ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ବର୍ଷର ଶିଶୁକୁ ହତ୍ୟା, ୨ ହତ୍ୟାକାରୀ ଗିରଫ

ମାଲକାନଗିରି: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ବର୍ଷର ନିଷ୍ପାପ ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁ ପୁତ୍ରର ନାମ ସୁରଜ ଖରା। ଶିଶୁ ହତ୍ୟା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ କର୍ତ୍ତନପାଲୀ ପଞ୍ଚାୟତର କୋପରା ନିବାସୀ ପିତବାସ ଖରା ଏବଂ ତାଂକର ପତ୍ନୀ ରଇଲା ଖରାଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ। ଏମାନେ କୁଲି କାମ କରି ପେଟ ପୋଷନ୍ତି। ତେବେ ଗତ ୬ ମାସ ତଳେ ତାଂକର ସଂପର୍କୀୟ ସାନ ଦାଦାଙ୍କ ସହ ଝଗଡା ହୋଇଥିଲା। କିନ୍ତୁ କିଛି ଦିନ ପରେ ପୁଣି ସେମାନେ ମିଳାମିଶା କରିଥିଲେ।

ସବୁ ଠିକଠାକ ଚାଲିଥିଲା। କିନ୍ତୁ ଅଚାନକ ସାନଦାଦା ଡମୁ ବାରିକ ଏବଂ କୁମୁଟି ବାରିକ ଦୁହେଁ ପିତବାସର ଘରକୁ ଆସିଥିଲେ। ଏହି ସମୟରେ ପିତବାସ ଏବଂ ରଇଲା କାମ କରିବାକୁ ବାହାରକୁ ଯାଇଥିଲେ। ଘରେ ଦୁଇ ବର୍ଷର ପୁଅ ସୂରଜ ସହ ତାର ମାଉସୀକୁ ଛାଡି ଯାଇଥିଲେ। ମାଉସୀ ସୂରଜକୁ ଏକ ମକା ଖାଇବାକୁ ଦେଇ ପାଖ ନଳକୂପକୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଡମୁ ଏବଂ କୁମୁଟି ଘରେ ପଶି କାହାକୁ ନପାଇ ଦୁଇ ବର୍ଷର ଶିଖୁ ମକା ଖାଉଥିବା ଦେଖି ରାଗିଯାଇଥିଲେ। ସୂରଜ ଉପରେ ଦୁହେଁ ଟାଙ୍ଗିଆରେ ୧୦ ଚୋଟ ପକାଇଥିଲେ। ଅତି ନିର୍ମମ ଭାବେ ଶିଶୁକୁ ହତ୍ୟା କରିଥିଲେ।

ସୂରଜର ଚିତ୍କାର ଶୁଣି ତାର ମାଉସୀ ଦୌଡି ଆସି ଦେଖିଲା ବେଳକୁ ତାଂକ ଘରୁ ଦୁହେଁ ଦୌଡି ପଳାଉଥିଲେ। ପରେ ବାପା ପିତବାସ ଏବଂ ରଇଲାକୁ ଖବର ଦିଆଯାଇଥିଲା। ଦୁହେଁ ଆସି ଦେଖିଲା ବେଳକୁ ସୂରଜର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ମାଥିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୂରଜର ଶବକୁ ଉଦ୍ଧାର କରିବା ସହ ହତ୍ୟାକାରୀ ଡମୁ ଏବଂ କୁମୁଟିକୁ ଗିରଫ କରିଛି। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶିଶୁକୁ ବଳି ପକାଇବା କେତେ ଦୁର ଯୁକ୍ତିଯୁକ୍ତ ହେବା ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି।

ସମ୍ବନ୍ଧିତ ଖବର