ଟ୍ରାକ୍ଟର୍ ଓଲଟିଲା : ଜଣେ ଶ୍ରମିକ ମୃତ, ୩ ଗୁରୁତର

ରାୟଗଡ଼ : ଶନିବାର ସକାଳ ପ୍ରାୟ ୮ଟା ବେଳେ ରାୟଗଡ଼ ବ୍ଲକ କୁମୁଲାସିଂ ପଞ୍ଚାୟତ ଅନ୍ତର୍ଗତ କଞ୍ଚିମୁଣ୍ଡା ଠାରୁ ସରଗଲ ମଧ୍ୟରେ ଥିବା ଏକ ଗଡ଼ାଣି ନିକଟରେ ଭାରସାମ୍ୟ ହରାଇ ଏକ ଇଟା ବୋଝେଇ ଟ୍ରାକ୍ଟର (ଓଡି ୨୦ ୫୮୮୩)ଓଲଟିଯିବା ଫଳରେ ଜଣେ ପ୍ରାଣ ହରାଇଛନ୍ତି। ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଟ୍ରାକ୍ଟରଟିର ଡାଲା ଉପରେ ଶ୍ରମିକମାନେ ବସିଥିଲେ । ଟ୍ରାକ୍ଟରଟି ଓଲଟି ପଡ଼ିବା ଫଳରେ ସେମାନଙ୍କ ଉପରେ ଇଟାଗୁଡ଼ିକ ଲଦି ହୋଇ ଯାଇଥିଲା। ଘଟଣାସ୍ଥଳରେ ସଧାରଣ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ଅଟୋ ଯୋଗେ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।ସେଠାରେ ଡ. ସବୀର କୁମାର ବଳ ସେମାନଙ୍କ ଚିକିତ୍ସା କରିବା ସହିତ ଗୁରୁତର ଦୀପକ ଭୂୟାଁ(୨୫), ରମେଶ ଭୂୟାଁ(୩୧) ଓ ଟୁନା ଶବର(୨୫)ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିଲେ। ତେବେ, ମୁଖ୍ୟ ଚିକିତ୍ସାଳୟରେ ଦୀପକ ଭୁୟାଁ(୨୫)ଙ୍କ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଆହତଙ୍କ ମଧ୍ୟରେ କାଳିଆ ଭୂୟାଁ(୨୦), ସୁନୀଲ ଶବର(୨୦), ରୋଷନ୍ ଭୂୟାଁ(୧୯), ବିନୟ ଶବର(୩୮) ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ରାୟଗଡ଼ ଥାନାଧିକାରୀ ଶ୍ରବଣ କୁମାର ମହାରଣା ତଦନ୍ତ ଚାଲୁ ରହିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର