ଶୁଭକାନ୍ତ ପଢ଼ିହାରୀ

ଜଗତସିଂହପୁର: କଳକାରଖାନା ବୃଦ୍ଧି ସହ ଦେଶର ଏକ ନମ୍ବର ବନ୍ଦର ହେବାକୁ ଯାଉଛି ପାରାଦୀପ। କିନ୍ତୁ ଦୂଷିତ ପାଣି ଓ ପବନ ଉଦ୍‌ବେଗର କାରଣ ହୋଇଛି। ଅଞ୍ଚଳବାସୀଙ୍କ ରୋଗ ବି ବଢ଼ିବାରେ ଲାଗିଛି। ତଥ୍ୟ ଅନୁଯାୟୀ ୨୦୨୩ରେ ଚର୍ମରୋଗୀଙ୍କ ସଂଖ୍ୟା ୪୧୨୮ ଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୪୩୭୫ରେ ପହଞ୍ଚିଛି। ସେହିପରି ୨୦୨୩ରେ ଶ୍ବାସ ରୋଗୀଙ୍କ ସଂଖ୍ୟା ୪୩୧୮ ଥିବାବେଳେ ୨୦୨୪ରେ ଏହା ୪୮୬୯ରେ ପହଞ୍ଚିଛି। ହୃଦ୍‌ରୋଗୀଙ୍କ ସଂଖ୍ୟା ୨୦୨୩ରେ ୭୫ ଥିବା ବେଳେ ପ୍ରାୟ ୫୦ ପ୍ରତିଶତ ବଢ଼ି ୨୦୨୪ରେ ୧୧୫ରେ ପହଞ୍ଚିଛି। ପ୍ରଦୂଷଣ ସମସ୍ୟା ଯୋଗୁଁ ଥଣ୍ଡା, କଫ, କାଶଜନିତ ରୋଗ ମଧ୍ୟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ପାରାଦୀପର ନେହରୁ ବଙ୍ଗଳା ଓ କଂସାରିପାଟିଆ ଅଞ୍ଚଳରେ ହେନ୍ତାଳ ବଣ ଅବାଧରେ କଟାଚାଲିଛି। ଜୁଆର ପାଣି ଓ ପବନ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ହେନ୍ତାଳ ବଣ ଧ୍ବଂସ ହେବାରେ ଲାଗିଛି।

Advertisment

ବଢ଼ୁଛନ୍ତି ଶ୍ବାସ, ଚର୍ମ ଓ ହୃଦ୍‌ରୋଗୀ
ପାଳନ ହେଉନି ଖଣିଜ ଦ୍ରବ୍ୟ, କୋଇଲା ପରିବହନ ନିୟମ 
ଉପକୂଳରୁ ସଫା ହେଲାଣି ହେନ୍ତାଳ ବଣ, କ୍ଷୟ ହେଉଛି ବେଳାଭୂମି

ପାରାଦୀପ ବେଳାଭୂମିଠାରୁ ଭୋସକାଲିସ୍ ପର୍ଯ୍ୟନ୍ତ ଉପକୂଳ କ୍ଷୟ ହେବାରେ ଲାଗିଛି। ପ୍ରାକୃତିକ ବାଲିକୁଦକୁ ତାଡ଼ି ଲୁଟ୍ କରୁଛନ୍ତି ମାଫିଆ। ୧୯୯୯ ମହାବାତ୍ୟାରେ ସମୁଦ୍ର ଜୁଆର ମାଡ଼ି ଆସିବାରୁ ଷଣ୍ଢକୁଦ ଜନବସତି ଧ୍ବଂସ ହୋଇ ଯାଇଥିଲା। ସେହିପରି ପାରାଦୀପଠାରୁ ଅଳ୍ପ କେଇ ମାଇଲ୍‌ ଦୂରତାରେ ଅବସ୍ଥିତ ଏରସମା, କୁଜଙ୍ଗର କିଛି ଅଞ୍ଚଳରେ ଅବାଧରେ କଟା ଚାଲିଛି ହେନ୍ତାଳ ବଣ। କେଉଁଠି କାଠ ପାଇଁ କଟା ଚାଲିଛି ତ ଆଉ କେଉଁଠି ଚିଙ୍ଗୁଡ଼ି ଘେରି ପାଇଁ। କଳ କାରଖାନା ନିର୍ମାଣ ପାଇଁ ମଧ୍ୟ ଲୁଣା ଜଙ୍ଗଲ କଟାଯାଉଛି। ଯେଉଁ ଅନୁସାରେ, ଲୁଣା ଜଙ୍ଗଲ କଟା ଚାଲିଛି ସେହି ଅନୁସାରେ ଜଙ୍ଗଲ ସୃଷ୍ଟି କରାଯାଉ ନାହିଁ। ଫଳରେ ଏବେ ଉପକୂଳକୁ ବିପଦ ବଢ଼ିବାରେ ଲାଗିଛି।  ପ୍ରଦୂଷଣ ପାଇଁ ଇଲିଶି ମାଛ ଆଉ କୂଳକୁ ଆସୁ ନାହାନ୍ତି। କେତେକ ବିରଳ ମାଛ ମଧ୍ୟ ଅନ୍ୟଆଡ଼େ ଚାଲି ଗଲେଣି ବୋଲି ପରିବେଶବିତ୍ ମତ ଦେଇଛନ୍ତି। ଦୈନିକ ହଜାର ହଜାର ଟ୍ରକରେ ଖଣିଜ ଦ୍ରବ୍ୟ, କୋଇଲା ପରିବହନ ହେଉଥିବା ବେଳେ ଏ ସଂକ୍ରାନ୍ତ ସୁରକ୍ଷା ନିୟମ ପାଳନ କରାଯାଉ ନାହିଁ। ଟ୍ରକରେ ପାଲ ଘୋଡ଼ା ଯାଉ ନ ଥିବାରୁ ଖଣିଜ ଦ୍ରବ୍ୟ ଗୁଣ୍ଡ ଉଡ଼ି ବାୟୁ ପ୍ରଦୂଷଣ ବଢ଼ୁଛି। ପରିବେଶ ନିୟମକୁ କଡ଼ାକଡି ପାଳନ କରିବାରେ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା କେବଳ ପାରାଦୀପ ନୁହେଁ, ସମଗ୍ର ଉପକୂଳ ଅଞ୍ଚଳ ପାଇଁ ବିପଦ ଡାକି ଆଣୁଛି।