦୦୦ ଫୁଟ ତଳକୁ ଖସିପଡ଼ିବା ସହ ତିସ୍ତା ନଦୀ ଗର୍ଭକୁ ଚାଲିଯାଇଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରେ ଇଣ୍ଡୋ-ତିବତ୍ ବର୍ଡର ପୁଲିସ, ଭାରତୀୟ ସେନା, ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ହେଁ ନିଖୋଜଙ୍କର ସନ୍ଧାନ ମିଳିନାହିଁ। ସ୍ଥାନୀୟ ଏସ୍ପି ସୋମ୍ ଡେଚୁ ଭୂତିଆଙ୍କ ସୂଚନା ମୁତାବକ ଉକ୍ତ ଗାଡ଼ିରେ ଚାଳକଙ୍କ ସମେତ ୧୧ ଜଣ ପର୍ଯ୍ୟଟକ ଥିଲେ। ଜଣଙ୍କର ମୃତଦେହ ମିଳିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ୮ ନିଖୋଜଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି। ଆହତ ଦୁଇଜଣଙ୍କୁ ଗ୍ୟାଙ୍ଗ୍ଟକ୍ର ଏସ୍ଟିଏନ୍ଏମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଉକ୍ତ ରାସ୍ତାରେ ଯାତ୍ରା ନ କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ବାବଦରେ ସିକିମ ସରକାରଙ୍କ ସହ କଥା ହୋଇଛନ୍ତି। କୋରେଇ ବିଧାୟକ ଆକାଶ ଦାସନାୟକ ଓ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ଅଧିକାରୀମାନଙ୍କର ଏକ ସ୍ବତନ୍ତ୍ର ଟିମ୍ ସିକିମ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଓଡ଼ିଶାରୁ ବିଜେପିର ଏକ ପ୍ରତିନିଧି ଦଳ ସିକିମ ଯାଇଥିବା ଜଣାପଡ଼ିଛି। ସିକିମ ସରକାର ମଧ୍ୟ ଘଟଣାର ତୁରନ୍ତ ଅନୁଧ୍ୟାନ କରିବା ସହ ଡାକ୍ତରଖାନାରେ ଗୁରୁତର ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି।