ଇକୋ ଟୁରିଜିମ୍‌ ସ୍ଥଳରେ ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ବିକାଶ ପାଇଁ ସରକାରଙ୍କ ଯୋଜନା : ପର୍ଯ୍ୟଟକଙ୍କୁ ମିଳିବ ହୋମ୍‌ ଷ୍ଟେ ସୁବିଧା

ଆସନ୍ତା ଆର୍ଥିକ ବର୍ଷରୁ ୧୦ ବର୍ଷ ପାଇଁ ସରକାର ଯୋଗାଇଦେବେ ସହାୟତା

ଭୁବନେଶ୍ୱର : ଓଡ଼ିଶାର ପ୍ରାକୃତିକ ପରିବେଶରେ ରହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଦେଶ ବିଦେଶର ପର୍ଯ୍ୟଟକମାନେ ଆଗ୍ରହୀ। ଏଣିକି ଇକୋ ଟୁରିଜିମ୍‌ କିମ୍ବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ଯେଉଁଠି କି ହୋଟେଲ ସୁବିଧା ନାହିଁ ସେଠାରେ ପର୍ଯ୍ୟଟକମାନଙ୍କୁ ଗାଁ ପରିବେଶରେ ରହିବା ପାଇଁ ସୁବିଧା ମିଳିବ। ଖାଲିସେତିକି ନୁହେଁ, ପର୍ଯ୍ୟଟନସ୍ଥଳୀ ଆଖପାଖ ଅଞ୍ଚଳରେ ଥିବା ସ୍ଥାନୀୟବାସିନ୍ଦାଙ୍କ ଅର୍ଥନୈତିକ ବିକାଶ ପାଇଁ ପର୍ଯ୍ୟଟକମାନଙ୍କୁ ହୋମ୍‌ ଷ୍ଟେ ସୁବିଧା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପର୍ଯ୍ୟଟନର ବିକାଶ ପାଇଁ ଆସନ୍ତା ଆର୍ଥିକ ବର୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୨୦୨୧-୨୨ ବର୍ଷରୁ ଆସନ୍ତା ୧୦ ବର୍ଷ ପାଇଁ ସରକାର ପର୍ଯ୍ୟଟନ ସ୍ଥଳୀ ଅଞ୍ଚଳରେ ହୋମ୍‌ ଷ୍ଟେ ସୁବିଧା ଯୋଗାଇଦେଉଥିବା ଘରମାଲିକମାନଙ୍କୁ ପ୍ରଶିକ୍ଷଣ ଓ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସ୍ଥିର କରାଯାଇଛି।

