ଝାରସୁଗୁଡ଼ା: ଝାରସୁଗୁଡ଼ା ବୁଢ଼ୀପଦରସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନାରେ ଆଜି ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ବ୍ରଜରାଜନଗର ଥାନା ଅନ୍ତର୍ଗତ କେଛୋବାହାଲ ଗ୍ରାମର ବରୁଣ ପ୍ରଧାନ (୩୮)। ଏ ନେଇ ସଦର ଥାନା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ କାରଖାନା ପରିସରରେ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ମାସିକ ୨୦ ହଜାର ଟଙ୍କା ଲେଖାଏଁ ଦେବାକୁ ଦାବି କରିଥିଲେ। ତେବେ ଖବର ଲେଖା ହେବା ଯାଏ କ୍ଷତିପୂରଣ ସମ୍ପର୍କିତ ଆଲୋଚନା ଶେଷ ହୋଇପାରିନି। ଆଇନ୍‌ଶୃଙ୍ଖଳା ସ୍ଥିତି ବିଗିଡ଼ିବା ଆଶଙ୍କାରେ ଉଭୟ ହସ୍ପିଟାଲ ଓ କାରଖାନା ସମ୍ମୁଖରେ ପୁଲିସ୍‌ ମୁତୟନ କରାଯାଇଛି।

Advertisment

ମଙ୍ଗଳବାର ଦିନ ପ୍ରାୟ ୧୨ଟାରେ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ ଥିବା ପେଲେଟ୍‌ ପ୍ଲାଣ୍ଟରେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ୍‌ ପେଲେଟ୍‌ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ‌ହୋଇଥିଲା। ଘଟଣାସ୍ଥଳରେ ନିୟୋଜିତ ଶ୍ରମିକ ବରୁଣ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ। ସହକର୍ମୀମାନେ ତାଙ୍କୁ ଉଠାଇବାକୁ ଯିବାବେଳେ ସେମାନେ ମଧ୍ୟ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ି ଯାଇଥିଲେ। ପରେ ପ୍ଲାଣ୍ଟର ଅନ୍ୟ କର୍ମଚାରୀମାନେ ମୁହଁରେ କପଡ଼ା ବାନ୍ଧି ସମସ୍ତଙ୍କୁ ଉଦ୍ଧାର କରିଥିଲେ। କେଛୋବାହାଲର ଛୋଟେ ଠାକୁର ମେହେର, ସଦାଶିବ ପ୍ରଧାନ, ସା’ପଡ଼ାର ରମେଶ ନାଏକ, ବିହାର ପାଟନାର ଜଗବନ୍ଧୁ ମହନ୍ତ ଓ ମିର୍ଜାପୁରର ଅର୍ପିତ ମିଶ୍ରାଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବରୁଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି। ଗ୍ୟାସ୍‌ର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ଅସୁସ୍ଥଙ୍କୁ ଆଣି ହସ୍ପିଟାଲରେ ଭର୍ତ୍ତି କରିବା ପରେ ସେମାନଙ୍କ ନିକଟକୁ ଯାଇଥିବା ଲୋକଙ୍କର ମଧ୍ୟ ମୁଣ୍ଡ ବୁଲାଇଥିଲା। ଚିକିତ୍ସାଧୀନ ଅର୍ପିତଙ୍କ କହିବାନୁସାରେ, ସେମାନେ କାମ କରୁଥିବା ସମୟରେ ହଠାତ୍‌ ୨ ଜଣ ଅଚେତ ହୋଇ ପଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ସେ ଓ ଆଉ କିଛି କର୍ମଚାରୀ ଘଟଣାସ୍ଥଳକୁ ଯାଇ ସମଦଶା ଭୋଗିଥିଲେ। ତେବେ କେଉଁ ପରିସ୍ଥିତିରେ ପ୍ଲାଣ୍ଟରୁ ଏହି ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେଲା ତାହା ଜଣାପଡ଼ିନାହିଁ। ଏ ସଂକ୍ରାନ୍ତରେ କମ୍ପାନି କର୍ତ୍ତୃପକ୍ଷଙ୍କର ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।