ଭୁବନେଶ୍ବର: ଟିପିସିଓଡିଏଲ୍‌ ପକ୍ଷରୁ ଦଶହରା ସମୟରେ ସୁରକ୍ଷିତ ଏବଂ ଭରସାଯୋଗ୍ୟ ବିଦ୍ୟୁତ୍ ସରବରାହ ନିଶ୍ଚିତ କରିବା ପାଇଁ ବିଶେଷ ସୁରକ୍ଷା ଉପାୟ ଘୋଷଣା କରାଯାଇଛି।

Advertisment

ପୂଜା କମିଟି ଏବଂ ଦୋକାନ ମାଲିକମାନେ ଟିପିସିଓଡିଏଲର ସେକ୍ସନ, ସବଡିଭିଜନ କିମ୍ବା ଡିଭିଜନ କାର୍ଯ୍ୟାଳୟରୁ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପାଇପାରିବେ। ବେଆଇନ ହୁକ ପକାଇବାକୁ କମ୍ପାନି ଦୃଢ଼ ଭାବେ ନିରୁତ୍ସାହିତ କରୁଛି, କାରଣ ଏହାଦ୍ୱାରା ଟ୍ରାନ୍ସଫର୍ମର ଉପରେ ଅତ୍ୟଧିକ ଭାର ପଡ଼ିବା, ସର୍ଟ ସର୍କିଟ, ଅଗ୍ନିକାଣ୍ଡର ଆଶଙ୍କା ଏବଂ ଉତ୍ସବ ସମୟରେ ବିଦ୍ୟୁତ ସେବା ବ୍ୟାଘାତ ହେବା ଭଳି ଅନେକ ଗୁରୁତର ସୁରକ୍ଷା ବିପଦ ସୃଷ୍ଟି ହୋଇଥାଏ ବୋଲି ଟିପିସିଓଡିଏଲ୍  ସେଫ୍ଟି ହେଡ ରାଜେଶ ଶର୍ମା କହିଛନ୍ତି।


ଲାଇସେନ୍ସପ୍ରାପ୍ତ ଟେକ୍ନିସିଆନ ମୂତୟନ କରିବାକୁ ଆୟୋଜକମାନଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ତାରକୁ ନ ଯୋଡ଼ି ଉପଯୁକ୍ତ ଓୟାରିଂ ନିଶ୍ଚିତ କରିବା, ବିଦ୍ୟୁତ ବ୍ୟବସ୍ତା ଗୁଡ଼ିକର ଉପଯୁକ୍ତ ଆର୍ôଥଂ କରିବା ଏବଂ ବିଦ୍ୟୁତ ଝଟକାରୁ ସୁରକ୍ଷା ପାଇଁ ୩୦ ଏମଏ କଟଅଫ ରେଟିଂର ଆରସିସିବି ବ୍ୟବହାର କରିବାକୁ ସେମାନଙ୍କୁ କୁହାଯାଇଛି। ଏଲଇଡି ଲାଇଟ୍ ବ୍ୟବହାର କରିବା, ସକେଟ ଗୁଡିକ ଉପରେ ଅତ୍ୟଧିକ ଭାର ଦେବାରୁ ଦୂରେଇ ରହିବା, ନିମ୍ନ ମାନର ସାମଗ୍ରୀ ବ୍ୟବହାର ନିଷେଧ କରିବାକୁ ଏବଂ ପେଣ୍ଡାଲଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରସ୍ତୁତ ରଖିବାକୁ ପୂଜା କମିଟିଗୁଡ଼ିକୁ ଉତ୍ସାହିତ କରାଯାଉଛି।

ନାଗରିକମାନଙ୍କୁ ତାର ଖୁଂଟ, ଟ୍ରାନ୍ସଫର୍ମର୍ ଏବଂ ଓଭରହେଡ୍ ଲାଇନଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ସାଜସଜ୍ଜା ଏବଂ ପତାକା ଆଦିକୁ ବିଦ୍ୟୁତ ତାରଠାରୁ ଦୂରରେ ରଖିବା ଉଚିତ୍ ଏବଂ ପତାକା ପାଇଁ ଧାତବ ବାଡ଼ି ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି କୁହାଯାଇଛି।

ବିଶେଷକରି ଶୋଭାଯାତ୍ରା ଏବଂ ମୂର୍ତ୍ତି ବିସର୍ଜନ ସମୟରେ ବିଦ୍ୟୁତ୍ ବ୍ୟବସ୍ଥା ନିକଟରେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଏହା ବ୍ୟତୀତ ଦୁର୍ଘଟଣା ରୋକିବା ପାଇଁ ଟ୍ରାନ୍ସଫର୍ମର୍ କିମ୍ବା ସବଷ୍ଟେସନ୍ ନିକଟରେ ବାଣ ଫୁଟାଇବା ଉଚିତ୍ ନୁହେଁ।

ସଂଯୋଗଗୁଡିକର ନିୟମିତ ପରିଦର୍ଶନ ଏବଂ କ୍ଷତିଗ୍ରସ୍ତ ତାରଗୁଡିକୁ ତତ୍କାଳ ବଦଳାଇବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟୁତ ସରବରାହ ବ୍ୟାଘାତ କିମ୍ବା ଜରୁରୀକାଳୀନ ସ୍ଥିତିରେ ଶୀଘ୍ର ସହାୟତା ପାଇଁ ଟିପିସିଓଡିଏଲ ନିଜର ୨୪ ଘଣ୍ଟିଆ କଲ୍ ସେଂଟର (୧୯୧୨ / ୧୮୦୦-୩୪୫-୭୧୨୨) ଜାରି କରିଛି ।