ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ରେ ସୋମବାର ବଡ଼ଧରଣର ଅଘଟଣ ଘଟିଛି। ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଲିକ୍ ହେବାରୁ ୯ କର୍ମଚାରୀ, ଠିକାଶ୍ରମିକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଜିଏଚ୍)ର ଆଇସିୟୁରେ ଚିକିତ୍ସାଧୀନ ଥିବାବେଳେ ଜଣେ ମହିଳା ଠିକାଶ୍ରମିକ ସୁସ୍ଥ ଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି। ଅସୁସ୍ଥଙ୍କ ମଧ୍ୟରେ ୩ ଜଣ ଆର୍ଏସ୍ପି କର୍ମଚାରୀ ଓ ଅନ୍ୟ ୬ ଜଣ ଠିକା ଶ୍ରମିକ ଅଛନ୍ତି। ଏହି ଗ୍ୟାସ୍ଲିକ୍ ଘଟଣାର ତଦନ୍ତ ପାଇଁ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶରାମ ସିଂହଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ଦିନ ପ୍ରାୟ ୧୦.୪୦। ବ୍ଲାଷ୍ଟ୍ ଫର୍ଣ୍ଣେସ୍-୫ ପାଖରେ ଥିବା ଗ୍ୟାସ୍ କ୍ଲିନିଂ ପ୍ଲାଣ୍ଟ୍କୁ ଏକ ଟିମ୍ ଗ୍ୟାସ୍ ଭାଲ୍ଭ ସଫା କରିବାକୁ ଯାଇଥିଲେ।
ଏହି ଦଳରେ ବ୍ଲାଷ୍ଟ୍ ଫର୍ଣ୍ଣେସ୍-୫ର ବରିଷ୍ଠ ମ୍ୟାନେଜର ଜୟରାମ ବାରିକ, ଦୁଇ କର୍ମଚାରୀ ଦୁଃଖିଶ୍ୟାମ ଦାସ, ପ୍ରଦୀପ କୁମାର ସାହୁଙ୍କ ସମେତ ଠିକାସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍ (ଟିପିଏଲ୍)ର ୪ ଜଣ ଠିକା ଶ୍ରମିକ ରେଲୱେ କଲୋନିନିବାସୀ ରାଜୁ ମାଇତି (୩୫), ସେକ୍ଟର-୧୩ର ଶାନ୍ତନୁ ନାଏକ (୨୮), ସେକ୍ଟର-୨୦ର ସୂରଜ ଛତ୍ରୀ (୨୯), ଶକ୍ତିନଗରର ପ୍ରଦୀପ କୁଜୁର (୨୮) ତଥା ମେସର୍ସ୍ ସୁଶାନ୍ତ ଗୌଡ଼ ଠିକାସଂସ୍ଥାର ଲକ୍ଷ୍ମୀ ସିଂହ (୩୭) ଏବଂ ପାନୋ ସୋରେନ (୪୮) ସାମିଲ୍ ଥିଲେ। ଏହି କର୍ମଚାରୀ ଦଳ ପ୍ଲାଣ୍ଟ୍ ଭିତରକୁ ପଶି କାମ ଆରମ୍ଭ କରିବାମାତ୍ରେ ବିଷାକ୍ତ ଗ୍ୟାସ୍ର ସଂସ୍ପର୍ଶରେ ଆସିଯାଇଥିଲେ। ସେମାନେ ଅଣନିଶ୍ବାସୀ ଅନୁଭବ କରିବାରୁ ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ୮ ଜଣଙ୍କୁ ତୁରନ୍ତ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ସମସ୍ତଙ୍କ ଅବସ୍ଥା ସ୍ଥିରଥିବା ଜଣାପଡ଼ିଛି। ଅନ୍ୟତମ ଅସୁସ୍ଥ ମହିଳା ଠିକା ଶ୍ରମିକ ପାନୋ ସୋରେନ ପ୍ରାଥମିକ ଚିକିତ୍ସାପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ତେବେ, ଏହି ଅଘଟଣ ଗ୍ୟାସ୍ଲିକ୍ ଜନିତ ନୁହେଁ ବୋଲି ଆର୍ଏସ୍ପି ପକ୍ଷରୁ କୁହାଯାଇଛି। ଆର୍ଏସ୍ପି ପକ୍ଷରୁ ଏକ ବିବୃତିରେ କହାଯାଇଛି ଯେ ବ୍ଲାଷ୍ଟଫର୍ଣ୍ଣେସ୍-୫ ୟୁ-ସିଲ୍ ପାଖରେ ଥିବା କ୍ଲାରିଫାୟର୍ ଅଞ୍ଚଳରେ ୯ ଜଣ କର୍ମଚାରୀ, ଠିକାଶ୍ରମିକ କାର୍ଯ୍ୟରତ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସଂପ୍ରତି ସମସ୍ତେ ସଂପୂର୍ଣ୍ଣ ବିପଦମୁକ୍ତ ଅଛନ୍ତି। ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର୍ଏସ୍ପି ପକ୍ଷରୁ କହାଯାଇଛି।
ଅନ୍ୟପକ୍ଷରେ, ଘଟଣାକୁ ଗୁରୁତ୍ବର ସହ ବିଚାରକୁ ନେଇ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶରାମ ସିଂହଖୁଣ୍ଟିଆ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ତ୍ରୁଟିବିଚ୍ୟୁତ ଥିଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କହାଯାଇଛି, ଏହି ଘଟଣାପରେ ଫ୍ୟାକ୍ଟ୍ରିଜ୍ ଆଣ୍ଡ୍ ବଏଲର୍ସ୍ ବିଭାଗର ଉପ-ନିର୍ଦ୍ଦେଶକ ବିଭୂ ପ୍ରସାଦ ଇସ୍ପାତ ଜେନେରାଲ ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହି ଘଟଣାର ବିସ୍ତୃତ ତଦନ୍ତକରି ଶ୍ରମ ବିଭାଗର ପ୍ରମୁଖ ସଚିବଙ୍କୁ ଖୁବ୍ଶୀଘ୍ର ରିପୋର୍ଟ ପ୍ରଦାନ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୧ ଜାନୁଆରି ୬ ତାରିଖରେ ଆର୍ଏସ୍ପିରେ ଏଭଳି ଏକ ଗ୍ୟାସ୍ ଲିକ୍ ଘଟଣା ଘଟିଥିଲା। କାରଖାନାର କୋଲ୍ କେମିକାଲ ୟୁନିଟ୍ରେ କାର୍ଯ୍ୟରତ ୪ ଜଣ ଠିକାଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଅସୁସ୍ଥ ହୋଇଥିଲେ।