ରାଇରଙ୍ଗପୁର: ବିଜୟୱାଡା ରାଞ୍ଚି ୨୨୦ ନଂ ଜାତୀୟ ରାଜପଥ ମହୁଲଡ଼ିହାଠାରେ ଏକ କାର ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୫ ହେଉଛନ୍ତି କାର୍ରେ ଥିବା ବୋକାରୋ ଜିଲ୍ଲା ଚାଷବସ୍ତି ଅଞ୍ଚଳର ଏକ ସ୍କୁଲର ଶିକ୍ଷକ ଗୋପାଳ ପ୍ରଜାପତି (୪୨), ବୀରେନ୍ଦ୍ର କୁମାର ସିଂ(୪୫) ଓ ବସନ୍ତ କୁମାର ସିଂ(୪୮)। ସେହିପରି ଟ୍ରାକ୍ଟରରେ ବସିଥିବା ଦୁଇ ଶ୍ରମିକ ରାଇରଙ୍ଗପୁରର ପିଠାଖୁଟୁନି ଗ୍ରାମର ମାସାଙ୍ଗ ମାଝା(୨୫) ଓ ଗଢ଼ବସ୍ତିର ଗୀତ ନାଏକ (୧୮) ଗୁରୁତର ହୋଇଛନ୍ତି।
ସୂଚନାଅନୁଯାୟୀ, ଉକ୍ତ ସ୍କୁଲର ଚାରିଜଣ ଶିକ୍ଷକ କାର୍ ନଂ ଜେଏଚ୦୯ଏଏକ୍ସ-୯୭୯୭ ଯୋଗେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ। ଆଜି ଗାଁ ଅଭିମୁଖେ ବାହାରିଥିବା ବେଳେ ଅପରାହ୍ନ ସାଢେ ତିନିଟା ସମୟରେ ରାଇରଙ୍ଗପୁର ଥାନା ନିକଟ ମହୁଲଡ଼ିହା ଛକ ନିକଟରେ ଛିଡ଼ା ହୋଇଥିବା ଟ୍ରାକ୍ଟର ଓଡି୧୧ଏ-୮୦୬୩କୁ ଧକ୍କା ଦେଇଥିଲା। ଫଳରେ କାରରେ ବସିଥିବା ୪ଜଣ ଶିକ୍ଷକ ଓ ଟ୍ରାକ୍ଟରରେ ବସିଥିବା ଦୁଇ ଶ୍ରମିକ ମାସାଙ୍ଗ ଓ ଗୀତା ଆହତ ହୋଇଥିଲେ। ରାଇରଙ୍ଗପୁର ଟାଉନ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ସମସ୍ତ ଶିକ୍ଷକଙ୍କୁ ଜାମସେଦପୁରସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ କାର ଓ ଟ୍ରାକ୍ଟରକୁ ପୁଲିସ ଜବତ କରିଛି।