ରାଉରକେଲା: ସୁନ୍ଦରଗଡ ପାନପୋଷ ଶବ ବ୍ୟବଚ୍ଛେଦ ଗୃହରେ ଚାଲିଛି ବେପାର। ଶନିବାରର ଗୋଟିଏ ଘଟଣା ନୁହେଁ ଏମିତି ଅନେକ ଥର ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ବ୍ୟବଚ୍ଛେଦ କରୁଥିବା ଡାକ୍ତର ଓ ତା’ଙ୍କ ଟିମ୍ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଶନିବାର ମୃତ ଝାଡଖଣ୍ଡର ଯୁବକଙ୍କ ପରିବାରଠାରୁ ୫ ହଜାର ଲାଞ୍ଚ ନେବା ଓ ପରବର୍ତ୍ତୀ ସମୟରେ ଫେରାଇବା ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଏ ସମ୍ପର୍କିତ ଖବର ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜକାନ୍ତି ମିଶ୍ର ଶବ ବ୍ୟବଚ୍ଛେଦ କାମରେ ନିୟୋଜିତ ଅଧିକାରୀମାନଙ୍କୁ କଡ଼ା ତାଗିଦ କରିଛନ୍ତି।
ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ପାନପୋଷର ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ (ଏଡିପିଏଚ୍ଓ) ଡାକ୍ତର ପୁଷ୍ପାମିତ୍ର ମିଶ୍ରଙ୍କୁ ଚିଠି ଲେଖିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଓ ଟଙ୍କା ଦାବି କରୁଥିବା ଡାକ୍ତର ଏବଂ କର୍ମଚାରୀ ନାମ ଲେଖି ତୁରନ୍ତ ଜଣାଇବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଡାକ୍ତର ମିଶ୍ରଙ୍କ ନେତୃତ୍ବରେ ଗଠିତ ଟିମ୍ ତଦନ୍ତ କରିବେ ବୋଲି ଜଣାପଡିଛି। ରିପୋର୍ଟ ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତା’ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନା ଅନୁସାରେ, ପୂର୍ବରୁ ଜନୈକ ଡାକ୍ତର ଥରେ ନୁହେଁ ଅନେକବାର ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କ ସମ୍ପର୍କୀୟ ଓ ପରିବାରଙ୍କ ନିକଟରୁ ଟଙ୍କା ନେଇଥିଲେ। ସାରନଗରୀରେ ଆତ୍ମହତ୍ୟା କରିଥିବା ଜଣେ ଯୁବକଙ୍କ ଶବ ବ୍ୟବଚ୍ଛେଦ ନ କରି ରିପୋର୍ଟ ଦେଇ ଦେଇଥିଲେ। ଜଣାପଡିବା ପରେ ବିଭାଗୀୟ ଉଚ୍ଚ ଅଧିକାରୀ ତାଙ୍କୁ ଗାଳି ଦେଇଥିଲେ। କିନ୍ତୁ ସ୍ଥିତି ବଦଳି ନଥିଲା। ତାଙ୍କର ଏଭଳି କାର୍ଯ୍ୟକଳାପ ବିରୋଧରେ ଏଡିପିଏଚ୍ଓ ଡାକ୍ତର ମିଶ୍ର ଅନେକ ବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତେବେ ଶନିବାର ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ଡାକ୍ତରଙ୍କ ବିରୋଧରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡ ସିମ୍ଡେଗା ଜିଲ୍ଲା ଜଲଡେଗା କାରିମାଟିର ବିନୋଦ ବଡାଇକ (୩୬) ନାମକ ଜଣେ ଯୁବକ ଗତ ଶନିବାର ଦିନ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ପରିବାର ଲୋକ ତାଙ୍କୁ ରାଉରକେଲାସ୍ଥ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ପ୍ରାୟ ସାଢ଼େ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଖବର ପାଇ ପରିବାର ଲୋକ ଶବ ନେବାକୁ ରବିବାର ଦିନ ରାଉରକେଲାରେ ପହଞ୍ଚିଥିଲେ। ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାନପୋଷ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ସଂଧ୍ୟା ପ୍ରାୟ ୫ଟାରେ ପରିବାର ଲୋକ ଶବ ସହିତ ଶବ ବ୍ୟବଚ୍ଛେଦ ଗୃହରେ ପହଞ୍ଚିଥିଲେ।
ତା’ପର ଘଟଣା ସଂପର୍କରେ ମୃତ ବିନୋଦଙ୍କ ଶାଳୀ ଅନୀତା ବଡାଇକ ‘ସମ୍ବାଦ’କୁ କହିଥିଲେ, ସଂଧ୍ୟା ୫ଟା ହୋଇଯାଇଥିବା କହି ବ୍ୟବଚ୍ଛେଦ ଦାୟିତ୍ବରେ ଥିବା ଡାକ୍ତର ଓ କର୍ମଚାରୀ ବ୍ୟବଚ୍ଛେଦ ପାଇଁ ରୋକଠୋକ୍ ମନା କରିଦେଇଥିଲେ। ଯେତେ ଅନୁରୋଧ କରିଥିଲେ ମଧ୍ୟ ଶୁଣି ନଥିଲେ। ବହୁ କାକୁତିମିନତି ହେବାରୁ ୫ ହଜାର ଟଙ୍କା ଦାବି କରିଥିଲେ। କୌଣସି ଉପାୟ ନ ପାଇ ସମ୍ପର୍କୀୟଙ୍କ ନିକଟରୁ ୫ ହଜାର ଟଙ୍କା ଉଧାର ଆଣି ବ୍ୟବଚ୍ଛେଦ ଦାୟିତ୍ବରେ ଥିବା ଟିମ୍କୁ ଦିଆ ଯାଇଥିଲା। ପରେ ଶବକୁ ବ୍ୟବଚ୍ଛେଦ ଗୃହକୁ ନେବାକୁ ଅନୁମତି ମିଳିଥିଲା। ପରେ ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ସମସ୍ତେ ପରିବାର ଓ ସମ୍ପର୍କୀୟଙ୍କ ମିଶି ପ୍ରତିବାଦ କରିଥିଲେ। ଏ ସଂକ୍ରାନ୍ତରେ ପାନପୋଷ ଏସ୍ଡିଏମ୍ଓ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମ୍ବାଦ’ର ହସ୍ତକ୍ଷେପ ପରେ କଥା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା। ଶେଷରେ ଶବ ବ୍ୟବଚ୍ଛେଦ ଦାୟିତ୍ବରେ ଥିବା ଅଧିକାରୀମାନେ ଭୁଲ ସ୍ବୀକାର କରିବା ସହ ନେଇିଥିବା ଟଙ୍କା ମୃତକଙ୍କ ପରିବାରକୁ ଫେରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/9-16.jpg)