ଭୁବନେଶ୍ୱର : ଦୁଇ ଦିନିଆ ଏଗ୍ରି ବିକାଶ କର୍ମଶାଳା ଆସନ୍ତାକାଲି ଭୁବନେଶ୍ୱରରେ ଆରମ୍ଭ ହେଉଛି। ଏହି କର୍ମଶାଳା ଓଡ଼ିଆ ଚାଷୀଙ୍କ କୃଷି ଉତ୍ପାଦନ ପାଇଁ ବଜାର ସୃଷ୍ଟି କରିବାରେ ରାସ୍ତା ଖୋଜିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱରରେ ପହଞ୍ଚିଲା ପରେ ଗଣମାଧ୍ୟମକୁ କହିଛନ୍ତି, ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଅଧୀନସ୍ଥ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚର୍ ମାର୍କେଟିଂ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ଓଡ଼ିଆ ଚାଷୀଙ୍କ ଉତ୍ପାଦନକୁ ରାଜ୍ୟ, ଦେଶ ତଥା ବିଦେଶରେ ବିକ୍ରି ପାଇଁ କିପରି ସୁଯୋଗ ତିଆରି କରାଯାଇପାରିବ, ସେ ସମ୍ବନ୍ଧରେ ଆଲୋଚନା ହେବ। ସେଥି ପାଇଁ କୃଷି ସହ ସଂପୃକ୍ତ ବିଶେଷଜ୍ଞମାନଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆୟୁଷ୍ମାନ ଯୋଜନାକୁ ଆଇଏମ୍ଏର ସମାଲୋଚନା ଓ ବିଜେଡିର ପ୍ରତିକ୍ରିିୟା ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ କହିଛନ୍ତି, କମ୍ ଅର୍ଥରେ ଚିକିତ୍ସା ପାଇଁ ଭାରତ ସରକାର କାହିଁକି ସୁପାରିସ୍ କରିଛନ୍ତି ବୋଲି ଆଇଏମ୍ଏ ସମାଲୋଚନା କରିଛି। ଗରିବ ଲୋକଙ୍କୁ କମ୍ ପଇସାରେ ସ୍ୱାସ୍ଥ୍ୟ ସେବା ଦେବାକୁ ବିରୋଧ କରି ଡାକ୍ତରଙ୍କ ଫିସ୍ ବଢ଼ାଇବାକୁ ବିଜେଡି ଚାହୁଁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମହିଳାଙ୍କ ସ୍ୱାସ୍ଥ୍ୟ ସେବାକୁ ପାଞ୍ଚ ଲକ୍ଷ ଟଙ୍କାରୁ ସାତ ଲକ୍ଷ ଟଙ୍କାକୁ ବୃଦ୍ଧିକୁ କଟାକ୍ଷ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଯାହା ଦିଆଯାଉଛି, ତାହା ସେ ପଢ଼ୁଛନ୍ତି। ସେ କ’ଣ ଘୋଷଣା କରୁଛନ୍ତି ନିଜେ ଜାଣିଛନ୍ତି କି ?
ଆଜି ବିମାନବନ୍ଦରରେ ଶ୍ରୀ ପ୍ରଧାନ ପହଞ୍ଚିଲା ପରେ ଯାଜପୁର ଜିଲ୍ଲାର ଶତାଧିକ ଲୋକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଭୂତଳ ତୈଳ ଭଣ୍ଡାର ଓ ଯାଜପୁରରେ ମେଡିକାଲ କଲେଜ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରିପ୍ରେକ୍ଷୀରେ ଏହି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।