ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଗ୍ରାମ ନିକଟସ୍ଥ ମଥାଖୋଲ ପାହାଡ଼ ପାଦଦେଶରୁ ଆଜି ପୁଲିସ ମଣିଷ ଗୋଡ଼ର ହାଡ଼ ଜବତ କରିଛି। ନିକଟରୁ ଏକ ମୋବାଇଲ୍, ପ୍ୟାଣ୍ଟ୍, ସାର୍ଟ, ଚପଲ ଏବଂ ଏକ ପରିଚୟପତ୍ର ମଧ୍ୟ ଜବତ ହୋଇଛି। ପରିଚୟପତ୍ରଟି ଟିପିଏସ୍ଓଡିଏଲ୍ର କର୍ମଚାରୀ ମିଟୁ ବେହେରାଙ୍କର ବୋଲି ପୁଲିସ କହିଛି। ମିଟୁ ଗତ ୨୦୨୨ ମେ’ ୩୦ ତାରିଖରୁ ନିଖୋଜ ଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳୁ ନଥିଲା। ତେବେ ଘଟଣାର ୧୦ମାସ ପରେ ତାଙ୍କର ପରିଚୟପତ୍ର ପାହାଡ଼ରୁ ମିଳିଛି। ଏଣୁ ସେଠାରୁ ମିଳିଥିବା ଗୋଡ଼ର ହାଡ଼ ମିଟୁଙ୍କର ବୋଲି ପୁଲିସ ଅନୁମାନ କରୁଛି। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ କେସ୍ ନମ୍ବର ୮/୨୩ରେ ଅପମୃତ୍ୟୁ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ମିଟୁଙ୍କୁ ହତ୍ୟା କରା ଯାଇଥିବା ନେଇ ମଧ୍ୟ ବିଭିନ୍ନ ମହଲରେ ଅଭିଯୋଗ ଉଠିଛି। ତେବେ ଜବତ ହାଡ଼ ମିଟୁଙ୍କର ବୋଲି ପ୍ରମାଣିତ କରିବା ପାଇଁ ପୁଲିସ ଡିଏନ୍ଏ ପରୀକ୍ଷା କରିବ ବୋଲି କୁହାଯାଉଛି।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅଧୀନ କୋମଣ୍ଡ ଗ୍ରାମରେ ରହୁଥିବା ଟିପିଏସ୍ଓଡ଼ିଏଲ୍ କର୍ମଚାରୀ ମିଟୁ ରମ୍ଭା ସ୍ଥିତ ଟିପିଏସ୍ଓଡିଏଲ୍ ଅଫିସ୍ରେ ହେଲପର୍ ଭାବେ କାର୍ଯ୍ୟ କରିଥିଲେ। ୨୦୨୨ ମେ ମାସ ୨୯ ତାରିଖରେ ସାବିତ୍ରୀ ଅମାବାସ୍ୟା ଥିବାରୁ ସେ ନିଜ ଗାଁ କୋମଣ୍ଡ ଆସିଥିଲେ। ଆଉ ୩୦ ତାରିଖରେ କର୍ମସ୍ଥଳୀ ରମ୍ଭା ଯାଉଛନ୍ତି ବୋଲି କହି ଘରୁ ବାଇକ୍ରେ ବାହାରିଥିଲେ। କିନ୍ତୁ ତିନିଦିନ ଧରି ସେ ଘର ଲୋକଙ୍କ ସହିତ ଯୋଗାଯୋଗ କରି ନଥିଲେ। ତାଙ୍କ ମୋବାଇଲ୍ ବି ସୁଇଚ୍ ଅଫ୍ ଥିଲା। ଏହାପରେ ପରିବାରବର୍ଗ କାର୍ଯ୍ୟାଳୟର ସୁପରଭାଇଜର୍ଙ୍କ ସହ ଯୋଗାଯୋଗ କରିଥିଲେ ହେଁ, ମିଟୁ ରମ୍ଭା ଆସି ନଥିବା ସେ କହିଥିଲେ। ଏ ନେଇ ପରିବାରବର୍ଗ ରମ୍ଭା ଥାନାରେ ଦ୍ବାରସ୍ଥ ହେବା ପରେ କେସ୍ ନମ୍ବର ୨୦/୨୨ ଅନୁସାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ରମ୍ଭା ଥାନା ବାଣିଆ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ତାଙ୍କର ବାଇକ୍ ମିଳିଥିଲା। କିନ୍ତୁ ମିଟୁଙ୍କ କୌଣସି ସନ୍ଧାନ ମିଳି ନଥିଲା। ଫଳରେ ପରିବାରବର୍ଗ ଅନ୍ଧାରରେ ରହିଥିଲେ। ଘଟଣାର ପ୍ରାୟ ୧୦ମାସ ପରେ ଏକ ପାହାଡ଼ର ପାଦଦେଶରୁ ମିଟୁଙ୍କ ପରିଚୟପତ୍ର, ମୋବାଇଲ୍ ଓ ହାଡ଼ ମିଳିଛି। ପୁଲିସ ତାହା ଜବତ କରି ଅନୁସଂଧାନ ଆରମ୍ଭ କରିଛି।