ପ୍ରୋତ୍ସାହନ ଅଭାବରୁ କୌଳିକ ବୃତ୍ତି ଉଧାଉନି: କମାରଙ୍କ ଲୁହା ସାମଗ୍ରୀର ଚାହିଦାକୁ ଖାଇଗଲା ଅନଲାଇନ୍ ବ୍ୟବସାୟ

ଜୟପୁର: ଅନଲାଇନ୍ ବେପାର, ଷ୍ଟିଲ ସମାଗ୍ରୀ ଏବଂ ସରକାରୀ ପ୍ରୋତ୍ସାହନ ଅଭାବରୁ କୌଳିକ ବୃତ୍ତି ଲୁହାରେ ତିଆରି ଘର କରଣା ଓ ଚାଷ ଜମିରେ ବ୍ୟବହୃତ ସାମଗ୍ରୀର ବେପାର ଯେଭଳି ଉଧେଇବା କଥା ଉଧାଉନି। ଏହି ସ୍ଥିତିରେ ନୂଆ ପିଢ଼ୀ ଧୀରେଧୀରେ କୌଳିକ ବୃତ୍ତିକୁ ମୁହଁ ମୋଡ଼ୁଛନ୍ତି। ଏହି ସ୍ଥିତିରେ କୋରାପୁଟଜିଲ୍ଲା ଜୟପୁର ବ୍ଲକର ବଡ଼ଜିଉନା ପଂଚାୟତର ଲଛିମ କମାର, ତାଙ୍କ ପୁଅ କୃଷ୍ଣ ଓ କୁନ୍ଦ୍ରାବ୍ଲକ ବାଣୁଆଗୁଡା ତାରାପୁଟର ବୃଦ୍ଧା ଶାନ୍ତି କମାର ନିଜ ବାପା ଦାଦା ଅମଳରୁ କରି ଆସୁଥିବା କୌଳିକ ବୃତ୍ତିକୁ ଲୁହାରେ ତିଆରି ଖଣ୍ଡା, କାତି, ଛୁରୀ, ପନିକି, ଫାର୍ସା, ଘାଘଡ଼ା, ଚାଷ ପାଇଁ ବ୍ୟବହୃତ ଲଙ୍ଗଳ, କୋଡିକି ଓ ଟାଙ୍ଗିଆ ଆଦିକୁ ତିଆରି କରି ନିଜ ପାରମ୍ପରିକ ବୃତ୍ତିକୁ ବଂଚାଇ ରଖିଛନ୍ତି।

ଏହାକୁ ଜିଲ୍ଲା ସହ ଅଭିବକ୍ତ କୋରାପୁଟ ଜିଲ୍ଲାରେ ବିକ୍ରୀ କରି ଚଳୁଛନ୍ତି। ଜୟପୁର ସହରର ଦୈନିକ ବଜାରରେ ସବୁ ଦିନ ଏସବୁକୁ ବିକ୍ରୀ କରୁଛନ୍ତି। ତା ବାଦେ ଜୟନ୍ତଗିରୀ, କୁମୁଲିପୁଟ, କୁ୍ନ୍ଦ୍ରା, କୋଟପାଡ଼, ନବରଙ୍ଗପୁର ଆଦି ହାଟକୁ ଯାଇ ବି ବିକ୍ରି କରୁଥିବା କହିଛନ୍ତି ଲଛମି ଓ ତାଙ୍କ ପୁଅ କୃଷ୍ଣ। ଲଛିମଙ୍କ ତିନି ପୁଅ ମଧ୍ୟରୁ ୨ଜଣ ବାବୁଲି ଓ ହରିହର କୃଷି ଶ୍ରମିକ ଭାବେ କାମ କରୁଛନ୍ତି। କୃଷ୍ଣ ପରିବାରିକ ବୃତ୍ତିକୁ ଆପଣାଇଛନ୍ତି। ଏପରିକି ପାରିବାରିକ ଆର୍ଥିକ ସ୍ଥିତି ଭଲ ନଥିବାରୁ ଦଶମ ପରେ ପାଠ ପଢ଼ା ଛାଡି ଦେଇଛନ୍ତି। ଜୟପୁରରୁ ଲୁହା ପ୍ଲେଟ ଓ ବାଦି କିଲୋ ୭୦ରୁ ୮୦ଟଙ୍କାରେ କିଣି ନେଉଥିବା କହିଛନ୍ତି କୃଷ୍ଣ। ଏହାକୁ ଗରମ କରିବା ପାଇଁ ଅଙ୍ଗାର ଡବାକୁ ୬୦ଟଙ୍କା ଦେଇ କିଣିବାକୁ ପଡ଼ୁଛି। ଏହା ପରେ ବିଭିନ୍ନ ଆକାରର ସାମଗ୍ରୀ ତିଆରି କରିବାକୁ ଘଣ୍ଟାଏରୁ ଦିନକ ଲାଗୁଛି। ସେଭଳି ଜୟପୁରରୁ ୫୦କିଲୋ ମିଟର ଦୂରରେ ଥିବା କୁନ୍ଦ୍ରା ବ୍ଲକର ବାଣୁଆଗୁଡା ତାରାପୁଟରୁ ଜୟପୁର ବଜାରକୁ ସବୁ ଦିନ ଆସୁଛନ୍ତି ୬୦ବର୍ଷ ବୟସ୍କା ତାରା। ବୟସର ସାୟାହ୍ନରେ ବି ସେ ହାର ନ ମାନି ନିଜ କୌଳିକ ବୃତ୍ତିକୁ ନେଇ ବଂଚୁଛନ୍ତି। ସେ ନିଜ ଗାଁ, କୁନ୍ଦ୍ରା, କୋଟପାଡ଼ ଅଂଚଳରେ ଥିବା କମାର ମାନଙ୍କ ଠାରୁ ବିଭିନ୍ନ ସାମଗ୍ରୀ କିଣି  ସେମାନଙ୍କୁ ଏସବୁ ତିଆରି କରିବାକୁ ପ୍ରୋତ୍ସାହିତ କରି ଆସୁ ଛନ୍ତି। ଏସବୁ କିଣି ଜୟପୁର ବଜାରରେ  ଆଣି ବିକ୍ରୀ କରୁଛନ୍ତି।

ଗତ ୨୦ବର୍ଷ ହେବ ସେ ଏହି ବ୍ୟବସାୟ କରି ନିଜ ସଂପ୍ରଦାୟ କମାର ମାନଙ୍କର ସାମଗ୍ରୀ ବିକ୍ରୀ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା କହିଛନ୍ତି ଶାନ୍ତି। ତେବେ ଯେଉଁ ଆକାରରେ ନିଆଁ ଓ ଲୁହାର ଗରମରେ କାମ କରୁଛୁ ସେ ଅନୁଯାୟୀ ପୂର୍ବ ପରି ଲୁହା ସାମଗ୍ରୀ ବିକ୍ରୀ ହେଉନି ବୋଲି କହିଛନ୍ତି ଲଛିମ, କୃଷ୍ଣ ଓ ଶାନ୍ତି। ଲୋକେ ଅନଲାଇନରେ ଘରକୁ ଆବଶ୍ୟକ ପଡ଼ୁଥିବା କାତି, ଛୁରୀ, ଖଣ୍ଡା ଆଦି ମଗାଉଛନ୍ତି। କିମ୍ବା ବଜାରେ ମିଳୁଥିବା ଷ୍ଟିଲର ଜିନିଷ କିଣି ନେଉଛନ୍ତି। ଏହି ସ୍ଥିତିରେ ବହୁଦିନ ବସଭଡା ଦେଇ ଖର୍ଚ୍ଚାନ୍ତ ହୋଇ ଆସି ଖାଲି ହାତରେ ଫେରିବାକୁ ପଡୁଛି ବୋଲି ଏମାନେ କହିଛନ୍ତି।     ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଯେଭଳି ତାଙ୍କୁ ଉତ୍ସାହିତ କିମ୍ବା ପ୍ରୋତ୍ସାହିତ କରିବା କଥା ଏବେ ପର୍ଯ୍ୟନ୍ତ କରାଯାଇନି। ଅତ୍ୟାଧୁନିକ ବୈଷୟିକ ପଦ୍ଧତିରେ ତିଆରି କରିବା ପ୍ରଶିକ୍ଷଣ ଦେବା କିମ୍ବା ପ୍ରୋତ୍ସାହନ ଦେଇ ବ୍ୟାଙ୍କରୁ ସହଯୋଗ କରି ଋଣ ବି ଦେଉ ନଥିବା ଏମାନେ କହିଛନ୍ତି। ପୂର୍ବରୁ ଅନୁସୂଚିତ ଜନଜାତି , ପରେ ପଛୁଆବର୍ଗ ଭାବେ ପରିଗଣିତ କମାର ଏବେ ସାଧାରଣବର୍ଗ ଭାବେ ସଂରକ୍ଷିତ କରିଥିବାରୁ ଏମାନେ ଆଗାମୀ ପିଡ଼ୀର ଭବିଷ୍ୟତକୁ ନେଇ  ଚିନ୍ତିତ ବୋଲି କହିଛନ୍ତି।

 

 

ସମ୍ବନ୍ଧିତ ଖବର