ପୁରୀକୁ ଆସିଲେଣି ପର୍ଯ୍ୟଟକ : ସକାଳୁ ଆସି ସନ୍ଧ୍ୟାରେ ଫେରୁଛନ୍ତି, ସମୁଦ୍ର ସ୍ନାନର ମଜା ନେଉଛନ୍ତି

ପୁରୀ : ସାମୁଦ୍ରିକ ଝଡ଼ ‘ଫନି’ ପୁରୀର ପର୍ଯ୍ୟଟନ ଶିଳ୍ପକୁ ଛାରଖାର୍‌ କରି ଦେଇଛି। ବିଶେଷ କରି ବାତ୍ୟା ପ୍ରଭାବରେ ହୋଟେଲଗୁଡ଼ିକର ଅବସ୍ଥା ଏମିତି ହୋଇଛି ଯେ ଆଜିଯାଏ ସେଗୁଡ଼ିକ ରହିବା ଯୋଗ୍ୟ ହୋଇନାହିଁ। ତଥାପି ପୁରୀକୁ ଆସିବା ଆରମ୍ଭ କରିଦେଲେଣି ପର୍ଯ୍ୟଟକ। ବାତ୍ୟାର ୧୦ ଦିନ ପରେ ଆଜି ସମୁଦ୍ରକୂଳରେ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥିଲା।

ରବିବାର ଦିଗବାରେଣୀ ଖୁଣ୍ଟି ନିକଟରେ ୭୦ରୁ ୮୦ ଛତା ଲାଗିଥିଲା। ରଙ୍ଗବେରଙ୍ଗ ଛତା ତଳେ ପଡ଼ିଥିବା ଆରାମ୍‌ ଚେୟାରରେ ବସି ପାଖରୁ ସମୁଦ୍ର ଦୃଶ୍ୟରାଜିକୁ ଉପଭୋଗ କରୁଥିଲେ ପର୍ଯ୍ୟଟକ। ଅନେକ ପର୍ଯ୍ୟଟକ ସମୁଦ୍ରରେ ସ୍ନାନ କରୁଥିଲେ। ସମୁଦ୍ର ଜୁଆରର ମଜା ନେବା ସହ ପଇଡ଼ ଏବଂ ଥଣ୍ଡା ପାନୀୟ ପିଉଥିଲେ। ସକାଳୁ ସଂଧ୍ୟା ଯାଏ ସମୁଦ୍ରକୂଳରେ ଭିଡ଼ ଲାଗି ରହିଥିଲା। ତେବେ ସଞ୍ଜ ନଇଁବା ପୂର୍ବରୁ ପର୍ଯ୍ୟଟକମାନେ ଫେରି ଯାଇଥିଲେ। ବାତ୍ୟା ପରେ ପୁରୀରେ ହୋଟେଲଗୁଡ଼ିକ ରହିବା ଅନୁପଯୋଗୀ ହୋଇଥିବା ବେଳେ ବିଜୁଳି ନଥିବାରୁ ଖାଇବା ସୁବିଧା ବି ନଥିଲା। କାଁଭାଁ ରେସ୍ତୋରାଁରେ ଖାଇ ଫେରିଥିଲେ ପର୍ଯ୍ୟଟକ।

‘ଫନି’ ଆସିବା ପୂର୍ବରୁ ୧ ତାରିଖରେ ସମୁଦ୍ର କୂଳରେ ଲାଗିଥିଲା କଟକଣା। ୨ ତାରିଖଠାରୁ ଦଉଡ଼ି ବାନ୍ଧି ପର୍ଯ୍ୟଟକଙ୍କୁ ଅଟକାଯାଇଥିଲା। ୩ ତାରିଖରେ ଆସିଲା ଭୟଙ୍କର ବାତ୍ୟା। ପୁରୀ ପର୍ଯ୍ୟଟନ ଶିଳ୍ପକୁ ଦୋହଲାଇ ଦେଇ ଚାଲିଗଲା। ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପୁନଃ ପ୍ରସ୍ତୁତ ହୋଇନାହିଁ ପୁରୀ। ତଥାପି ଆଜି ସକାଳୁ ବେଶ କିଛି ଯାନବାହନରେ ପର୍ଯ୍ୟଟକମାନେ ପୁରୀ ପହଞ୍ଚିଥିଲେ। ସହରର ବିପର୍ଯ୍ୟସ୍ତ ଚିତ୍ର ଦେଖିବା ପରେ ସମୁଦ୍ର ସ୍ନାନ ପାଇଁ ଦିଗବାରେଣୀ ଖୁଣ୍ଟି ନିକଟସ୍ଥ ବେଳାଭୂମି, ପାନ୍ଥନିବାସ ପଛପଟ ବେଳାଭୂମିକୁ ଯାଇଥିଲେ। କଟକ-ଭୁବନେଶ୍ବରର ପର୍ଯ୍ୟଟକମାନଙ୍କର ଲାଗିଥିଲା ଭିଡ଼। କଟକରୁ ଆସିଥିବା ଆରତି ଦେବତା କହିଛନ୍ତି, ବାତ୍ୟାରେ ପୁରୀ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ଶୁଣିଥିଲୁ। ପ୍ରତି ମାସରେ ଥରେ ଦୁଇଥର ପୁରୀ ଆସିଥାଉ। ଆଜି ପରିବାର ସହ ପୁରୀ ଦେଖିବା ସହ ସମୁଦ୍ରରେ ସ୍ନାନ କରିବାକୁ ଆସିଥିଲୁ। ବାସ୍ତବିକ ଏଠାରେ ସବୁ କିଛି ଉଜୁଡ଼ି ଯାଇଛି। ତେଣୁ ସମୁଦ୍ରରେ ସ୍ନାନ କରିବା ପରେ ଆମେ ଫେରିଯାଉଛୁ ବୋଲି କହିଥିଲେ ଆରତି। ଏମିତି ଅନେକ ପର୍ଯ୍ୟଟକ ସମୁଦ୍ର ସ୍ନାନ ପାଇଁ ଆସିଥିଲେ ଏବଂ ଘରକୁ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର