କୋଣାର୍କ: ମହାମାରୀ କରୋନାର ଓମିକ୍ରନ୍‌ ପ୍ରଭାବରେ ପର୍ଯ୍ୟଟନ ଶିଳ୍ପ ପୁଣି ଭୁଶୁଡ଼ିବା ପରିସ୍ଥିତି ଉପୁଜିଛି। ଯେଉଁ ଜାନୁଆରି ମାସରେ ପର୍ଯ୍ୟଟକଙ୍କ ସମାଗମରେ କୋଣାର୍କ ଚଳଚଞ୍ଚଳ ହୋଇଉଠେ ବର୍ତ୍ତମାନ ସେହି କୋଣାର୍କକୁ ପର୍ଯ୍ୟଟକ ଆଗମନ ଉପରେ ଏକପ୍ରକାର ରୋକ୍‌ ଲାଗିଛି। କୋଣାର୍କ ସୂର୍ଯ୍ୟମନ୍ଦିର ସମେତ ଆଖପାଖରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀ ଖାଁ ଖାଁ ହୋଇପଡ଼ିଥିବା ସମୟରେ ରାସ୍ତାଘାଟ ସହିତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ନିରବତା ରାଜୁତି କରୁଛି। ଫଳରେ ପର୍ଯ୍ୟଟକଙ୍କ କୋଣାର୍କ ପରିଦର୍ଶନ ଉପରେ ନିର୍ଭରକରି ଚଳୁଥିବା ଶହଶହ ଜନସାଧାରଣ ଓ ବ୍ୟବସାୟୀ ‌ଏବେ ଆର୍ଥିକ ଦୁରବସ୍ଥା ଓ ମାନସିକ ଚିନ୍ତାରେ ବୁଡ଼ି ରହିଛନ୍ତି। ମହାମାରୀ କରୋନା ଏବଂ ଓମିକ୍ରନ ସଂକ୍ରମଣରେ ଜାନୁଆରି ମାସରେ ପର୍ଯ୍ୟଟକଙ୍କ ଆଗମନ ହଠାତ କମିଯିବା ଫଳରେ କୋଣାର୍କରେ ହୋଟେଲ ବ୍ୟବସାୟ, ଅଟୋ ବ୍ୟବସାୟ, କୋଣାର୍କ-ପୁରୀ ବେଳାମାଗର ବୋଟିଂ ବ୍ୟବସାୟ ସମେତ ପ୍ରାୟ ସମସ୍ତ ଛୋଟବଡ଼ ବ୍ୟବସାୟ ସିଧାସଳଖ ଭାବେ ପ୍ରଭାବିତ ହୋଇଛି। କୋଣାର୍କ ସୂର୍ଯ୍ୟମନ୍ଦିର, ସଂଗ୍ରହାଳୟ, ଆଇଓସିଏଲ ବାଖ୍ୟାନକେନ୍ଦ୍ର ପ୍ରତ୍ୟେକଦିନ ହାତଗଣତି ପର୍ଯ୍ୟଟକ ପରିଦର୍ଶନ କରୁଥିବା ସମୟରେ କୋଣାର୍କ ଭଗବତୀପୀଠ, ଚନ୍ଦ୍ରଭାଗା ବେଳାଭୂମି, ବେଳାମାର୍ଗ ଓ ରାମଚଣ୍ଡୀ ଭଳି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କ ବିନା ଜନଶୂନ୍ୟ ହୋଇପଡ଼ିଛି। କୋଣାର୍କ- ପୁରୀ ବେଳାମାର୍ଗର ସାହୁଖଣତା ନିକଟରେ କୁଶଭଦ୍ରା ନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳୀରେ ପର୍ଯ୍ୟଟକମାନଙ୍କୁ ବୋଟରେ ବୁଲାଇବା ସହିତ ଦି ପଇସା ଉପାର୍ଜନ କରି ଶତାଧିକ ବେକାର ଯୁବକ ପରିବାର ପ୍ରତିପୋଷଣ କରିଥାନ୍ତି।

Advertisment

publive-image

ମାତ୍ର ଏବେ ଓମିକ୍ରନ ଓ କରୋନା ପ୍ରଭାବରେ ପର୍ଯ୍ୟଟକଙ୍କ ଯିବାଆସିବା ଉପରେ ଅଙ୍କୁଶ ଲାଗିବାରେ ଏବେ ଉକ୍ତ ବୋଟିଂ ବ୍ୟବସାୟ ସଂପୂର୍ଣ୍ଣ ଠପ ହୋଇ ପଡ଼ିଛି। କୋଣାର୍କରେ ଅଟୋଚାଳକଙ୍କ ଅବସ୍ଥା ମଧ୍ୟ ଅନୁରୂପ ପରିଲକ୍ଷିତ ହୋଇଛି। କରୋନାର ପ୍ରଥମ ଓ ଦ୍ବିତୀୟ ଲହରୀରେ ସମୟ ବ୍ୟବଧାନରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବା ସମୟରେ ଚଳିତଥର ହଠାତ ପର୍ଯ୍ୟଟକଙ୍କ ଆଗମନ ଠପ ହୋଇଯାଇଛି। ପ୍ରଥମ ଓ ଦ୍ବିତୀୟ ଲହରୀରେ ସୃଷ୍ଟି ହୋଇଥିବା ଆର୍ଥିକ ଦୁରାବସ୍ଥାକୁ ସଜାଡ଼ିବା ପାଇଁ ଟିକେ ଅଣ୍ଟାସଳଖିବା ବେଳକୁ ଏବେ ତୃତୀୟ ଲହରୀର ପ୍ରଭାବ ସ୍ଥାନୀୟ ବ୍ୟବସାୟୀଙ୍କ ଭାତହାଣ୍ଡି ଉପରେ ସିଧାସଳଖ ପ୍ରଭାବ ପକାଇବା ପରିସ୍ଥିତି ସୃଷ୍ଟି କରିଛି ।ଅଧିକାଂଶ ଲୋକଙ୍କର ଏବେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଜାନୁଆରି ମାସରେ ଯଦି ପରିସ୍ଥିତି ଏଭଳି ହୋଇଛି ତେବେ ଆଗାମୀ ଦିନରେ ଏଭଳି ସ୍ଥିତି ଲାଗି ରହିଲେ ଲୋକମାନେ ଭୋକଉପାସରେ ରହିବା ସାର ହେବବୋଲି ମତ ପ୍ରକାଶ ପାଇଛି।