ହଟିବ ଗ୍ରାମବାସୀଙ୍କ ଦୁଃଖ: ଜଙ୍ଗଲ ପରିବେଷ୍ଟିତ ଗାଁ’ରେ ନିର୍ମାଣ ହେବ ଟାୱାର

ବିଶୋଇ/ବିଶୋଇ-୧: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ଅଞ୍ଚଳରେ ମୋବାଇଲ୍‌ ନେଟ୍‌ୱର୍କ ସମସ୍ୟା ଉତ୍କଟ ଥିଲା। ତେବେ ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁଙ୍କ ପ୍ରଚେଷ୍ଟା ଯୋଗୁ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ବ୍ଲକ୍‌ ଅଧୀନ ଗୋଟିଏ ପଞ୍ଚାୟତରେ ନୂଆ ଟାୱାର ଏବଂ ଅନ୍ୟ ଏକ ପଞ୍ଚାୟତରେ ପୂର୍ବରୁ ଥିବା ଟାୱାରର ନବୀକରଣ କରାଯିବ ବୋଲି ଜଣାପଡ଼ିଛି।

ବିଶୋଇ ବ୍ଲକ୍‌ର ୧୩ଟି ପଞ୍ଚାୟତରେ ୧୫୦ରୁ ଅଧିକ ଗ୍ରାମ ରହିଛି। ଏନ୍‌ବି ପୋଖରିଆ, ଜୁଡ଼ିଆ ଓ ବାଉତିବେଡ଼ା ପଞ୍ଚାୟତର ୫୦ରୁ ଅଧିକ ଗ୍ରାମରେ ମୋବାଇଲ୍‌ ନେଟ୍‌ୱର୍କ ସମସ୍ୟା ଲାଗି ରହିଛି। ଫଳରେ ଏହି ଅଞ୍ଚଳର ଲୋକ ନାନା ହଇରାଣ ହେଉଛନ୍ତି। କରୋନା ସମୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ସମସ୍ୟା ବାବଦରେ ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ। ଯାହାକୁ ମନ୍ତ୍ରୀ ଗୁରୁତର ଭାବେ ନେବା ସହ ଦୂରସଞ୍ଚାର ବିଭାଗର ମହାନିର୍ଦେଶକଙ୍କୁ ସ୍ଥିତି ଯାଞ୍ଚ ପାଇଁ ନିର୍ଦେଶ ଦେଇଥିଲେ। ଦୂରସଞ୍ଚାର ମହାନିର୍ଦ୍ଦେଶକ ନିଜାମୁଲ ହକ୍‌ଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀଙ୍କ ଏକ ଟିମ୍‌ ସ୍ଥିତି ତର୍ଜମା ପରେ ଏନ୍‌ବି ପୋଖରିଆ ପଞ୍ଚାୟତର ରଙ୍ଗାମିଆଟିଆରେ ନୂଆ ଟାୱାର ବସିବା ଏବଂ ବାଢୁଣିଆରେ ପୂର୍ବରୁ ଥିବା ଟାୱାରକୁ ୩-ଜିରୁ ୪-ଜି’କୁ ରୂପାନ୍ତରିତ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଏବଂ ସାରସକଣା ବିଧାୟକ ବିଢ଼ା‌ନ ମୁର୍ମୁଙ୍କୁ ଅବଗତ କରିଥିବା ଜଣାପଡ଼ିଛି। ଏନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର