ବାଲେଶ୍ବର: ପାଣି ଭିତରେ ବିଳାସପୂର୍ଣ୍ଣ ମିଳିବ କ୍ରୁଜ୍ ଟୁର୍ର ମଜା। ବିଶେଷ କରି ସନ୍ଧ୍ୟା ସମୟରେ ଏହାର ମଜା ନେବେ ପର୍ଯ୍ୟଟକ ଓ ବାଲେଶ୍ବରବାସୀ। ଏହି କ୍ରୁଜ୍ରେ ରହିବା, ଖାଇବା ସହିତ ପ୍ରାକୃତିକ ଦୃଶ୍ୟକୁ ମନଭରି ଉପଭୋଗ କରିବେ ପର୍ଯ୍ୟଟକ। ରାତ୍ରିଯାପନର ସୁବିଧା ସହିତ ବିଭିନ୍ନ ଉତ୍ସବ ମନାଇବାର ମଧ୍ୟ ସୁବିଧା ରହିଛି। ପ୍ରଥମ ଥର ପାଇଁ ବାଲେଶ୍ବରରେ ଏଭଳି ଏକ ନିଆରା ପଦକ୍ଷେପ ନେଇଛନ୍ତି ଯୁବ ବ୍ୟବସାୟୀ ତଥା ଚଳଚ୍ଚିତ୍ର ଅଭିନେତା ଡାକ୍ତର ଦେବବ୍ରତ ପ୍ରଧାନ।
ରବିବାର ଅପରାହ୍ଣରେ ବୁଢ଼ାବଳଙ୍ଗ ନଦୀର ବାଲିଘାଟ ନିକଟରେ ଏହି ସୁସଜ୍ଜିତ ବିଳାସପୂର୍ଣ୍ଣ କ୍ରୁଜ୍ର ଶୁଭ ଉଦ୍ଘାଟନ କରାଯାଇଥିଲା। ଏଣିକି ପ୍ରତିଦିନ ଅପରାହ୍ଣ ୪ଟାରେ ବାଲିଘାଟ ଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ନେଇ ନଦୀ ଭିତରେ ୩ ଘଣ୍ଟା ରହଣି ପରେ ପୁଣି ଘାଟକୁ ଫେରିବ। ଏଥିରେ ଜଣେ ଲୋକ ପାଇଁ ୫ ଶହ ଟଙ୍କା ଭଡ଼ା ରହିଛି। ଯେଉଁଥିରେ ପର୍ଯ୍ୟଟକଙ୍କ ପାଇଁ ଥଣ୍ଡା ପାନୀୟ ସହିତ ଖାଇବାର ସୁବିଧା ମଧ୍ୟ ରହିଛି। ସେହିପରି ୨୪ ଘଣ୍ଟା ରୁମ୍ ବୁକିଂ ପାଇଁ ୫ ହଜାର ଟଙ୍କା ଏବଂ ଏଥିରେ ପାର୍ଟିର ଆୟୋଜନ କରିବାକୁ ଚାହିଁଲେ ୩ ଘଣ୍ଟା ପାଇଁ ୨୫ ହଜାର ଟଙ୍କା ଭଡ଼ା ରହିଛି। ଏଥିରେ ୫୦ ଜଣଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ୬ଟି ରୁମ୍ ରହିଥିବା ବେଳେ ପ୍ରତି ରୁମ୍ ସହିତ ଶୌଚାଳୟର ବ୍ୟବସ୍ଥା ରହିଛି। ଏହି କ୍ରୁଜ୍କୁ ତିଆରି କରିବା ପାଇଁ ବଳରାମଗଡ଼ିର ୧୫ ଜଣ କାରିଗର ବର୍ଷେ ହେଲା କାମରେ ଲାଗିଥିଲେ। ଇନ୍ ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଠାରୁ ଅନୁମତି ନେଇ ଦେବବ୍ରତ ଏହି କ୍ରୁଜ୍ ସେବା ଆରମ୍ଭ କରିଛନ୍ତି।
ଏହାକୁ ତିଆରି କରିବା ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଦେବବ୍ରତ ଜଣେ ସଫଳ ବ୍ୟବସାୟୀ ସହିତ ଚଳଚ୍ଚିତ୍ର ‘ପ୍ରେମ ତୋର ନଟି ନଟି’ ରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରିଛନ୍ତି। ଦେବବ୍ରତ କହିଛନ୍ତି, ବାଲିଘାଟରୁ ଲୋକଙ୍କୁ ନେବା ଓ ଆଣିବା ପାଇଁ ସ୍ବତନ୍ତ୍ର ପାହାଚର ବ୍ୟବସ୍ଥା ନାହିଁ। ଏବେ ବାଉଁଶ ପୋଲ ତିଆରି କରି ଯାତାୟାତର ସୁବିଧା କରାଯାଇଛି। ପାହାଚର ସୁବିଧା ହେଲେ ଆହୁରି ଭଲ ହୋଇପାରନ୍ତା। ପର୍ଯ୍ୟଟକଙ୍କ ଚାହିଦା ବଢ଼ିଲେ ଆଗାମୀ ଦିନରେ ଏହି କ୍ରୁଜ୍ ଟୁର୍କୁ ପୁରୀ ପର୍ଯ୍ୟନ୍ତ ନିଆଯିବ ବୋଲି ସେ କହିଛନ୍ତି।
ଆଜି ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ, ବାସ୍ତୁବିତ୍ ପଣ୍ଡିତ ମନ୍ମଥ ମିଶ୍ର, ସ୍ଥାନୀୟ କାଉନ୍ସିଲର ମୀନା ମହାନ୍ତି, କାଉନସିଲର ଅନିନ୍ଦେୟ ପଣ୍ଡା, ସଂଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଦେବାଶିଷ ମଲ୍ଲିକ, ହେମନ୍ତ ରାଜ, ଶୁଭଙ୍କର ପିରୀ, କାର୍ତ୍ତିକ ଭଟ୍ଟାଚାର୍ଯ୍ୟ, ନମିତା ବେହେରା, ସତ୍ୟଜିତ ପରିଡ଼ା, ସନ୍ତୋଷ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଲୋକଙ୍କ ମନୋରଂଜନ ପାଇଁ ଏଭଳି ପ୍ରୟାସ ସ୍ବାଗତଯୋଗ୍ୟ ବୋଲି ମତପ୍ରକାଶ ପାଇଥିଲା।