ଓଡ଼ିଶାରେ ପର୍ଯ୍ୟଟକ ଅସୁରକ୍ଷିତ!

ଭୁବନେଶ୍ୱର : ଓଡ଼ିଶାରେ ପର୍ଯ୍ୟଟକ ସୁରକ୍ଷିତ ନୁହନ୍ତି। ରାଜ୍ୟକୁ ବିଦେଶରୁ ଏବଂ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ ବାରମ୍ବାର ଅସଦାଚରଣ ବା ଲୁଟ୍‌ର ଶିକାର ହେଉଥିଲେ ମଧ୍ୟ ତାହାକୁ ରୋକାଯାଇ ପାରୁନାହିଁ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏକାଧିକ ଯୋଜନା ହେଉଛି। ମାତ୍ର ପର୍ଯ୍ୟଟକ ପୁଲିସ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସଫଳ ଭାବେ କାର୍ଯ୍ୟକାରୀ ହୋଇ ନ ଥିବାବେଳେ ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବାରୁ ତାହାର ପ୍ରଭାବ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଉପରେ ପଡ଼ୁଛି। ଯେଉଁଥିପାଇଁ ୨୦୧୫ରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବହୁ ପରିମାଣରେ ହ୍ରାସ ପାଇଥିଲା। ଗତବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ କିଛିଟା ବୃଦ୍ଧି ହୋଇଥିଲେ ମଧ୍ୟ ଜାତୀୟସ୍ତରୀୟ ହାରଠାରୁ ବହୁ ପଛରେ ରହିଛି ଓଡ଼ିଶା। ଏପରିକି ଯେଉଁ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି, ସେମାନେ କେଉଁଠି ରହୁଛନ୍ତି ଏବଂ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଦିଆଯାଉଛି କି ନାହିଁ ସେ ତଥ୍ୟ ରଖୁନାହିଁ ପର୍ଯ୍ୟଟନ ବିଭାଗ। ଯେଉଁଥିପାଇଁ ଅନେକ ସମୟରେ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜିମ୍‌ ଆଣ୍ଡ ଟ୍ରାଭେଲ୍‌ ମ୍ୟାନେଜ୍‌ମେଣ୍ଟ(ଆଇଆଇଟିଟିଏମ୍‌) ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଓଡ଼ିଶାରେ ପର୍ଯ୍ୟଟକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପର୍ଯ୍ୟଟକଙ୍କୁ ଖରାପ ସେବା ଯୋଗାଇବା ଏବଂ ଠକାମିରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ହୋଇଥିବା ବେଳେ ଚୋରି/ଲୁଟ୍‌ରେ ଦ୍ୱିତୀୟ ଏବଂ ଯୌନ ନିର୍ଯାତନାରେ ତୃତୀୟ ସ୍ଥାନରେ ରହିଛି। ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ୮୬% ପର୍ଯ୍ୟଟକ ଓଡ଼ିଶା ଆସିବାକୁ ଯୋଜନା କରିବା ପୂର୍ବରୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ୨୦% ପର୍ଯ୍ୟଟକ ସୁରକ୍ଷା ପାଇଁ ଶେଷ ମୂହୁର୍ତ୍ତରେ ଗସ୍ତ ବାତିଲ୍‌ କରୁଛନ୍ତି। ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ଅନେକ ପର୍ଯ୍ୟଟକ ନିର୍ଯାତନାର ଶିକାର ହେଉଥିଲେ ମଧ୍ୟ ପୁଲିସର ଦ୍ୱାରସ୍ଥ ହେଉନାହାନ୍ତି କି ଏତଲା ଦେଉନାହାନ୍ତି। ନିଜ ଗସ୍ତକୁ ବ୍ୟାହତ କରିବା ଭୟରେ ପୁଲିସର ଦ୍ୱାରସ୍ଥ ହେଉ ନ ଥିବା ରିପୋର୍ଟରେ କୁହାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୨ରେ ଇଟାଲି ପର୍ଯ୍ୟଟକଙ୍କ ଅପହରଣ ପରେ ବିଶ୍ୱସ୍ତରରେ ବଦନାମ ମୁଣ୍ଡାଇଥିଲା ଓଡ଼ିଶା। ପର୍ଯ୍ୟଟକମାନେ ନିଜକୁ ଅସୁରକ୍ଷିତ ମଣିଥିଲେ। ରାଜ୍ୟ ସରକାର ମଧ୍ୟ ଆଦିବାସୀ ଅଞ୍ଚଳକୁ ବୁଲିଯିବା ଉପରେ କଟକଣା ଲାଗୁ କରିବା ପରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ଦୁଇ ମାସ ତଳେ ରାଜଧାନୀର ଏକ ଠକ ସଂସ୍ଥା ଦ୍ୱାରା ଇଟାଲିର ଏକ ପର୍ଯ୍ୟଟକ ଦମ୍ପତି ଠକାମିର ଶିକାର ହୋଇଥିଲେ। ରହିବା ଲାଗି ଅନ୍‌ଲାଇନ୍‌ରେ ଘର ବୁକିଂ କରିଥିଲେ। ହେଲେ ନିର୍ଧାରିତ ସ୍ଥାନରେ ପହଞ୍ଚିବା ପରେ ଘରର ଅବସ୍ଥା ଦେଖି ଅଧାରୁ ଛାଡ଼ି ପଳାଇ ଆସିଥିଲେ। ଏତେ ସବୁ ଘଟଣା ପରେ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ସେଭଳି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ଏହି ଘଟଣା ମନରୁ ନ ଲିଭୁଣୁ ଦୁଇ ଦିନ ତଳେ ପୁରୀ ଜିଲ୍ଲାର ଅଲାରନାଥଠାରେ ୬ ଜଣ ମାଲେସିଆ ପର୍ଯ୍ୟଟକ ଦୁର୍ବ୍ୟବହାରର ଶିକାର ହେବାରୁ ସେମାନେ ଅଧାରୁ ଓଡ଼ିଶା ଛାଡ଼ି ପଳାଇଛନ୍ତି। ପୁରୀ, ଗୋପାଳପୁର, ଚାନ୍ଦବାଲି ପରି ସମୁଦ୍ରକୂଳରେ ପର୍ଯ୍ୟଟକମାନେ ବାରମ୍ବାର ଲୁଟ୍‌ର ଶିକାର ହେଉଥିଲେ ମଧ୍ୟ ତାହାକୁ ରୋକାଯାଇପାରୁ ନାହିଁ।

ଅନ୍ୟପକ୍ଷରେ ରାଜ୍ୟର କେତେ ସଂଖ୍ୟାରେ ହୋଟେଲ, ଷ୍ଟେ ହୋମ୍‌, ଟୁର ଅପରେଟର ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇ ଦେଉଛନ୍ତି ସେନେଇ ପର୍ଯ୍ୟଟନ ବିଭାଗ ପାଖରେ ଏପର୍ଯ୍ୟନ୍ତ ସଠିକ୍‌ ତଥ୍ୟ ନାହିଁ। ଆନୁମାନିକ ଭାବେ ଯେତିକି ତଥ୍ୟ ଦିଆଯାଉଛି ତା’ଠାରୁ ଅଧିକ ହୋଟେଲ, ଟୁର ଅପରେଟର ବିନା ପଞ୍ଜୀକରଣରେ କାମ କରୁଛନ୍ତି। ଏହା ଉପରେ ରୋକ୍‌ ଲଗାଯାଇପାରୁ ନାହିଁ। ଟୁର ଅପରେଟର କୁଳମଣି ରାଉତଙ୍କ କହିବାନୁଯାୟୀ, ଏପରି ଅନେକ ସଂସ୍ଥା ରହିଛନ୍ତି ଯେଉଁମାନେ ବିନା ପଞ୍ଜୀକରଣରେ ପର୍ଯ୍ୟଟକଙ୍କୁ ବିଭିନ୍ନ ସ୍ଥାନକୁ ବୁଲାଇବାକୁ ନେଉଛନ୍ତି। ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ପର୍ଯ୍ୟଟନ ବିଭାଗ ନିର୍ଦେଶକ ନୀତିନ୍‌ ଭାନୁଦାସ ଜଓ୍ଵାଲେ କହିଛନ୍ତି ଯେ ଇଟାଲି ପର୍ଯ୍ୟଟକ ହଟହଟା ହେବା ଘଟଣା ପଦାକୁ ଆସିବା ପରେ ପଦକ୍ଷେପ ନିଆଯାଉଛି। ଖୁବଶୀଘ୍ର ହୋଟେଲ ଏବଂ ଷ୍ଟେ ହୋମଗୁଡ଼ିକର ପଞ୍ଜୀକରଣ ରେଜିଷ୍ଟେସନ ଅଭିଯାନ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର