ଟିପିଏନଓଡିଏଲ୍‌ର ବିଚିତ୍ର ନୀତି: ବିଲ୍‌ ପୈଠ କଲା ପରେ ବି କଟୁନି ବକେୟା

ତେଲକୋଇ: ଟିପିଏନଓଡିଏଲ୍‌ର ବିଚିତ୍ର ନୀତି ଯୋଗୁଁ କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍‌ର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଉପରେ ଚଡ଼କ ପଡ଼ିଛି। ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ। ମାତ୍ର ଏହିସେବାରୁ ଅଞ୍ଚଳବାସୀ ବଞ୍ଚିତ। ସେପଟେ ସେବା ନଦେଇ ଅଧିକ ଶୁଳ୍କ ଆଦାୟ କରୁଛି କମ୍ପାନି। ତ୍ରୁଟିପୂର୍ଣ୍ଣ ବିଲ୍ ସଂଶୋଧନ କରାଯାଉ ନାହିଁ। ଅଭିଯୋଗ କଲେ କେହି ଶୁଣିବାକୁ  ନାହିଁ। ଏମିତିକି ବିଲ୍ ପୈଠ କରିଥିଲେ ହେଁ ପୁଣି ଥରେ ସେଇ ବିଲ୍ ଆସୁଛି। ଯାହାକୁ ନେଇ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁନେଇ ତେଲକୋଇସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟରେ ଉପଭୋକ୍ତାମାନେ ହୋହଲ୍ଲା କରିଥିଲେ।  ତୁରନ୍ତ ୨୪ ଘଣ୍ଟିଆ ସେବା ଯୋଗାଇବା ସହିତ ତ୍ରୁଟିପୂର୍ଣ୍ଣ ବିଲ୍ ସଂଶୋଧନ କରିବା ପାଇଁ ଉପଭୋକ୍ତାମାନେ ଦାବି କରିଛନ୍ତି।

ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ତେଲକୋଇ ଅଞ୍ଚଳକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଅଛି। ୩ ମାସ ତଳେ ଗୋଳାବନ୍ଧ ଠାରେ ସ୍ଥାପିତ ୨୨୦/୩୩ ଗ୍ରିଡରୁ ସ୍ଥାନୀୟ ଅଞ୍ଚଳର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ଯୋଗାଇବା ଦିଆଯାଉଅଛି। ସାରା ଜୀବନ ବିଦ୍ୟୁତ୍ ସମସ୍ୟାରେ ଘାଣ୍ଟି ହୋଇ ଆସୁଥିବା ଉପାନ୍ତ ଅଞ୍ଚଳବାସୀଙ୍କ ବହୁଦିନର ଦାବି ଓ ସ୍ବପ୍ନ ପୂରଣ ହୋଇଗଲା। ବିଦ୍ୟୁତ୍ ଭଳି ଏକ ଅତ୍ୟାବଶ୍ୟକ ସେବା ପାଇବା ସମସ୍ୟା ଦୂର ହୋଇଯିବା ଜାଣି ଲୋକେ ଖୁସି ହୋଇଗଲେ।  ବାସ୍ତବ କ୍ଷେତ୍ରରେ ତାହା ଆଜି ଯାଏ ସମ୍ଭବ ହେଉନାହିଁ। କେତେବେଳେ ମରାମତି ତ ଆଉ କେତେବେଳେ ସଟ୍ ଡାଉନ୍ ପୁଣି ଓ୍ବାର କଟ, ଫଲ୍ଟ ତ ଆଉ କେତେବେଳେ ହାତୀ ନାଁରେ ବିଦ୍ୟୁତ୍ କାଟ ଲାଗି ରହିଛି। ୨୪ ଘଣ୍ଟାରୁ ଅତିବେଶିରେ ୩ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ମିଳୁଛି। ଘଣ୍ଟାକୁ ୩ ଥରରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେଉଛି। ଯାହା ଲୋକଙ୍କୁ  ବିରକ୍ତ କରୁଛି।  ଅଧିକାଂଶ ଉପଭୋକ୍ତାଙ୍କ ଅଭିଯୋଗ ବିଲ୍ ପୈଠ ପରେ ମଧ୍ୟ ବିଲ୍ ଆସୁଛି। ତ୍ରୁଟିପୂର୍ଣ୍ଣ ବିଲ୍ ସଂଶୋଧନ ପାଇଁ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆଉ କେଉଁଠି ବିଦ୍ୟୁତ୍ ସଂଯୋଗ ନ ଥିବା ହିତାଧିକାରୀଙ୍କ ନାଁରେ ବିଲ୍ ଆସୁଛି। ପୁଣି କେଉଁଠି ବିନା ରସିଦରେ ଟଙ୍କା ନେଇ କର୍ମଚାରୀ ପୈଠ କରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି।

ତେଲକୋଇ ଗ୍ରାମର ସୌଭାଗ୍ୟ ଜ୍ୟୋତି ଯୋଜନାର ଉପଭୋକ୍ତା ଦୁଲଣୀ ସାହୁ, ଖାଉଟି ନଂ ୬୨୧୨୧୨୦୪୪୩୫୪, ୧୬-୫-୨୦୨୨ ରିସିପ୍ଟ ନଂ ୦୪୦୫୨୭ ରେ ୮୪୦ ଟଙ୍କା ପୈଠ କରିଛନ୍ତି। ପୁଣି ୮-୫-୨୦୨୨ ଠାରୁ ୮-୭-୨୦୨୨ ପର୍ଯ୍ୟନ୍ତ ୭୩୨୬ ଟଙ୍କା ବିଲ୍ ଆସିଥିବା ସେ କହିଛନ୍ତି। ସମାକୁଦ ଗ୍ରାମର ବିଦ୍ୟାଧର ସାହୁ, ଖାଉଟି ନଂ ୬୨୧୨୧୨୧୨୦୫୭୮, ଏପ୍ରିଲ୨୭ ତାରିଖରେ ରସିଦ ନଂ ୨୨୦୩୯୨୭୯ ରେ ୧୬୦୦ ଟଙ୍କା ପୈଠ କରିଥିଲେ ହେଁ ଏବେ ତାଙ୍କର ୨୪ହଜାର ଟଙ୍କାର ବିଲ୍ ଆସିଛି। ସରୁଆଳି ଗ୍ରାମର ବିପିଏଲ ଉପଭୋକ୍ତା ମୁରଲିଧର ଖୁଣ୍ଟିଆ ଖାଉଟି ନଂ ୬୨୧୨୧୨୦୯୦୫୩୪, ଅକ୍ଟୋବର ୨୦୨୧ ମସିହାରେ ତାଙ୍କର ୧୧ହଜାର ୬୫୪ ଟଙ୍କାର ବିଲ୍‌ରୁ ମାର୍ଚ୍ଚ ୨୦୨୨ ରେ  ଅଢ଼େଇ ହଜାର ଟଙ୍କା ପୈଠ କରିଥିଲେ। ମାତ୍ର ପୂର୍ବ ବକେୟା ସହିତ ୮ ମାସର ବିଲ୍ ବାବଦକୁ ଏବ‌େ ୩୭ ହଜାର ୧୧୬ ଟଙ୍କାର ବିଲ୍ ଆସିଛି। ରାଇସୁଆଁ କମଳ ମହାନ୍ତଙ୍କ ନାମରେ ୧୧୨୮୨ ଟଙ୍କା, ମାର୍ଦ୍ଧା ଭାସ୍କର ମହାନ୍ତ ୪୫୦୨ ଟଙ୍କା ୫୦ ପଇସା ବିଲ୍ ଆସିଥିବା ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏନେଇ ତେଲକୋଇ ଅଫିସକୁ ଆସି ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳି ପାରୁନାହିଁ।  ଏସଡିଓଙ୍କ ନିକଟରେ ଅଭିଯୋଗ ପାଇଁ ପରାମର୍ଶ ଦିଆଯାଉଛି। ତେଲକୋଇ ରାଇସୁଆଁର ବୃନ୍ଦାବନ ନାୟକ କହିଛନ୍ତି ଯେ ସେ ଦେୟ ପୈଠ କରିଥିଲେ ହେଁ ଆଉଥରେ ୪୯୫୨ ଟଙ୍କାର ବିଲ୍ ଆସିଛି। ତ୍ରୁଟିପୂର୍ଣ୍ଣ ବିଲ୍ ସଂଶୋଧନ ପାଇଁ ସେ ଦାବି କରିଛନ୍ତି। ସେହିପରି ଝାଟିକିପଶି ଗ୍ରାମର ଅର୍ଜୁନଚରଣ ମହାନ୍ତ ବିଦ୍ୟୁତ୍ ବିଲ୍ ପୈଠକ କରିଥିଲେ ହେଁ ତାଙ୍କର ୧୯ ହଜାର ୩୪୦ ଟଙ୍କା ବିଲ୍ ଆସିଛି। ଅଫିସରେ ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ତେଲକୋଇର ମାନବାଧିକାର କର୍ମୀ କୈଳାଶଚନ୍ଦ୍ର ପ୍ରଧାନଙ୍କ କହିବା କଥା ହେଲା, ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ଭାବେ ପରିଗଣିତ। ସରକାର ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ଏଠି ତାହା ହୋଇପାରୁ ନାହିଁ। ଅଥଚ ତ୍ରୁଟିପୂର୍ଣ୍ଣ ବିଲ୍ ଆସୁଛଇ। ତୁରନ୍ତ ଏହାକୁ ‌ସଂଶୋଧନ କରିବାକୁ ସେ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର