ରାୟଗଡ଼ା: ରାୟଗଡା ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳୀ ରହିଛି। କିନ୍ତୁ ସେସବୁର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଏବେ ଅବହେଳିତ ହୋଇ ପଡି ରହିଛି। ସେଥିମଧ୍ୟରୁ ଭୈରବୀ ହାଲୱା ଜଳପ୍ରପାତ ଅନ୍ୟତମ। ରାୟଗଡା ଠାରୁ ଆନ୍ଧ୍ରପ୍ରଦେଶ ଯାଉଥିବା ରାସ୍ତାରେ ପ୍ରାୟ ୧୭ କିଲୋମିଟର ଦୁରରେ ଭୈରବୀ ହାଲୱା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳୀ ରହିଛି। ଜେମାଦେଇ ପେଣ୍ଠ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଏହି ପର୍ଯ୍ୟଟନ ସ୍ଥଳୀ ରହିଛି।

Advertisment

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପର୍ଯ୍ୟଟନ ସ୍ଥଳୀକୁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ଜମେ।ବଣ ପାହାଡ଼ ଘେରା ମଧ୍ୟରେ ସୁଉଚ୍ଚରୁ ଝରଣା ପାଣି ପଡିବା ଏକ ଅନନ୍ୟ ମନଲୋଭା ଦୃଶ୍ୟ।ଏହି ସ୍ଥାନଟି ପିକନିକ ସ୍ପଷ୍ଟ ଭାବେ ବେଶ ପରିଚିତ। ଛୁଟିଦିନ କିମ୍ବା ରବିବାର ଦିନ ଏଠାରେ ପ୍ରବଳ ଭିଡ ଜମେ। ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏହି ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ବହୁ ସମୟରେ ନେତା ଏବଂ ସରକାରଙ୍କର ଉଚ୍ଚପଦାଧିକାରୀ ଏଠାକୁ ଆସିଥିବା ସ୍ଥାନୀୟ ଲୋକେ କହନ୍ତି। ଏହି ଅଂଚଳରେ ବାସିନ୍ଦା ଡା ବିଜୟ କୁମାର ମହାରଣାଙ୍କ କହିବା ଅନୁଯାୟୀ ପର୍ଯ୍ୟଟକମାନେ ଆସନ୍ତି ଓ ବଣଭୋଜିର ମଜା ଉଠାନ୍ତି କିନ୍ତୁ ସେହି ଅଂଚଳକୁ ପୁତ୍ତିଗନ୍ଧମୟ କରି ଚାଲିଯାନ୍ତି। ଏବେ ଏହି ଅଂଚଳର ପରିବେଶ ବେଶ ଶୋଚନୀୟ ହୋଇପଡିଛି। କୁଢ଼କୁଢ଼ ଆବର୍ଜନା ସାଂଗକୁ ମଦ ବୋତଲ, ପଲିଥିନ ଇତ୍ୟାଦି ପଡି ପରିବେଶ ନଷ୍ଟ ହୋଇଯାଇଛି।

publive-image

ଏହି ଜଳପ୍ରପାତ ନିକଟକୁ ଯିବାକୁ ହେଲେ ଏକ ପାହାଡ଼ିଆ ନଦୀ ପାର କରିବାକୁ ପଡ଼େ। ଏବେ ସେହି ନଦୀରେ ପାଣି କମ୍ ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଆହୁରି ଅଧିକ ବଢୁଛି।ଜଳପ୍ରପାତ ପାଣିରେ ଗାଧୋଇବା ସହ ମୋବାଇଲ୍‌ରେ ସେଲଫି ଉଠାଇବାକୁ ଲୋକେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ପାଣିର ଗର୍ଜନ, ପକ୍ଷୀଙ୍କର ସୁମଧୁର ସ୍ବର ପର୍ଯ୍ୟଟକଙ୍କୁ ବାରମ୍ବାର ଏଠାକୁ ଆସିବାକୁ ବାଧ୍ୟ କରୁଛି। ସ୍ଥାନୀୟ ସରପଞ୍ଚଙ୍କ ପ୍ରଚେଷ୍ଟା କିନ୍ତୁ ଜାରି ରହିଛି। ହାଲୱା ପଞ୍ଚାୟତର ସରପଞ୍ଚ ତାମାରାଓ ବିଡିକା ଭୈରବୀ ହାଲୱାର ସରପଞ୍ଚ ଶ୍ରୀନୁଙ୍କ ସହ ମିଶି ଏହି ଅଂଚଳର ସଫେଇ କାର୍ଯ୍ୟ ଆଗାମୀ ଦିନରେ ହାତକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଜିଲ୍ଲା ପ୍ରଶାସନ ଏବଂ ଟୁରିଷ୍ଟ ବିଭାଗ ପକ୍ଷରୁ ଏହି ସ୍ଥାନକୁ ଚିହ୍ନଟ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ସ୍ଥାନୀୟ ଅଂଚଳର ବାସିନ୍ଦା ସଂତୋଷ ଦଳେଇ, ଶିବ ପ୍ରସାଦ ଗୌଡ ପ୍ରମୁଖ ଦାବି କରିଛନ୍ତି।