ଚିନ୍ତା ବଢ଼ାଇଲା ଟିପିଆର୍‌: ରାଜ୍ୟରେ ୧୦୦ ନମୁନାରେ ୧୦ ଆକ୍ରାନ୍ତ, ଦୈନିକ ଆକ୍ରାନ୍ତ ୭ହଜାର ଟପିଲା

୧୮ବର୍ଷରୁ କମ୍‌ ୭୦୭ ଜଣ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ୍ତ ହେବାକୁ ଗଲାଣି। ଗୋଟିଏ ଦିନରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାରରୁ ଅଧିକ ବଢ଼ିଯାଇଛି। ‌ସୋମବାର ୪୮୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୭୦୭୧ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ରାଜ୍ୟର ଟିପିଆର୍‌ ୧୦% ଉପରକୁ ଚାଲିଯାଇଥିବାରୁ ଉଦ୍‌ବେଗଜନ ସ୍ଥିତି ସୃଷ୍ଟି ହୋଇଛି। ସାରା ରାଜ୍ୟରେ ସୋମବାର ୬୯୦୧୮ଟି ନମୁନା ସଂଗ୍ରହ ହୋଇଥିବା ବେଳେ ୭୦୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ମୋଟ୍ ନମୁନାର ୧୦.୨୫%। ରାଜ୍ୟରେ ଟିପିଆର୍‌ ୧୦% ଅତିକ୍ରମ କରିଥିବାରୁ ଖୁବ୍‌ ଶୀଘ୍ର କୋଭିଡ କଟକଣା ଆହୁରି କଡ଼ାକଡ଼ି ହେବା ଆଶଙ୍କା ଉପୁଜିଛି।

ରାଜ୍ୟରେ ଆଜି ୭୦୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ଜଣ, ସୁନ୍ଦରଗଡ଼ରୁ ୧୧୪୭, ସମ୍ବଲପୁରରୁ ୬୦୯, କଟକରୁ ୫୦୫, ଷ୍ଟେଟ୍‌ପୁଲ୍‌ରୁ ୪୮୬, ପୁରୀରୁ ୧୫୬, ମୟୂରଭଞ୍ଜରୁ ୨୦୧, ଝାରସୁଗୁଡ଼ାରୁ ୧୪୩, ଯାଜପୁରରୁ ୧୩୦, ଗଞ୍ଜାମରୁ ୧୧୧, ବଲାଙ୍ଗୀରରୁ ୧୯୦, ବାଲେଶ୍ବରରୁ ୧୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ‌ଢେଙ୍କାନାଳ, ବୌଦ୍ଧରେ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏଠାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ମାଲକାନଗିରିରେ ସବୁଠାରୁ କମ୍ ମାତ୍ର ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରେ ଟିପିଆର୍‌ ବଢ଼ି ୨୨.୮%ରେ ପହଞ୍ଚିଥିବା ବେଳେ ସମ୍ବଲପୁରରେ ଟିପିଆର୍‌ କମିକି ୧୫.୮% ରେ ପହଞ୍ଚିଛି। ଖୋର୍ଦ୍ଧାରେ ୧୭.୦୯%, କୋରାପୁଟରେ ୧୨.୪୧%, କଟକରେ ୧୧.୦୬% ଥିବାବେଳେ ବାକି ଜିଲ୍ଲାରେ ଟିପିଆର୍‌ ୧୦% ତଳେ ରହିଛି। କିନ୍ତୁ ସବୁଠି ଟିପିଆର୍‌ ଅଧିକ ରହିଥିବାରୁ ରାଜ୍ୟର ହାରାହାରି ଟିପିଆର୍‌ ୧୦% ଉପରେ ରହିଛି। ଅପରପ‌େକ୍ଷ ଆଜି ୧୮ବର୍ଷରୁ କମ୍‌ ୭୦୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୨୮ଜଣ ସଙ୍ଗରୋଧରୁ, ୨୯୪୩ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ଲକ୍ଷ ୮୨ହଜାର ୭୬୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏବେ ୨୬୪୬୪ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧିତ ଖବର