ଅନ୍‌ଲାଇନ ବ୍ୟବସ୍ଥାରେ ବାଣିଜ୍ୟିକ କାରବାର : ଅସନ୍ତୋଷ ଝାଡ଼ିଲେ ଅଣୁ କ୍ଷୁଦ୍ର ଉଦ୍ୟୋଗୀ; କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ପୋର୍ଟାଲ ହେଲା, ମାତ୍ର ଆସୁନି ସୂଚନା

ବାରିପଦା : ସହଜରେ ବ୍ୟବସାୟ ତଥା ଉଦ୍ୟୋଗୀ କାରବାର ପାଇଁ ହୋଇଥିଲା ଅନ୍‌ଲାଇନ ବ୍ୟବସ୍ଥା। ମାତ୍ର ଏହା ଅଣୁ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ସୁଗମ ହେବା ବଦଳରେ ନାନା ସମସ୍ୟା ସୃଷ୍ଟି କରୁଛି। ଏନେଇ ମୟୂରଭଞ୍ଜ ଜିଲ୍ଲାର ଅଣୁ କ୍ଷୁଦ୍ର ଉଦ୍ୟୋଗୀମାନେ ଅସନ୍ତୋଷ ଝାଡ଼ିଛନ୍ତି। ରାଜ୍ୟ ସରକାର ଜେମ୍(ଜିଇଏମ) ପୋର୍ଟାଲ ମାଧ୍ୟମରେ ପ୍ରଶାସନ ଆବଶ୍ୟକ କରୁଥିବା ଦ୍ରବ୍ୟ ସହଜରେ ଉଦ୍ୟୋଗୀମାନଙ୍କ ନିକଟରୁ କ୍ରୟ କରିବାର ଯୋଜନା କରି ଆରମ୍ଭ କରିଥିଲେ। ଏହି ପୋର୍ଟାଲ୍ରେ ପଞ୍ଜିକରଣ କରିଥିବା ଉଦ୍ୟୋଗୀମାନଙ୍କ ନିକଟକୁ ସରକାରଙ୍କ ଆବଶ୍ୟକତା ସ୍ବୟଂକ୍ରିୟ ଭାବେ ଆସିବା କଥା। ମାତ୍ର ଏଥିରୁ ମୟୂରଭଞ୍ଜ ସହିତ ବିଭିନ୍ନ ଜିଲ୍ଲାରୁ ପଞ୍ଜିକୃତ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ବିଶେଷ କୌଣସି ଲାଭ ପାଉନଥିବା ଅଭିଯୋଗ କରିଛନ୍ତି ମୟୂରଭଞ୍ଜ ଶିଳ୍ପ ସଂଘର ସମ୍ପାଦକ ସୌମ୍ୟ ଦାସ।

ଏହି ସଂଘରେ ଅନୁବନ୍ଧିତ ତଥା ଜେମ୍ ପୋର୍ଟାଲରେ ପଞ୍ଜିକୃତ ଜିଲ୍ଲାର ଏକାଧିକ କ୍ଷୁଦ୍ର ଉଦ୍ୟୋଗୀଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ରାଜ୍ୟ ସରକାରଙ୍କର ଆବଶ୍ୟକ ଥିଲେ ମଧ୍ୟ ତାହା କିଣାଯାଇପାରୁନାହିଁ। ଯାହାକି ଏହି ପୋର୍ଟାଲର ଉପଯୋଗିତା ଏବଂ ବ୍ୟବସ୍ଥାକୁ ସରଳୀକରଣ କରିବା ଦିଗରେ ହେଉଥିବା ଦାବିକୁ ଦୃଢ଼ କରିଛି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀଙ୍କ ହିତ ପାଇଁ ରାଜ୍ୟ ସରକାର କରିଥିବା ଅନ୍ଲାଇନ ବ୍ୟବସ୍ଥା ଏହି ଶିଳ୍ପର ପୁନରୁଦ୍ଧାର ଓ ବିକାଶ ଅପେକ୍ଷା ବିଲୁପ୍ତର ପଥ ହେବ ବୋଲି ଶିଳ୍ପ ସଂଘର ଏକାଧିକ ସଦସ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ଅନଲାଇନ ବ୍ୟବସ୍ଥାକୁ ସରକାରୀ କାର୍ଯ୍ୟାଳୟରେ ଥିବା କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ କରିପାରୁନାହାନ୍ତି। ରାଜ୍ୟର ଏମଏସଏମଇର ବିକାଶ ପାଇଁ ଇପିଏମ ଓ ରେଟ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ଉଠେଇଦିଆଗଲା। ମାତ୍ର ଏହା ବଦଳରେ ପ୍ରଚଳିତ ହୋଇଥିବା ନୂତନ ବ୍ୟବସ୍ଥା ଏହି ଶିଳ୍ପର ଉଦ୍ୟୋଗୀମାନଙ୍କୁ ଲାଭ ଦେଇପାରୁନାହିଁ। ପ୍ରତିବଦଳରେ ବାହାର ରାଜ୍ୟର ମୋଟା ମୋଟା କମ୍ପାନୀମାନେ ଏଥିରୁ ଫାଇଦା ନେଉଛନ୍ତି। ଏହି ସମୟରେ ଆମ ରାଜ୍ୟର ଉଦ୍ୟୋଗୀମାନେ ବିଭିନ୍ନ ବିଭାଗକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ମୟୂରଭଞ୍ଜ ଶି ସଂଘ ସମ୍ପାଦକ ଶ୍ରୀ ଦାସ କହିଛନ୍ତି। ଏପରିକି ଦୀର୍ଘ ୩୦ ବର୍ଷ ଧରି ପଞ୍ଜିକରଣ କରି ବାଣିଜ୍ୟିକ କାରବାର କରୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଅନ୍ଲାଇନ ବ୍ୟବସ୍ଥାରୁ ଲାଭ ନେବା ଅପେକ୍ଷା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମୟୂରଭଞ୍ଜ ଭଳି ଜିଲ୍ଲାରେ ସାମାନ୍ୟ ଛୋଟ ଛୋଟ କାମ ପାଇଁ ମଧ୍ୟ ଉଦ୍ୟୋଗୀମାନେ ଦିନ ଦିନ ଧରି ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଚକ୍କର କାଟୁଛନ୍ତି। ପୂର୍ବରୁ ସରକାରଙ୍କ ଯେଉଁ ବ୍ୟବସ୍ଥା ଥିଲା ନାହିଁ ମାମୁଁଠାରୁ କଣା ମାମୁଁ ଭଲ ନ୍ୟାୟରେ ଚଳାଇ ନିଆଯାଉଥିଲା ; ମାତ୍ର ବର୍ତ୍ତମାନର ସ୍ଥିତାବସ୍ଥା ସମ୍ପୂର୍ଣ୍ଣ ଭାବେ ଓଲଟା । ଇଡ୍‌କୋର ଜମି ସଂକ୍ରାନ୍ତିୟ ହେଉ ଅଥବା ଇପିଏମ ହେଉ କିମ୍ବା ଯେକୌଣସି ଛୋଟ ବଡ଼ କାର୍ଯ୍ୟ ବିଷୟରେ ଜାଣିବା ବା କରାଇବା ସହଜ ଓ ସରଳ ହେଉନଥିବା ଶ୍ରୀ ଦାସ କହିଛନ୍ତି। ଏହା ଜିଲ୍ଲାରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ପଛକୁ ନେଉଛି। ଏନେଇ କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ସଠିକ ସୂଚନା ନାହିଁ। କାରଣ ସରକାରୀ ପଦାଧିକାରୀଙ୍କ ଜିଲ୍ଲା ଗସ୍ତ କେବଳ ନାମକୁ ମାତ୍ର ବୈଠକ ଡକାଇବାର ଔପଚାରିକତା ମଧ୍ୟରେ ସିମୀତ। କରୋନା ମହାମାରୀ ସମୟରେ ଉଦ୍ୟୋଗୀ ବିଶେଷ କରି କ୍ଷୁଦ୍ର ଉଦ୍ୟୋଗୀମାନେ କ୍ଷତିରେ ଅଛନ୍ତି। ତେଣୁ ପରିସ୍ଥିତିକୁ ନଜରରେ ରଖି ଉଦ୍ୟୋଗୀ ମାରଣ ନୀତିକୁ ପରିହାର କରି କେମିତି କ୍ଷୁଦ୍ର ଶିଳ୍ପ ବଞ୍ଚି ରହିବ ସେ ସମ୍ପର୍କରେ ସରକାରୀ ଓ ବେସରକାରୀସ୍ତରରେ ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅନଲାଇନ ବ୍ୟବସ୍ଥାକୁ ସହଜ କରି ଉଦ୍ୟୋଗୀମାନଙ୍କ ହିତସାଧନ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର