ଅଧିକ ପ୍ରକୃତି ପର୍ଯ୍ୟଟନ କ୍ଷେତ୍ର ବିକାଶ ଉପରେ ସରକାରଙ୍କ ଗୁରୁତ୍ବ : ବର୍ଷସାରା ପର୍ଯ୍ୟଟକଙ୍କୁ ମିଳିବ ପ୍ରକୃତି ପର୍ଯ୍ୟଟନର ଆନନ୍ଦ

ଭୁବନେଶ୍ବର : ଇକୋ ରିଟ୍ରିଟ୍‌ର ସଫଳତା ପରେ ରାଜ୍ୟରେ ଅଧିକରୁ ଅଧିକ ପ୍ରକୃତି ପର୍ଯ୍ୟଟନର ବିକାଶ ପାଇଁ ସରକାର ଗୁରୁତ୍ବ ଦେଇଛନ୍ତି। ଏଣିକି ବର୍ଷସାରା ପର୍ଯ୍ୟଟକମାନଙ୍କୁ କିପରି ପ୍ରକୃତି ପର୍ଯ୍ୟଟନର ଆନନ୍ଦ ମିଳିବ ସେ ନେଇ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ପ୍ରାକୃତିକ ସମ୍ପଦ ଭରା ଓଡ଼ିଶାରେ ପ୍ରକୃତି ପର୍ଯ୍ୟଟନ ପାଇଁ ଯଥେଷ୍ଟ ସୁଯୋଗ ରହିଛି। ସେଥିପାଇଁ ବିଭିନ୍ନ ସ୍ଥାନର ଚିହ୍ନଟ ଓ ବିକାଶ କରିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ପର୍ଯ୍ୟଟନ, ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଘରୋଇ ପୁଞ୍ଜିନିବେଶର ସାହାରା ନେବାକୁ ମଧ୍ୟ ସରକାର ସ୍ଥିର କରିଛନ୍ତି।

ପର୍ଯ୍ୟଟନ କ୍ଷେତ୍ରର ସମୀକ୍ଷା କରିବା ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି, ବିଭିନ୍ନ ପ୍ରାକୃତିକ ସ୍ଥଳ ଚିହ୍ନଟ କରାଯାଇ ସେସବୁ ସ୍ଥାନରେ ଇକୋ ରିଟ୍ରିଟ୍‌, ପ୍ରକୃତି କ୍ୟାମ୍ପ୍‌, ଦିନବେଳା ବୁଲିବା ବ୍ୟବସ୍ଥା, ନଦୀରେ କ୍ରୁଜ୍‌ ବ୍ୟବସ୍ଥା, ବୋଟିଂ ସୁବିଧା, ଜଙ୍ଗଲ ସଫାରି, ବନ୍ୟଜନ୍ତୁ ଦେଖିବା ପାଇଁ ଟାୱାର ବ୍ୟବସ୍ଥା କରାଯିବ। ବର୍ଷତମାମ ପ୍ରକୃତି ପର୍ଯ୍ୟଟନ ପାଇଁ ଚିହ୍ନଟ କରାଯାଇଥିବା କେତେକ ସ୍ଥାନକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଓ ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ବୈଠକରେ ଉପସ୍ଥାପନା କରିଥିଲେ। ଶ୍ରୀ ମହାପାତ୍ର କହିଛନ୍ତି, ପ୍ରକୃତି ପର୍ଯ୍ୟଟନ ଏବେ କେବଳ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିନାହିଁ। ବହୁ ଘରୋଇ ପର୍ଯ୍ୟଟକମାନେ ବି ଏହାର ଆନନ୍ଦ ନେବାକୁ ଓଡ଼ିଶା ଆସୁଛନ୍ତି। ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ, ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ରୋଜଗାର ସୁବିଧା ମିଳିପାରିବ। ତାଳସରି, କୋଣାର୍କ, ସାତପଡ଼ା, ଚାନ୍ଦିପୁର, ଦେବ୍ରିଗଡ଼, ଭିତରକନିକା, ଶିମିଳିପାଳ, ଦାରିଙ୍ଗିବାଡ଼ି, ଅସ୍ତରଙ୍ଗ, ସାତକୋଶିଆ ଗଣ୍ଡ, ଟିକରପଡ଼ା, ହୀରାକୁଦ, ଚିଲିକା ଓ ନଳବଣରେ ଏପରି ସୁବିଧାର ବିକାଶ କରିବା ଉପରେ ବୈଠକରେ ଆଲୋଚନା ହୋଇଛି। ଜଙ୍ଗଲ ଅଞ୍ଚଳ ଭିତରେ ପର୍ଯ୍ୟଟନ ପାଇଁ ସ୍ଥାନ ଚିହ୍ନଟ, ଡ୍ୟାମ୍‌, ବୋଟିଂ ପାଇଁ ନଦୀ, ଜଳକ୍ରୀଡ଼ା ସ୍ଥାନ, ହାଉସବୋଟ୍ ପାଇଁ ବ୍ୟବସ୍ଥା କରାଯିବ। ଉପଯୁକ୍ତ ପ୍ରକୃତି ପର୍ଯ୍ୟଟନ ସ୍ଥଳର ଚିହ୍ନଟ ହେବା ପରେ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ଇଡକୋକୁ ପ୍ରସ୍ତାବ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୋଟରେ ଡିଜେଲ ମଟର ବଦଳରେ ସିଏନ୍‌ଜି ମଟର ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ଶେଷସୁଦ୍ଧା ଜଙ୍ଗଲ ଓ ପରିବେଶ ବିଭାଗ ୩୦ରୁ ୪୦ଟି ପ୍ରକୃତି ପର୍ଯ୍ୟଟନ ସ୍ଥଳ ଚିହ୍ନଟ କରି ସେସବୁର ବିକାଶ କରିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ବୈଠକରେ ସୂଚନା ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ନନ୍ଦ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର