ଦୁର୍ଘଟଣାରେ ଟ୍ରାକ୍ଟର ଆରୋହୀଙ୍କ ମୃତ୍ୟୁ, ବାଇକ ଚାଳକ ଗୁରୁତର

ଦୁର୍ଘଟଣା ଘଟାଇଥିବା କାର୍ ଫେରାର

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବଡମୁଣ୍ଡା ଛକ ନିକଟରେ ଏକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଆଜି ଅପରାହ୍ନରେ କୋନ୍ଦିଓଡା ପଟରୁ ଏକ ଟ୍ରାକ୍ଟର ଆସୁଥିବା ବେଳେ ଚନ୍ଦାହାଣ୍ଡି ପଟୁ ଏକ କାର୍ ଯାଉଥିଲା। ବଡମୁଣ୍ଡା ଛକରେ ଏକ ବାଇକରେ ତେନ୍ତୁଳିପଡା ଗ୍ରାମର ଭୁବନେ ଝରିଆ ନିଜ ବାଇକରେ ବସିଥିବା ବେଳେ ଟ୍ରାକ୍ଟର ଭାରସାମ୍ୟ ହରେଇ ବାଇକକୁ ଧକ୍କା ଦେଇ ରାସ୍ତା ପାର୍ଶ୍ବରେ ଥିବା କେନାଲ ଭିତରେ ଓଲଟି ପଡିଥିଲା। ଟ୍ରାକ୍ଟରରେ ୪ ଜଣ ବସିଥିବା କୋନ୍ଦିଓଡା ଗ୍ରାମର ରୁପ ସିଂ ମାଝୀଙ୍କ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଖିରସିନ୍ଧୁ କାଣ୍ଡ ଗୁରୁତର ଆହତ ହୋଇଥିଲେ।

ବାଇକରେ ବସିଥିବା ତେନ୍ତୁଳିପଡା ଗ୍ରାମର ଭୁବନେ ଝରିଆଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି। ସେପଟେ ଦୁର୍ଘଟଣା ଘଟେଇଥିବା କାର୍ ଫେରାର ହୋଇ ଯାଇଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଖବର ପାଇ ଚନ୍ଦାହାଣ୍ଡି ଆଇଆଇସି ପରମାନନ୍ଦ ସୁନାନୀ, ଏଏସ ଆଇ ଲଳିତ ମୋହନ ପଣ୍ଡା ଆହତଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡା ପୀର ପ୍ରସାଦ କବି ଶତପଥୀ ପ୍ରାଥମିକ ଚିକିତ୍ସା ପରେ ଗୋଡ ଭାଙ୍ଗି ଥିବା ଭୁବନେଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିବା ବେଳେ ଖିରସିନ୍ଧୁ କାଣ୍ଡ ଚନ୍ଦାହାଣ୍ଡିରେ ଚିକିତ୍ସିତ ହେଉଛନ୍ତି।

ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ତଳେ ଚାପିହୋଇଥିବା ରୁପ ସିଂ ମାଝୀଙ୍କ ଶବ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଶବାଗାରରେ ରଖିଛନ୍ତି । ଏନେଇ ଚନ୍ଦାହାଣ୍ଡି ଥାନା କେସ ନମ୍ବର ୫୫/୨୨ ପ୍ରକାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଆଜି ସନ୍ଧ୍ୟା ହୋଇ ଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ତଦନ୍ତ ଅଧିକାରୀ ଏସ ଆଇ ବିଜୁରାମ ବାଘ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର