ବାଲେଶ୍ବର: ଧନ୍‌ତେରସ୍‌ରେ ସୁନା, ରୁପା କି ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ମା’ ଲକ୍ଷ୍ମୀ ଆସନ୍ତି। ପରିବାରରେ ସୁଖଶାନ୍ତି ବଢେ ବୋଲି ବିଶ୍ବାସ ରହିଆସିଛି। କରୋନା ପାଇଁ ପାଖାପାଖି ତିନି ବର୍ଷ ହେଲା ଧନ୍‌ତେରସ୍‌ ଫିକା ପଡ଼ିଥିଲା। ଚଳିତବର୍ଷ କିନ୍ତୁ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ। ଗ୍ରାହକଙ୍କୁ ଖୁସି କରିପାରିଲା ପରି ଏଥର ଜୁଏଲରୀ ସୋ’ରୁମ୍‌ ମାଲିକ ବି ବିଭିନ୍ନ ପ୍ରକାର ଆକ‌ର୍ଷଣୀୟ ଅଳଙ୍କାର ଆଣି ସଜେଇଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂତନ ଡିଜାଇନ୍‌ର ଗହଣା ଗଢାମୂଲ୍ୟ ଉପରେ ଆକର୍ଷଣୀୟ ରିହାତି ରହିଛି। ରୁପା, ସୁନା, ହୀରା, ପ୍ଲାଟିନମ୍‌ ଆଦି ଅଳଙ୍କାର ସହିତ ସୁନାରୁପାର କଏନ୍‌, ଶ୍ରୀଗଣେଶ ଓ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ରହିଛି। ଧନ୍‌ତେରସ୍‌ ପାଇଁ ୪୦ ପ୍ରତିଶତ ଅଧିକ ବେପାର ହେବ ବୋଲି ଆଶା ରଖିଛନ୍ତି ଗହଣା ବ୍ୟବସାୟୀ। ବାଲେଶ୍ବରରେ ସହରରେ ୫୦ରୁ ଊର୍ଦ୍ଧ୍ବ ‌ଗହଣା ଦୋକାନ ଓ ସୋ’ରୁମ୍‌ ରହିଛି। କିଛିଦିନ ତଳେ ସୁନା ଦର ୫୦ ହଜାର ଛୁଇଁଥିଲା।

Advertisment

ଆଜି ସୁନା ଦର ହ୍ରାସ ପାଇ ୪୬ ହଜାର ୮୯୦ ଟଙ୍କା ରହିଛି। ସେହିପରି ରୁପା ୫ ହଜାର ୮୦୦ ଟଙ୍କା ମୂଲ୍ୟ ରହିଛି। ଧନ୍‌ତେରସ୍‌କୁ ଦୃଷ୍ଟିରେ ରଖି ବାଲେଶ୍ବର ବଜାରକୁ ଏଥର ଅଧିକ ୧୦୦ କୋଟି ଟଙ୍କାର ଅଳଙ୍କାର ଆସିଥିବା ଜଣାଯାଇଛି। ଧନ୍‌ତେରସ୍‌ର ଶୁଭବେଳା ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ଆରମ୍ଭ ହେଉଥିବା ବେଳେ ସୋ’ରୁମ୍‌ରେ ଗ୍ରାହକଙ୍କ ଅଧିକ ଭିଡ଼ ଲାଗିବ। ଏଥିପାଇଁ ବହୁ ଗ୍ରାହକ ପୂର୍ବରୁ ନିଜ ଚାହିଦା ମୁତାବକ ଅଳଙ୍କାର ଅର୍ଡର କରିଛନ୍ତି। ସୋ’ରୁମ୍‌ ପକ୍ଷରୁ ମଧ୍ୟ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସହରର ବଡ଼ ସୁନାଗହଣା ସୋ’ରୁମ୍‌ ତନିସ୍କ, ମନହରଲାଲ ପାଲା, ଲକ୍ଷ୍ମୀନାରାୟଣ, ଇପାରୀ ଜୁଏଲରୀ ଆଦି ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଡିଜାଇନ୍‌ର ଅଳଙ୍କାର ସାଙ୍ଗକୁ ମନଲୋଭା ଅଫର୍‌ ରହିଛି। ତନିସ୍କର ଦୁର୍ଗାପୂଜା, ଅକ୍ଷୟତୃତୀୟା ଓ ଧନ୍‌ତେରସ୍‌ ପାଇଁ ଏଥର ‘ଅଲେକ୍ଷା’ ଡିଜାଇନ୍‌ର ବେଙ୍ଗଲ୍‌, ନେକ୍‌ଲେସ୍‌, ଇଅରିଂ ଆଦି ଅଳଙ୍କାର ଆସିଛି। ସୁନା ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଗଢ଼ାମୂଲ୍ୟର ଛାଡ଼ ରହିଛି। ସେମିତି ହୀରା ଅଳଙ୍କାର ମୋଟ୍‌ ମୂଲ୍ୟ ଉପରେ ୨୫ ପ୍ରତିଶତ ରିହାତି ରହିଛି। ସୁନାରେ ବେଙ୍ଗଲର କଲାଇ, ଉତ୍ସା କଲେକ୍ସନ୍‌ ରହିଥିବା ବେ‌ଳେ ହୀରାରେ ଲିଟିଲ୍‌ ବିଟ୍‌ ମୁମେଣ୍ଟ, ଲାଇଫ୍‌ ଏ ଡ୍ରିମ୍‌ ଡିଜାଇନ୍‌ ରହିଛି। ଏ ବାବଦରେ ତନିସ୍କର ଷ୍ଟୋର ମ୍ୟାନେଜର ନୀଳମାଧବ ବିଶ୍ବାଳ କହିଛନ୍ତି, ଆମ ପାଖରେ ଯେତିକି ଅଳଙ୍କାର ରହିଥାଏ, ଧନ୍‌ତେରସ୍‌ ପାଇଁ ଏହାର ଦୁଇଗୁଣା ଅଳଙ୍କାର ଷ୍ଟକ୍‌ ରଖାଯାଇଛି। ଏଥର ୪୦ରୁ ୫୦ ପ୍ରତିଶତ ଅଧିକ ବ୍ୟବସାୟ ହେବ ବୋଲି ଆଶା ରହିଛି।

ସେହିପରି ପ୍ରତିଷ୍ଠିତ ଅଳଙ୍କାର ସୋ’ରୁମ୍‌ ମନହରଲାଲ ପାଲା ପକ୍ଷରୁ ସୁନାଗହଣାର ଗଢା ମଜୁରି ଉପରେ ୧୫ ପ୍ରତିଶତ ରିହାତି ରହିଥିବା ବେଳେ ହୀରା ଓ ପ୍ଲାଟିନମ୍‌ରେ ମୋଟ୍‌ ମୂଲ୍ୟ ଉପରେ ୧୦ ପ୍ରତିଶତ ରିହାତି ରହିଛି। ସୁନାରେ ରୁଦ୍ରାକ୍ଷ କଲେକ୍ସନ୍‌, ଆଇଭି ଷ୍ଟୋନ୍‌ କଲେକ୍ସନ୍‌, ଏନ୍‌ଟିକ୍‌ ପୁଲ୍‌କି କଲେକ୍ସନ୍‌ ରହିଥିବା ବେଳେ ଡାଇମଣ୍ଡରେ କକ୍‌ଟେଲ ରିଙ୍ଗ୍‌, ଲଙ୍ଗ୍‌ ଇଅରିଂ ଆସିଛି। ଏଥର ଏନ୍‌ଟିକ୍‌ କଲେକ୍ସନ୍‌କୁ ଅଧିକ ଗୁରୁତ୍ବ ଦିଆଯାଇଛି। ସେହିପରି ଟେମ୍ପୁଲ କଲେକ୍ସନ୍‌ର ସୁନାଗହଣା ବି ରହିଛି। ପୂର୍ବରୁ ଅର୍ଡର ଆସିଥିବା ଗ୍ରାହକମାନେ ଯେପରି ଲାଇନ୍‌ରେ ଛିଡ଼ା ହେବେ ନାହିଁ, ସେଥି ପାଇଁ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଅଳଙ୍କାର ଯେତିକି ଷ୍ଟକ୍‌ ରହିଥିଲା, ଏହାର ଦୁଇଗୁଣା ଷ୍ଟକ୍‌ ଆସିଛି ବୋଲି ମାର୍କେଟିଂ ମ୍ୟାନେଜର ଦୀପ୍ତି ଶର୍ମା କହିଛନ୍ତି।