ସାରସକଣା: କରୋନା କାଳରେ ଅଭାବୀମାନଙ୍କ ମୁହଁକୁ ଦେଖି ଧାରସୂତ୍ରରେ ଚିକେନ୍ ଦେଇଥିଲି। ସୁବିଧା ଦେଖି ଟଙ୍କା ଦେବେ ବୋଲି କହି ଆଉ କେହି ଧରାଛୁଆଁ ଦେଲେନି। ହଜାରେ କି ଦୁଇ ହଜାର ନୁହେଁ, ୫୦ ହଜାର ଟଙ୍କା ଧାର ପଡ଼ିଛି। ଦେବାଳିଆ ହୋଇଗଲି, ମୋ’ ବେପାର ବୁଡ଼ିଗଲା। ଏବେ ଦୋକାନ ନାହିଁ, ଖାଲି ପିଣ୍ଡିଟା ପଡ଼ିଛି। ମେ’ ୨୨ ତାରିଖ ସୁଦ୍ଧା ଧାର ଟଙ୍କା ଶୁଝିଦିଅ; ନ ହେଲେ ତମ ଘର ଆଗରେ ପରିବାର ସହ ଧାରଣା ଦେବି। ଧାରରେ ଚିକେନ୍ ଖାଇଥିବା ଲୋକଙ୍କ ନାମ ସାର୍ବଜନୀନ କରିବି।
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ଶୀର୍ଷା ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ ପ୍ରଦୀପ ସିଂ ଏପରି କିଛି ଲେଖି ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି।
ପ୍ରଦୀପ ସିଂ ଓରଫ୍ ଲାଲା ଜଣେ ଉଚ୍ଚଶିକ୍ଷିତ ଯୁବକ। କୁଶଳଦା ସିଟି ସ୍କୁଲରୁ ସେ ପଢ଼ା ସାରିଛନ୍ତି। ଚାକିରି ପାଇ ନଥିବାରୁ ଶୀର୍ଷା ବେଢ଼ାପାଳ ଛକରେ ଏକ ଚିକେନ୍ ଦୋକାନ ଖୋଲିଥିଲେ। ବ୍ୟବସାୟ ବି ଭଲ ଚାଲିଥିଲା। ୨୦୨୦ ମସିହାରେ କରୋନା ଆସିଲା। ଅନେକ ଲୋକଙ୍କ ରୋଜଗାର ବାଟ ବନ୍ଦ ହୋଇଗଲା। ଏଭଳି ସମୟରେ କିଛି ଲୋକ ପ୍ରଦୀପଙ୍କ ସରଳତାର ସୁଯୋଗ ନେଇ ଧାର ଆକାରରେ ଚିକେନ୍ ମାଗିଲେ। ପ୍ରଦୀପ ମଧ୍ୟ ସେମାନଙ୍କ ଘର ପରିବାର କଥା ଚିନ୍ତା କରି ଧାରରେ ଚିକେନ୍ ଦେଇଥିଲେ। ଭାବିଥିଲେ ପରିସ୍ଥିତି ସ୍ବାଭାବିକ ହେବା ପରେ ଧାର ପଡ଼ିଥିବା ଟଙ୍କା ମିଳିଯିବ। ହେଲେ ସେମିତି କିଛି ହେଲାନି। ଯେଉଁମାନେ ଧାର ନେଇଥିଲେ, ସେମାନେ ଆଉ ତାଙ୍କ ଦୋକାନକୁ ଆସିଲେନି କି ଦେଖା ଦେଲେନି। ଯାହାର ପ୍ରଭାବ ପ୍ରଦୀପଙ୍କ ବ୍ୟବସାୟ ଉପରେ ପଡ଼ିଲା। ସମୟ ଆସିଲା ତାଙ୍କ ଚିକେନ୍ ଦୋକାନ ବନ୍ଦ ହୋଇଗଲା। ଏବେ ସେ ଘୋର ଅଭାବରେ ପଡ଼ିଛନ୍ତି। ପରିବାର ପ୍ରତିପୋଷଣ ତାଙ୍କ ପାଇଁ କଷ୍ଟକର ହେଉଛି। ଭଙ୍ଗାଘର ସଜାଡ଼ି ପାରୁନାହାନ୍ତି।
ପ୍ରଦୀପ କହିଛନ୍ତି, ଯେଉଁମାନେ ତାଙ୍କଠାରୁ ଚିକେନ୍ ଧାର ଆକାରରେ ନେଇଥିଲେ; ସେମାନଙ୍କ ନାମ ଓ ବାକି ହିସାବ ସେ ରଖିଛନ୍ତି। ହିସାବ ଅନୁସାରେ ଏବେ ପ୍ରଦୀପ ଧାରକଙ୍କ ପାଖରୁ ସର୍ବମୋଟ ୪୯ ହଜାର ୨୩୭ ଟଙ୍କା ପାଇବେ। ପ୍ରଦୀପ ଧାରରେ ଚିକେନ୍ ନେଇଥିବା ଯେଉଁ ଲୋକଙ୍କୁ ଟଙ୍କା ମାଗୁଛନ୍ତି, ସେମାନେ ଆଜି ଦେବେ-କାଲି ଦେବେ କହୁଛନ୍ତି। ଅନେକ ଲୋକ ତ ତାଙ୍କ ପାଖ ଆଉ ମାଡ଼ୁନାହାନ୍ତି। ରାସ୍ତାରେ କେଉଁଠି କେମିତି ଭେଟ ହେଲେ, ନଜାଣିଲା ଭଳି ପଳାଇଯାଉଛନ୍ତି। ତେଣୁ ସେ ନିରୁପାୟ ହୋଇ ସୋସିଆଲ ମିଡିଆର ସାହାରା ନେଇଛନ୍ତି। ପ୍ରଦୀପ ତାଙ୍କ ପୋଷ୍ଟରେ ନିଜ ଦୁଃଖ କଥା ଲେଖିବା ସହ ଆସନ୍ତା ୨୨ ତାରିଖ ସୁଦ୍ଧା ଧାରକମାନେ ତାଙ୍କ ପ୍ରାପ୍ୟ ଦେବାକୁ ଅନୁରୋଧ କରିଛନ୍ତି। ଧାର୍ଯ୍ୟ ତାରିଖରେ ଧାର ଟଙ୍କା ନ ଦେଲେ ସେ ସବୁ ଧାରକଙ୍କ ନାମ ସୋସିଆଲ୍ ମିଡିଆରେ ପ୍ରକାଶ କରିବେ ଓ ଦରକାର ପଡ଼ିଲେ ପରିବାର ସହ ସମସ୍ତଙ୍କ ଘର ଆଗରେ ଧାରଣା ଦେବେ ବୋଲି ଉଲ୍ଲେଖ କରିଛନ୍ତି।