ସୋମବାର ଲୋକସେବା ଭବନରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଳ ଦେବ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ରତ୍ନଗିରି-ଉଦୟଗିରି-ଲଳିତଗିରିର ହୀରକ ତ୍ରିଭୁଜ ବୌଦ୍ଧ ସର୍କିଟ୍‌, କୋରାପୁଟର ଅନକାଡେଲ୍ଲି, ଖୋଲ, ଗୁପ୍ତି, ଡାଙ୍ଗମାଳ, କେନ୍ଦ୍ରାପଡ଼ାର ଭିତରକନିକା ଜାତୀୟ ଉଦ୍ୟାନ, କନ୍ଧମାଳର ଦାରିଙ୍ଗିବାଡ଼ି ଓ ବେଲଘର, ମୟୂରଭଞ୍ଜର ଶିମିଳିପାଳ ଓ ପିଠାବଟ, ଅନୁଗୁଳର ଟିକରପଡ଼ା ଓ ସାତକୋଶିଆ, ଖୋର୍ଦ୍ଧାର ମଙ୍ଗଳାଯୋଡ଼ି ଓ ଚିଲିକା, ବରଗଡ଼ ଜିଲ୍ଲାର ଧୋଦ୍ରୁକୁସୁମ ଏବଂ ସମ୍ବଲପୁର ଜିଲ୍ଲା ହୀରାକୁଦର ଜିରୋ ପଏଣ୍ଟ୍‌କୁ ଚିହ୍ନଟ କରାଯାଇଛି। ଏହିସବୁ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ପ୍ରାୟ ୮୦ଟି ହୋମ୍‌ ଷ୍ଟେ ବ୍ୟବସ୍ଥା ପାଇଁ ସରକାର ପ୍ରତିବର୍ଷ ଆର୍ଥିକ ସହାୟତା ଯୋଗାଇଦେବେ। ହୋମ୍‌ ଷ୍ଟେ ବ୍ୟବସ୍ଥା ଯୋଗାଇବାକୁ ଥିବା ଘର ମାଲିକ ପର୍ଯ୍ୟଟକମାନଙ୍କ ପାଇଁ ଗୋଟିଏ ବଖରାରୁ ୬ଟି ବଖରା ଭଡ଼ା ଦେଇପାରିବେ। ଘର ମାଲିକମାନେ ପର୍ଯ୍ୟଟକମାନଙ୍କୁ ନିଜର ଅତିଥି ଭଳି ବ୍ୟବହାର କରିବା ସହିତ ସେମାନଙ୍କ ପାଇଁ ସର୍ବାଧିକ ୧୨ଟି ଶଯ୍ୟାର ବ୍ୟବସ୍ଥା କରିପାରିବେ। ଦୁଇ ଜଣ ରହିବା ଭଳି ପ୍ରତ୍ୟେକ ବଖରା ଅନ୍ୟୂନ ୧୨୦ ବର୍ଗ ଫୁଟର ହୋଇଥିବ। ଅତିଥିମାନଙ୍କ ପାଇଁ ରହଣି ସ୍ଥଳରେ ସଂଲଗ୍ନ ହୋଇ ଗାଧୁଆଘର ଓ ପାଇଖାନା ସୁବିଧା ରହିବ। ପଙ୍ଖା, ଏୟାରକୁଲର୍‌, ରୋଷେଇ ଘର, ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ବ୍ୟବସ୍ଥା, କୀଟନାଶକ, ଆଶୁ ଚିକିତ୍ସା ଆଦି ହୋମ୍‌ ଷ୍ଟେ ବ୍ୟବସ୍ଥାରେ ଯୋଗାଇ ଦିଆଯିବ। ଏସବୁ ସୁବିଧା ଯୋଗାଇବା ପାଇଁ ଆବଶ୍ୟକ ପଡ଼ିଲେ ଜଣେ ଲେଖାଏଁ ଘର ମାଲିକଙ୍କୁ ଏକକାଳୀନ ଆର୍ଥିକ ସହାୟତା ଯୋଗାଇଦିଆଯିବ। ପର୍ଯ୍ୟଟକମାନଙ୍କ ଠାରୁ ଘରଭଡ଼ା, ଖାଦ୍ୟ ଓ ରହଣି ସୁବିଧା ବାବଦରେ ମିଳିବା ଅର୍ଥକୁ ହୋମ୍‌ ଷ୍ଟେ ସୁବିଧା ଯୋଗାଇଥିବା ମାଲିକମାନେ ସରକାରଙ୍କୁ ଦେବାକୁ ପଡ଼ିବ ନାହିଁ। ଚିହ୍ନଟ ହୋଇଥିବା ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ହୋମ୍‌ ଷ୍ଟେ ସୁବିଧା ଯୋଗାଇବା ପାଇଁ ଆଗ୍ରହୀ ଘରମାଲିକମାନଙ୍କୁ ତାଲିକାଭୁକ୍ତ କରିବା ସହିତ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇ କହିଛନ୍ତି, ହୋମ ଷ୍ଟେ ସୁବିଧା ଯୋଗାଉଥିବା ସେବା ପ୍ରଦାନକାରୀ ବ୍ୟକ୍ତି ପର୍ଯ୍ୟଟକମାନଙ୍କୁ ଗୁଣାତ୍ମକ ଆତିଥେୟତା, ସ୍ବାସ୍ଥ୍ୟପ୍ରଦ ପରିବେଶ ଓ ନିରାପତ୍ତା ଯୋଗାଇବା ପାଇଁ ଦାୟୀ ରହିବେ। ଏଥିପାଇଁ ସମ୍ପୃକ୍ତ ଗାଁ ବା ରହଣି ସ୍ଥଳର ଭିତ୍ତିଭୂମି ବିକାଶା ପାଇଁ ସରକାର ଅର୍ଥ ଖର୍ଚ୍ଚ କରିବେ। ଏହି ସୁବିଧା ବିକାଶ ହେବା ପରେ ଗ୍ଲୋବାଲ୍‌ ଅନ୍‌ଲାଇନ୍‌ ପର୍ଯ୍ୟଟନ ସଂସ୍ଥା ତଥା ଏୟାର୍‌ବିଏନ୍‌ବି, ଓୟୋ, ମେକ୍‌ ମାଇଁ ଟ୍ରିପ୍ ଆଦି ସହିତ ଓଡ଼ିଶା ପର୍ଯ୍ୟଟନକୁ ସଂଯୋଗ କରାଯିବ। ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇ କହିଛନ୍ତି, ବର୍ତ୍ତମାନ ମଙ୍ଗଳାଯୋଡ଼ି ଓ ଡାଙ୍ଗମାଳରେ ମିଳୁଥିବା ଏହି ହୋମ୍‌ ଷ୍ଟେ ବ୍ୟବସ୍ଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିଛି। ଆଗକୁ ଅନ୍ୟ ଇକୋ ଟୁରିଜିମ୍‌ ପର୍ଯ୍ୟଟନ ସ୍ଥଳୀରେ ଏପରି ବ୍ୟବସ୍ଥା କରାଗଲେ ରାଜ୍ୟ ପର୍ଯ୍ୟଟନର ବିକାଶ ହେବା ସହ ସ୍ଥାନୀୟ ଲୋକମାନଙ୍କ ଆର୍ଥିକ ଉନ୍ନତି ହୋଇପାରିବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପିସିସିଏଫ୍‌(ବନ୍ୟଜନ୍ତୁ) ହରି ଶଙ୍କର ଉପାଧ୍ୟାୟ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର