‘ଫନି’ ଯୋଗୁଁ ହୋଟେଲ ବୁକିଂ ଓ ଟୁର୍‌ ପ୍ୟାକେଜ୍‌ ରଦ୍ଦ କରୁଛନ୍ତି ଉତ୍ତର ଭାରତର ପର୍ଯ୍ୟଟକ

ନୂଆଦିଲ୍ଲୀ (ନଇମ୍‌ ଅଖତାର୍‌): ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଓଡ଼ିଶାର ପର୍ଯ୍ୟଟନ ଉଦ୍ୟୋଗ ଏଥିରୁ ବର୍ତ୍ତି ଯାଇପାରି ନାହିଁ। ଓଡ଼ିଶାର ୧୧ଟି ଜିଲ୍ଲାରେ ବାତ୍ୟା ପର୍ଯ୍ୟଟନ ଭିତ୍ତିଭୂମିକୁ ଛାରଖାର କରିଥିବା ବେଳେ ପର୍ଯ୍ୟଟନ ସ୍ଥଳ ଓ କେନ୍ଦ୍ର ବ୍ୟାପକ ରୂପେ ପ୍ରଭାବିତ ହୋଇଛି। ପର୍ଯ୍ୟଟନ ଉଦ୍ୟୋଗ ଗୁଡ଼ିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ହୋଟେଲ ଉଦ୍ୟୋଗ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ ଏବଂ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛି।

ଓଡ଼ିଶାରେ ପ୍ରର୍ଯ୍ୟଟକ ମାନଙ୍କର ପ୍ରଥମ ପସନ୍ଦ କଟକ, ଭୁବନେଶ୍ୱର, ପୁରୀ, ଚିଲିକା ହ୍ରସ, ଗୋପାଳପୁର, କୋଣାର୍କ, ନନ୍ଦନକାନ୍ଦନ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଇକୋ-ଟୁରିଜିମ୍‌ ଯାହା ଦେଶ ବିଦେଶର ପର୍ଯ୍ୟଟନକୁ ଆକୃଷ୍ଟ କରିଥାଏ ଏବଂ ଯାହାର ଝଲକ ପାଇବା ପାଇଁ ପର୍ଯ୍ୟଟକ ମାନେ ହୋଟେଲ ବୁକ୍‌ କରିବା ସହିତ ପ୍ୟାକେଜ ଟୁର୍‌ ପାଇଁ ବୁକ୍‌ କରିଥିଲେ। ଫନି ଯୋଗୁଁ ଅନେକ ପର୍ଯ୍ୟଟକ ମାନେ ସେମାନଙ୍କର ଟୁର୍‌ ପ୍ଲାନକୁ ବାତିଲ କରିଦେଇଥିବାର ଜଣାପଡ଼ିଛି। ବିଶେଷକରି ଉତ୍ତର ଭାରତ ପର୍ଯ୍ୟଟକ ମାନଙ୍କ ଦ୍ଵାରା ଓଡ଼ିଶା ପର୍ଯ୍ୟଟନ ପାଇଁ ବୁକ୍‌ କରାଯାଇଥିବା ଆଗୁଆ ବୁକିଂକୁ ରଦ୍ଦ କରୁଥିବାର ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଯେଉଁସବୁ ପର୍ଯ୍ୟଟକ ମାନେ ସ୍ଥାନୀୟ ଟୁର୍‌ ଅପରେଟର ମାନଙ୍କ ଦ୍ଵାରା ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ପାଇଁ ପରିଦର୍ଶନ ପାଇଁ ବୁକ୍‌ କରିଥିବା ହୋଟେଲ ଓ ପ୍ୟାକେଜ୍‌ ଟୁର୍‌କୁ ବାତ୍ୟା ପରେ ବାତିଲ କରିଦେଇଥିବାର ଅନେକ ଟୁର୍‌ ଅପରେଟର ମାନଙ୍କ ପାଖରୁ ଜଣାପଡ଼ିଛି। ଟୁର୍‌ ଅପରେଟର ମାନଙ୍କ କହିବା ଅନୁସାରେ ସାଧାରଣତଃ ମଇ, ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସ ଅଫ୍‌ ସିଜିନ ହୋଇଥିବା ବେଳେ ଅନେକ ଘରୋଇ ପର୍ଯ୍ୟଟକ ଯେଉଁମାନେ ଅଧିକାଂଶ ଉତ୍ତର ଭାରତର ଓଡ଼ିଶାର ସ୍ୱର୍ଣ୍ଣ ତ୍ରିଭୂଜ ପୁରୀ, କୋଣାର୍କ ଓ ଭୁବନେଶ୍ୱର ଭ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥାନ୍ତି। ଏଥିପାଇଁ ସେମାନେ ଆଗୁଆ ବୁକିଂ କରିଥାନ୍ତି କିନ୍ତୁ ଫନି ବାତ୍ୟା ବିଭିଶିକା ପରେ ଯେଉଁଭଳି ଭାବେ ପର୍ଯ୍ୟଟନ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇଥିବାରୁ ଅଧିକାଂଶ ପର୍ଯ୍ୟଟକ ମାନେ ସେମାନଙ୍କ ବୁକିଂ ବାତିଲ କରିଦେଉଛନ୍ତି।

Down To Earth

ଟୁର୍‌ ଅପରେଟର ରମେଶ ସାହିଗଲଙ୍କ କହିବା ଅନୁସାରେ ଚଳିତ ମାସ ୨ ତାରିଖରୁ ପୁରୀ, ଭୁବନେଶ୍ୱର ଓ କୋଣାର୍କର ବୁକିଂ ବାତିଲ ଏକ ନିୟମିତ ବ୍ୟାପାର ହୋଇଯାଇଛି। ଯାହାଫଳରେ ବ୍ୟବସାୟ ମାନ୍ଦା ହୋଇଯାଇଛି। କେବଳ ଏତିକି ନୁହେଁ କିଛି ବିଦେଶୀ ପର୍ଯ୍ୟଟକ ମାନେ ମଧ୍ୟ ରଥଯାତ୍ରା ପାଇଁ ବୁକିଂ କରିଥିଲେ, ତାହାକୁ ମଧ୍ୟ ସେମାନେ ବାତିଲ କରିଦେଇଛନ୍ତି। ପର୍ଯ୍ୟଟକ ମାନେ ଗ୍ରୀଷ୍ମ ଋତୁରେ ଅଧିକ ରିସ୍କ ନେବାକୁ ଚାହୁଁନାହାନ୍ତି ବୋଲି ଅନ୍ୟ ଜଣେ ଟୁର୍‌ ଅପରେଟର ଆଶିସ ଭାର୍ଦାଜ ମତ ଦେଇଛନ୍ତି। ଅଧିକାଂଶ ଟୁର୍‌ ଅପରେଟରଙ୍କ କହିବା ଅନୁସାରେ ଏଭଳି ସ୍ଥିତି ଯୋଗୁଁ ପର୍ଯ୍ୟଟନ ଉଦ୍ୟୋଗର କ୍ଷତି ହେଉଥିବା ବେଳେ ଆଗକୁ ସ୍ଥିତି ନିଶ୍ଚୟ ସୁଦ୍ଧାର ଆସିବ। ଏହା ଏକ ଅସ୍ଥାୟୀ ଫେଜ୍‌, ଏଥିରେ ପର୍ଯ୍ୟଟନ ଉଦ୍ୟୋଗ ଉପରେ କୌଣସି ଦୂରଗାମୀ ପ୍ରଭାବ ପଡ଼ିବ ନାହିଁ।

ବାତ୍ୟା ପରେ ଅଧିକାଂଶ ପର୍ଯ୍ୟଟକ ମାନେ ସେମାନଙ୍କ ଓଡ଼ିଶା ପରିଦର୍ଶନର ବୁକିଂ ବାତିଲ କରୁଥିବା ବେଳେ ବାତ୍ୟା ପୂର୍ବରୁ ରାଜ୍ୟ ସରକାର ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତରିତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ପର୍ଯ୍ୟଟନ ଉଦ୍ୟୋଗର ଗୋଟିଏ ଆକଳନ ଅନୁସାରେ ଗତ ୫ ଦିନରେ ପର୍ଯ୍ୟଟନ ଉଦ୍ୟୋଗକୁ ପାଖାପାଖି ୧୫ କୋଟି ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି। ପର୍ଯ୍ୟଟନ ଉଦ୍ୟୋଗ ଗୁଡ଼ିକ କିଭଳି ମୁଣ୍ଡଟେକି ଛିଡ଼ା ହେବ ସେନେଇ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ ପାଇଁ ଦେଶ ବିଦେଶର ପ୍ରତ୍ୟେକ ବର୍ଷ ୧.୨୦ କୋଟି ପର୍ଯ୍ୟଟକ ଓଡ଼ିଶା ଗସ୍ତ କରିଥାନ୍ତି। ରାଜ୍ୟ ସରକାରଙ୍କ ଦ୍ଵାରା ପର୍ଯ୍ୟଟନ ଉଦ୍ୟୋଗକୁ ଆହୁରି ଅଧିକ ବିକଶିତ କରିବା ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଥିବା ବେଳେ ବାତ୍ୟା ଫନି ଏହି ପ୍ରୟାସରେ ବ୍ରେକ୍‌ ଲଗାଇଛି।

ସମ୍ବନ୍ଧିତ ଖବର