ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖ, ଆନ୍ଧ୍ର ଇଟାଭାଟିରେ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି। ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଇଟାଭାଟିରେ ଟ୍ରକ୍ଟର ଓଲଟି ନୂଆପଡ଼ା ଜିଲ୍ଲାର ଶ୍ରମିକ ଭାଲେନ୍ଦ୍ର ଦୀପ (୩୩ବର୍ଷ)ଙ୍କ ମୃତ୍ୟୁ ଘଟିଛି।

ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା କୋମନା ଥାନା ବୁଦ୍ଧିକୋମନା ଗ୍ରାମର ଭାଲେନ୍ଦ୍ର ତାଙ୍କ ସ୍ତ୍ରୀ ସନ୍ତୋଷିନୀ ଦୀପ, ୩ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ଗତ ଡିସେମ୍ବର ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ପଥରାପାଲି ଗ୍ରାମର ଦଲାଲ ଡମ୍ବରୁ ସହିତ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ ସିକନ୍ଦରାବାଦ ୱାଡକପଲ୍ଲୀ ଇଟାଭାଟି ମାଲିକ ଭେଙ୍କଟ ରାଓ ଠାରେ କାମ କରୁଥିଲେ। ସେଠାରେ ୨ ମାସ ଇଟା ତିଆରି କରିଥିଲେ। ହେଲେ ଗତ ୧୦ ତାରିଖ ଦିନ ଇଟାଭାଟିରରୁ ଟ୍ରାକ୍ଟରରେ ଇଟା ନେଉଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଗୁରୁତର ଅବସ୍ଥାରେ ଭାଲେନ୍ଦ୍ରଙ୍କୁ ପାଖ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା। ଇଟାଭାଟି ମାଲିକ ସହଯୋଗରେ ଶବକୁ ନେଇ ପରିବାର ଲୋକେ ୧୬ ତାରିଖ ଦିନ ନିଜ ଘରକୁ ଆସିଥିଲେ। ଗାଁରେ ପରିବାର ଉପସ୍ଥିତିରେ ଶବ ସତ୍କାର କରାଯାଇଥିଲା। ଇଟାଭାଟି ମାଲିକ ପରିବାର ଲୋକଙ୍କୁ କିଛି ସହାୟତା ଦେଇଥିବା ସେମାନେ କହିଛନ୍ତି। ଜିଲ୍ଲା ପ୍ରଶାସନ ଦାଦନ ଶ୍ରମିକ ଯୋଜନାରେ ଏହି ପରିବାରକୁ ସହାୟତା ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର