ଭିଜିଲାନ୍ସ ଜାଲରେ ଟିପିଏସ୍ଓଡିଏଲ୍ ଜିଏମ୍: ସମ୍ପତ୍ତି ୩ କୋଟି ଡେଇଁଲାଣି, ହିସାବ ସରୁନି
ଚାକିରି ୧୯୮୬ରୁ, ଏବେ ନୋଡାଲ୍ ଅଫିସର୍
ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଟିପିଏସ୍ଓଡିଏଲ୍ର ସିନିୟର୍ ଜେନେରାଲ୍ ମ୍ୟାନେଜର (ଜିଏମ୍) ପ୍ରମୋଦ କୁମାର ଚୌଧୁରୀଙ୍କ ଅମାପ ସମ୍ପତ୍ତି। ଖୋଳିଲେ ଏତେ ବାହାରୁଛି, ହିସାବ ସରୁନାହିଁ। ବର୍ତ୍ତମାନ ସୁଦ୍ଧା ଚୌଧୁରୀ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସମ୍ପତ୍ତି ମିଳିଥିବା ନେଇ ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି। ସମ୍ପତ୍ତି ତାଲିକାରେ କୋଟିଏ ଟଙ୍କାର ଫାର୍ମ, ୯ଟି ପ୍ଲଟ୍ ଓ ୪ଟି କୋଠା ରହିଛି। ୧୩ଲକ୍ଷ ଟଙ୍କାର ସୁନା ଗହଣା ଓ ୩୬ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି। ଯାଞ୍ଚ ସରିବା ପରେ ଚୂଡ଼ାନ୍ତ ସମ୍ପତ୍ତି ତାଲିକା ପ୍ରସ୍ତୁତ କରାଯିବ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ୍.ପି. ଗଣେଶ ପ୍ରଧାନ ସୂଚନା ଦେଇଛନ୍ତି।
୧୯୮୬ରେ ଶ୍ରୀ ଚୌଧୁରୀ ଓଏସ୍ଇବିରୁ ଯନ୍ତ୍ରୀ ଭାବେ ବ୍ରହ୍ମପୁରରେ କାମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଭଞ୍ଜନଗର ଓ ଜୟପୁରରେ କାମ କରି ପୁଣିଥରେ ବ୍ରହ୍ମପୁର ଫେରିଥିଲେ। ଓଏସ୍ଇବି ପରେ ସାଉଥ୍କୋ, ରିଲାଏନ୍ସ, ସାଉଥ୍କୋ ୟୁଟିଲିଟି ଓ ବର୍ତ୍ତମାନ ଟାଟା ପାୱାର୍ରେ ଚାକିରି କରୁଛନ୍ତି। ସେ ବହୁ ଗୁରୁତ୍ବପୂର୍ଣ୍ଣ ପଦବିରେ ରହିଥିଲେ। ୨୦୧୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିଦ୍ୟୁତ ବିଭାଗର ନୋଡାଲ୍ ଅଫିସର୍ ଭାବେ ଦାୟିତ୍ବ ତୁଲାଇଛନ୍ତି। କାର୍ଯ୍ୟ ଦକ୍ଷତା ଯୋଗୁଁ ହେଉ କି ଅନ୍ୟ କୌଣସି କାରଣ ଯୋଗୁଁ ହେଉ, ସେ ଦୀର୍ଘବର୍ଷ ପର୍ଯ୍ୟନ୍ତ ଏହି ପଦବିରେ ରହି ଆସିଛନ୍ତି। ଫଳରେ, ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା ତାଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିଲା। ଯାହାକି ଟଙ୍କା ବାଟମାରଣା ପାଇଁ ତାଙ୍କ ରାସ୍ତା ଖୋଲି ଦେଇଥିଲା। ସେ ନିଜ ସମ୍ପର୍କୀୟ ନାମରେ କୁଠାରୀ ଟ୍ରେଡର୍ସ କରି ବିଭିନ୍ନ ପ୍ରକାର ବିଦ୍ୟୁତ ସରଞ୍ଜାମ ଯୋଗାଣ କରୁଥିଲେ ଏବଂ କଳା ଟଙ୍କାକୁ ଧଳା କରୁଥିଲେ। ଏପରିକି ନିଜର ସମ୍ପର୍କୀୟଙ୍କ ନାମରେ ଠିକା କାମ ନେଇଉଥିଲେ। ସୌଭାଗ୍ୟ ଯୋଜନା ୨୦୧୮ ଜୁଲାଇ ମାସରେ ଆରମ୍ଭ ହୋଇ ୨୦୦୦ ମସିହା ଡିସେମ୍ବର ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟ ମଧ୍ୟରେ ସେ ବିଦ୍ୟୁତ ଖୁଣ୍ଟ, ତାର ଓ ସରଞ୍ଜାମ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।