ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ନିର୍ମାଣ ବେଳେ ଯେତେବେଳେ ଗାଁକୁ ପାଣି ମାଡ଼ି ଆସିଲା, ଯିଏ ଯେଉଁଠିକୁ ପାରିଲେ ଚାଲିଗଲେ। ଆମ ଗାଁର ଅନେକ ଲୋକ ଏହି ସ୍ଥାନକୁ ସୁରକ୍ଷିତ ଭାବରେ ବାଛିନେଲେ, ଯେଉଁଠି ଚାରିପଟରେ ଗଭୀର ପାଣି ଥିଲେ ମଧ୍ୟ ମଝି କିଛି ସ୍ଥାନ ସ୍ଥଳଭାଗ ରହିଥିଲା। ଜଳଭଣ୍ଡାର ଏହି ହାଡ଼ଖାଇ ଗାଁକୁ ବାଦୁଡ଼ି ଦ୍ବୀପରେ ପରିଣତ କରି ଦେଇଥିଲା। ଯେଉଁଠି ଆଜି ମଧ୍ୟ ୭ ମତ୍ସ୍ୟଜୀବୀ ପରିବାର ରହୁଥିବା କହିଛନ୍ତି ସ୍ଥାନୀୟ ଅଧିବାସୀ ଭାସ୍କର ପଟେଲ। ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଏହି ଅଞ୍ଚଳକୁ ପର୍ଯ୍ୟଟନସ୍ଥଳ ଭାବରେ ପରିଣତ କରିବା ପରେ ଏହା ବର୍ତ୍ତମାନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଫେବ୍ରୁଆରି ମାସରେ ବନ୍ୟପ୍ରାଣୀ ବିଭାଗ ଏହି ଦ୍ବୀପରେ କାଫେ ଖୋଲିଛି। ଯେଉଁଠି ପର୍ଯ୍ୟଟକମାନେ ହୀରାକୁଦ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶିର ମଧ୍ୟସ୍ଥଳରେ ସବୁଜ ପରିବେଶ ମଧ୍ୟରେ ଚା’ ପିଆ ସହିତ ଗରମ ଗରମ ମାଛଭଜାର ଆନନ୍ଦ ନେଇ ପାରୁଛନ୍ତି। ଦ୍ବୀପ ଭିତରେ ଜଙ୍ଗଲ ସହିତ ବାଦୁଡ଼ି ଦେଖୁଛନ୍ତି। ଏଥିସହିତ ଅନେକ ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାର ନିର୍ମାଣ ବେଳେ ବିସ୍ଥାପିତଙ୍କ ଲହୁ, ଲୁହର କାହାଣୀ ମଧ୍ୟ ଶୁଣୁଛନ୍ତି। 

Advertisment

ଡେବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ଭିଡ଼
ଜଙ୍ଗଲ ସଫାରୀର ମଜା ନେଉଛନ୍ତି, ବିସ୍ଥାପିତଙ୍କ କାହାଣୀ ଜାଣୁଛନ୍ତି 

ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି, ଚଳିତ ଅକ୍ଟୋବର ମାସରେ ପ୍ରତିଦିନ ପ୍ରାୟ ୫୦୦ରୁ ୭୦୦ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଜଙ୍ଗଲ ସଫାରୀ ଜରିଆରେ ଡେବ୍ରିଗଡ଼ ଅଭୟାରଣ୍ୟ ବୁଲିବା ସହିତ ବୋଟିଂ କରି ଦ୍ବୀପ ଦେଖୁଛନ୍ତି। ବର୍ତ୍ତମାନ ଏଠାରେ ଥିବା ସମସ୍ତ ୧୮ ବୋଟ୍‌, ୧୮ ସଫାରୀ ଗାଡ଼ି ସହିତ ଜଙ୍ଗଲରେ ରହିବା ସୁବିଧା ଥିବା ୨୦ ରୁମ୍‌ରେ ପର୍ଯ୍ୟଟକ ଭର୍ତ୍ତି ହୋଇ ରହୁଛନ୍ତି। ଜିରୋ ପଏଣ୍ଟ, ବାରବଖରା, ଗୋବିନ୍ଦପୁରସ୍ଥିତ କାଫେ ଲୋକଙ୍କୁ ଆକର୍ଷିତ କରୁଛି। ଡିସେମ୍ବର ସୁଦ୍ଧା ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିବ ବୋଲି ଆଶା କରାଯାଉଥିବା ସେ ମତ ଦେଇଛନ୍ତି। ୨୦୨୩ ଗଣନା ଅନୁସାରେ ଡେବ୍ରିଗଡ଼ ଅଭୟାରଣ୍ୟରେ ଗୋଟିଏ ମହାବଳ, ୮୨ଟି କଲରାପତରିଆ ସହିତ ପ୍ରତ୍ୟେକ ବର୍ଗକିଲୋମିଟର ଅଞ୍ଚଳରେ ୪୬ଟି ବନ୍ୟପ୍ରାଣୀ ବସବାସ କରୁଥିବା ଜଣାପଡ଼ିଥିଲା। ସମ୍ବର, ବାର୍‌ହା, ଗୟଳ, ନୀଳଗାଈ, ଚିତ୍ତଲ,‌ ଭାଲୁ ଆଦିର ସଂଖ୍ୟା ବହୁତ ବେଶି ରହିଛି। ନିକଟରେ ବିରଳ ପ୍ରଜାତିର ବଳିଆ କୁକୁର ବି ଦୃଶ୍ୟମାନ ହୋଇଥିଲା। ‌ନିକଟରେ ପୁଣି ସମ୍ବଲପୁର ଚିଡ଼ିଆଖାନାରୁ ୧୧୫ଟି ଚିତ୍ତଲ ଡେବ୍ରିଗଡ଼ ଅଭୟାରଣ୍ୟ‌ରେ ଛଡ଼ାଯାଇଛି। 

ଦ୍ବୀପରେ ଅଛନ୍ତି ୭ ପରିବାର:  ଜନବସତିଠାରୁ ଦୂର ପାଣି ଭିତରେ ଦ୍ବୀପରେ ଆଜି ବି ରହୁଛନ୍ତି ଭାସ୍କର ପଟେଲ, ପଙ୍କଜ ଧରୁଆ, ରଞ୍ଜିତ ପଧାନ, ବୃନ୍ଦାବନ ମହାନ୍ତି, କାହ୍ନୁ ଜାଲ, ଶ୍ରୀକାନ୍ତ ପଟେଲ ଏବଂ ବିଜୟ ମହାନ୍ତିଙ୍କ ପରିବାର। ସେମାନେ କହନ୍ତି, ନଦୀବନ୍ଧ ନିର୍ମାଣ ପୂର୍ବରୁ ଯାହାର ଯାହା ପେସା ଥାଉ ନା କାହିଁକି ବର୍ତ୍ତମାନ କିନ୍ତୁ ସମସ୍ତେ ମତ୍ସ୍ୟଜୀବୀ। ଜଳଭଣ୍ଡାରରୁ ମାଛ ମାରି ଚଳୁଛନ୍ତି। ଦ୍ବୀପକୁ ହିଁ ବ୍ୟବସାୟୀ ଆସି ସେମାନଙ୍କଠାରୁ ମାଛ କିଣି ନିଅନ୍ତି। ମାଛ ବଦଳରେ ସେମାନେ ଟଙ୍କା ସହିତ ସଉଦା ଦିଅନ୍ତି। ଅନେକଙ୍କ ପରିବାର ଗାଁରେ ଏବଂ ଏମାନେ ଅସ୍ଥାୟୀ ଘର କରି ଏଠାରେ ରହୁଛନ୍ତି। ବିଜୁଳି ନାହିଁ। ବର୍ତ୍ତମାନ ସୌରବତି ଲାଗିଛି। ଗଛ ଉପରକୁ ଚଢ଼ିଲେ ମୋବାଇଲ୍‌ ନେଟ୍‌ୱର୍କ ଆସେ। ବର୍ଷାରେ କିମ୍ବା ହୀରାକୁଦ ଜଳଭଣ୍ଡାରର ଗେଟ୍‌ ଖୋଲିବା ପରେ ସମ୍ବଲପୁର ସହର ପାଣି ଘେରରେ ରହୁଥିବାବେଳେ ଏହି ଛୋଟ ଦ୍ବୀପକୁ କିନ୍ତୁ ପାଣି ମାଡ଼େ ନାହିଁ।  ହୀରାକୁଦ ଜଳଭଣ୍ଡାରର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା କହିଛନ୍ତି, ହୀରାକୁଦ ଜଳଭଣ୍ଡାରସ୍ଥିତ ଏହି ଦ୍ବୀପଗୁଡ଼ିକ ଜଳଭଣ୍ଡାରଠାରୁ ବେଶ୍ ଉଚ୍ଚରେ ରହିଛି। ତେଣୁ ହୀରାକୁଦ ଜଳଭଣ୍ଡାର ଗେଟ୍‌ ଖୋଲିବା ପରେ ବି ଏଠାକୁ ପାଣି ପଶି ପାରେନାହିଁ। ଏପରିକି ଯଦି କେବେ ମଧ୍ୟ ହୀରାକୁଦ ଜଳଭଣ୍ଡାର ଭାଙ୍ଗେ ତେବେ ମଧ୍ୟ ଏହି ଦ୍ବୀପଗୁଡ଼ିକ ସୁରକ୍ଷିତ ରହିବ। ସେଠିକି ପାଣି ପଶି ପାରିବନାହିଁ।