କନ୍ଧମାଳରେ ପୁଣି ଏନ୍‌କାଉଣ୍ଟର୍‌,୨ ମାଓବ‌ାଦୀ ମୃତ

ଫୁଲବାଣୀ/ଭୁବନେଶ୍ୱର : କନ୍ଧମାଳ ଜିଲ୍ଲାରେ ଆଜି ସନ୍ଧ୍ୟାରେ ପୁଲିସ ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ଘଟିଛି। ଏହି ସଂଘର୍ଷରେ ପୁଲିସ ଗୁଳିରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଇନ୍‌ସାସ୍‌ ରାଇଫଲ, ଦେଶୀ ବନ୍ଧୁକ, ୨ଟି କାର୍ବାଇନ୍ ଓ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଗତ ୨୦ ଦିନ ଭିତରେ ଏହା କନ୍ଧମାଳ ପୁଲିସର ତୃତୀୟ ସଫଳତା। ଏନ୍‌କାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ପୁଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ ଟୁଇଟ୍‌ କରି ଜଣାଇଛନ୍ତି ଏବଂ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଆଉ ଜଣେ ମହିଳା ବୋଲି ଜଣାପଡ଼ିଛି। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି। ପୁଲିସ ଓ ମାଓବାଦୀ ଗୁଳି ବିନିମୟରେ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀ ନିହତ ହୋଇଛନ୍ତି। ପୁଲିସ ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ କରିଥିବା କନ୍ଧମାଳ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ଜଣାଯାଇଛି। ଏହି ଘଟଣା ପରେ ଅନୁଧ୍ୟାନ ପାଇଁ କନ୍ଧମାଳ ଏସ୍‌ପି ବିନୀତ୍‌ ଅଗ୍ରୱାଲ୍‌ ଘଟଣାସ୍ଥଳକୁ ଯାଇଥିବା ଜଣାପଡ଼ିଛି।

ଆଜି ସନ୍ଧ୍ୟାରେ ଭୁବନେଶ୍ବର ପୁଲିସ ସେବା ଭବନରେ ଡିଜି ଶ୍ରୀ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ରାଜ୍ୟରୁ ମାଓବାଦୀ ମୁଳପୋଛ ପାଇଁ ଯେଉଁ ମିସନ୍ ଆରମ୍ଭ ହୋଇଛି, ଏହା ତା’ର ଅନ୍ୟତମ ସଫଳତା। ଏହି ଉଦ୍ୟମ ଆଗକୁ ଅବ୍ୟାହତ ରହିବ। ଆମେ ଏବେ ବି ମାଓବାଦୀମାନଙ୍କୁ ଆହ୍ବାନ ଦେଉଛୁ, ସେମାନେ ଅସ୍ତ୍ର ଛାଡ଼ି ମୁଖ୍ୟ ଧାରାକୁ ଆସନ୍ତୁ ଏବଂ ଆତ୍ମସମର୍ପଣ କରି ସରକାରୀ ସହାୟତାର ସୁଯୋଗ ନିଅନ୍ତୁ।

ଗତ ୪ ଓ ୬ ତାରିଖରେ ସିର୍ଲା ଜଙ୍ଗଲରେ ଘଟିଥିବା ଏନ୍‌କାଉଣ୍ଟରରେ ପୁଲିସ ଗୁଳିରେ ୫ ଜଣ ମାଓବାଦୀ ନିହତ ହୋଇଥିଲେ। ପୁଣି ସେହି ସିର୍ଲା ପଞ୍ଚାୟତର ସପେଲି ଜଙ୍ଗଲ ଇଲାକାରେ ଏକ ମାଓବାଦୀ ପଲଟଣ ଲୁଚିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଆଜି ସନ୍ଧ୍ୟାରେ ଉକ୍ତ ଜଙ୍ଗଲରେ ଏସ୍‌ଓଜି ଓ ଡିଭିଏଫ୍‌ ଯବାନ କମ୍ବିଂ ଅପରେସନ୍‌ ଚଳାଇଥିଲେ। ଏହି ସମୟରେ ପ୍ରଥମେ ମାଓବାଦୀଙ୍କ ଆଡ଼ୁ ଗୁଳିମାଡ଼ ହୋଇଥିଲା। ନିଜର ସୁରକ୍ଷା ପାଇଁ ପୁଲିସ ଲଗାତାର ଗୁଳିମାଡ଼ କରିଥିଲା। ଛତ୍ରଭଙ୍ଗ ଦେଇ ମାଓବାଦୀ ସେଠାରୁ ପଳାଇ ଯାଇଥିଲେ। ଅନ୍ଧାରରେ ସଂପୃକ୍ତ ଇଲାକାରେ ସର୍ଚ୍ଚ ଅପରେସନ୍‌ ପରେ ୨ ଜଣ ମାଓବାଦୀଙ୍କ ମୃତଦେହ ମିଳିଥିଲା।

ସମ୍ବନ୍ଧିତ ଖବର