ବାରିପଦା: ଦିନରେ ବାରିପଦା ସହର ମଧ୍ୟ ଦେଇ ବାଲି, ଗୋଡ଼ି ବୋଝେଇ ଟ୍ରାକ୍ଟର ଏବଂ ବିଭିନ୍ନ ମାଲ ପରିବହନ କରୁଥିବା ଟ୍ରକ୍ ବେଧଡ଼କ ଯାତାୟତ କରୁଛି। ଫଳରେ ବାରିପଦାରେ କ୍ରମଶଃ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଆଜି ସକାଳ ପ୍ରାୟ ୯.୪୦ରେ ବାଲିବୋଝେଇ ଏକ ଟ୍ରାକ୍ଟର (ଓଡି-୧୧-ଏଚ୍-୭୦୩୩) ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଖୁଣ୍ଟା ଥାନା ଅନ୍ତର୍ଗତ ଅଙ୍ଗାରକୁଣ୍ଡିଆ ଗ୍ରାମର ସତ୍ୟବ୍ରତ ମହାକୁଡ଼(ଟିକନ) ଏବଂ ତାଙ୍କ ଶଳା ଦୁଃଶାସନ ମହାକୁଡ଼ ଓଡି-୧୧-କ୍ୟୁ-୯୭୨୪ ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲ୍ରେ କେସି ସର୍କଲ୍ ଗୋଲେଇରୁ ଷ୍ଟେସନ ବଜାର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟରଟି ଦୁଇ ମୋଟରସାଇକେଲ୍ ଆରୋହୀଙ୍କୁ ଜଗତ ସାଇକେଲ୍ ଷ୍ଟୋର୍ ନିକଟରେ ଧକା ଦେଇଥିଲା।

Advertisment

ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିକନଙ୍କୁ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଆରୋହୀ ଜଣଙ୍କ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ପିତାଙ୍କ ଅଭିଯୋଗ ଆଧାରରେ ବାରିପଦା ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଟ୍ରାକ୍ଟର ଚାଳକ ଜଣଙ୍କ ଅତ୍ୟନ୍ତ ବେପରୁଆ ଭାବେ ଗାଡି ଚଲାଉଥିବା ଅଭିଯୋଗ ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଛି। ଡ୍ରାଇଭର୍ ଫେରାର ଥିବା ଜଣାପଡ଼ିଛି। ତେବେ ଦିନବେଳେ ସହର ମଧ୍ୟରେ ମାଲ ବୋଝେଇ ଗାଡି ଚଳାଚଳ ଉପରେ କଟକଣା ଜାରି କରାଯିବାକୁ ଦାବି ହୋଇଛି।