କଟକ : ଟାୱାର ଇନଫୋଟେକ୍‌ ଲିମଟେଡ୍‌ ଓ ଟାଓ୍ଵାର ଗ୍ରୁପ୍‌ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ରାମେନ୍ଦୁ ଚଟ୍ଟୋପାଧ୍ୟାୟ ଓ ନିର୍ଦ୍ଦେଶକ ଆଶିଷ ଚାଟାର୍ଜୀଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟଙ୍କ ପୃଥକ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ଶ୍ରୀ ଚଟ୍ଟୋପାଧ୍ୟାୟ ଜାମିନରେ ଛାଡ ପାଇବା ପାଇଁ ୫୦ ଲକ୍ଷ ଟଙ୍କା କମ୍ବା ସମାନ ମୂଲ୍ୟର ସଂପତ୍ତି ନିମ୍ନ ଅଦାଲତରେ ଜମା ଦେବେ ଓ ପାସପୋର୍ଟ ଦାଖଲ କରିବେ ବୋଲି ସର୍ତ୍ତାରୋପ କରାଯାଇଛି। ସେହିଭଳି ଟାଓ୍ଵାର ସଂସ୍ଥା ନିର୍ଦ୍ଦେଶକ ଶ୍ରୀ ଚାଟାର୍ଜୀଙ୍କୁ ୪ ଲକ୍ଷ ଟଙ୍କା ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଛାଡିବା ପାଇଁ ସ୍ୱତନ୍ତ୍ର ସିବିଆଇ ଅଦାଲତକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଚଟ୍ଟୋପାଧ୍ୟାୟଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ଏବଂ ଶ୍ରୀ ଚାଟାର୍ଜୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କୁମାର କାନୁନଗୋ ଓ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଥିଲେ।