ପୁରୀ: ପାରମ୍ପରିକ କଳା ରଘୁରାଜପୁର ପାଇଁ ପ୍ରସିଦ୍ଧି ଆଣିଦେଇଛି। ବିବିଧ କଳାରେ ପରିପୁଷ୍ଟ ହୋଇଛି ଐତିହ୍ୟ ଗ୍ରାମ। ମାତ୍ର କିଛି ପାରମ୍ପରିକ କଳାର ଭବିଷ୍ୟତ ଓ ଅସ୍ତିତ୍ବକୁ ନେଇ ସଙ୍କଟ ଦେଖାଦେଇଛି। ଦିନେ ପିଲାଠୁ ବୃଦ୍ଧ ଯାଏ ଆକର୍ଷଣ ପାଲଟିଥିବା ଗୋବର କଣ୍ଢେଇର ଚାହିଦା ଆଜି ବି ଅଛି। କିନ୍ତୁ ଏହାକୁ ତିଆରି କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ନାହିଁ କି ପ୍ରୋତ୍ସାହନ ନାହିଁ। ରଘୁରାଜପୁରରେ ମାତ୍ର ହାତଗଣତି କଳାକାର ଏହି କଳାକୁ ଏଯାବତ ବଞ୍ଚାଇ ରଖିଥିଲେ ହେଁ ସେମାନେ ଏବେ ବୟସର ଅପରାହ୍ଣରେ। ସେମାନଙ୍କ ସହ ଯେମିତି ଏହି ଗୋବର କଣ୍ଢେଇମାନେ ବି ଶେଷ ନିଃଶ୍ବାସ ନେଉଛନ୍ତି। ସେମାନଙ୍କ ପରେ ଏହି ଗୋବର କଣ୍ଢେଇମାନେ ବି ଏ କଳା ଗ୍ରାମରୁ ହଜିଯିବା ନେଇ ଆଶଙ୍କା ଦେଖା ଦେଇଛି।
ରଘୁରାଜପୁରର ୮୫ ବର୍ଷୀୟ ବୃଦ୍ଧା ସଖୀମଣି ମହାରଣା କୁହନ୍ତି, ଗୋବର ମାଙ୍ଗଳିକ କାମରେ ବ୍ୟବହାର ହେଉଥିବାରୁ ଏହା ପବିତ୍ରତାର ପ୍ରତୀକ। ତେଣୁ ଏଥିରେ କଣ୍ଢେଇ ପ୍ରସ୍ତୁତିର ପରମ୍ପରା ଢେର୍ ପୁରୁଣା। କାହିଁ କେଉଁ କାଳରୁ ଏହି କଳା ରୂପ ନେଇଛି। ମାଟି କଣ୍ଢେଇ ଅପେକ୍ଷା ଗୋବର କଣ୍ଢେଇ ହାଲ୍କା। ଏହା ବହୁଦିନ ପର୍ଯ୍ୟନ୍ତ ଘରେ ସାଇତା ହୋଇ ରହିପାରେ। ଏହା ଉପରେ ପ୍ରାକୃତିକ ରଙ୍ଗର ପ୍ରଲେପ ଦୀର୍ଘସ୍ଥାୟୀ। ଏଥିରେ ପୋକ ଲାଗେ ନାହିଁ କି କୌଣସି କୀଟ ଏହାକୁ କ୍ଷତି ପହଞ୍ଚାଇ ପାରେନାହିଁ। କିନ୍ତୁ ଏହାର ମହତ୍ତ୍ବ କଳାପ୍ରେମୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯଦିଓ ବିକ୍ରିବଟା କମ୍ ହୋଇନାହିଁ, କିନ୍ତୁ ଏଥିରେ ପରିଶ୍ରମ ମୁତାବକ ପାରିଶ୍ରମିକ ମିଳୁନଥିବାରୁ ବର୍ତ୍ତମାନର ଯୁବପିଢ଼ି ଏହି କଳା ପ୍ରତି ଆକର୍ଷିତ ହେଉନାହାନ୍ତି। ପୁଣି ଗୋବରରେ କାମ କରିବାର ମାନସିକତା ଆପଣାଇବାକୁ ବି ଅନେକ ପ୍ରସ୍ତୁତ ନୁହନ୍ତି। ତେଣୁ ଏହି ପାରମ୍ପରିକ କଳାର ଭାଗ୍ୟକୁ ନେଇ ସେ ବି ସନ୍ଦିହାନ ବୋଲି କହିଛନ୍ତି। ସେ ଏକଥା ବି କହିଛନ୍ତି, ଅନେକ ହୁଏତ ଗୋବରରେ ମୁଖା କାରିଗରୀ ପ୍ରସ୍ତୁତ କରୁଛନ୍ତି। କିନ୍ତୁ କଣ୍ଢେଇ ପ୍ରସ୍ତୁତ କରୁନାହାନ୍ତି। ସମ୍ଭବତଃ ସେ ଏକମାତ୍ର କଳାକାର ଭାବେ ଏହି ଗୋବର କଣ୍ଢେଇ ତିଆରି କରୁଥିବା କହିଛନ୍ତି।
ପାରମ୍ପରିକ ଢାଞ୍ଚାକୁ ନବୀକରଣ କରାଯାଉନାହିଁ
ମିଳୁନି ପ୍ରୋତ୍ସାହନ, ପ୍ରଶିକ୍ଷଣ
ସଖୀମଣିଙ୍କ କହିବା ଅନୁଯାୟୀ, ଗୋବରରେ କଣ୍ଢେଇ ପ୍ରସ୍ତୁତି ପ୍ରଣାଳୀ ଏତେ କଷ୍ଟସାଧ୍ୟ ନୁହେଁ। ପୂର୍ବରୁ ରଘୁରାଜପୁରକୁ ବୋହୂ ହୋଇ ଆସୁଥିବା ପ୍ରତିଟି ଝିଅ ଧୀରେଧୀରେ ଏହି କଳାକୁ ଆପଣାଇ ନେଉଥିଲେ। ତେଣୁ ପିଢ଼ି ପରେ ପିଢ଼ି ଏହି କଳା ପହଞ୍ଚୁଥିଲା। ଗୋବରରେ ମିରିଗ, ଘୋଡ଼ା, ବାଘ, ଆଣ୍ଠୁଆ ଗୋପାଳ, ଶୈଶବ, କଇଁଛ, କଳସ, ଚଢ଼େଇର ରୂପ ଦିଆଯାଇଥାଏ। ଏହାକୁ ପ୍ରାକୃତିକ ରଙ୍ଗ ହରିତାଳ, ହିଙ୍ଗୁଳ, ଖଣ୍ଡନୀଳ, ସିନ୍ଦୁର, ସିପ, ଡିବି କଳାରେ ଚିତ୍ରିତ କରାଯାଇ ଆକର୍ଷଣୀୟ କରାଯାଏ। କଇଁଥ ଅଠା ରଙ୍ଗରେ ମିଶାଇ ପ୍ରଲେପ ଦିଆଯାଉଥିବାରୁ ଚମକ ବାହାରିଥାଏ। ତେବେ ପାରମ୍ପରିକ କଳାର ରୂପ କଳ୍ପ ଯାହା ଥିଲା, ସେୟା ରହିଯାଇଛି। ସମୟ ଅନୁସାରେ ଏହାକୁ ଅପଡେଟ୍ କରାଯାଇନାହିଁ। ଏଥିପାଇଁ ପ୍ରଶିକ୍ଷଣ ଦେବା ନେଇ ମଧ୍ୟ ଆଜିଯାଏ ପ୍ରୟାସ କରାଯାଇନାହିଁ। ସେଥିପାଇଁ ଏହି ପାରମ୍ପରିକ କଳା ହଜିଯିବାକୁ ବସିଛି। ଶିଳ୍ପୀ ପଦ୍ମିନୀ ମହାରଣା କହିଛନ୍ତି, ଗୋବରକୁ ଏବେ ଆମେ ମୁଖା କଣ୍ଢେଇ ପ୍ରସ୍ତୁତ କରୁଛୁ। ହାତୀ, ବାଘ, ଦେବୀ ଜଗନ୍ନାଥଙ୍କ ମୁଖା ପ୍ରସ୍ତୁତ କରାଯାଉଛି। କାଗଜ ଉପରେ ଗୋବରର ପ୍ରଲେପ ଦେଇ ଏହାକୁ ପ୍ରସ୍ତୁତ କରାଯାଉଛି। ଯଦି ପ୍ରଶାସନିକ ସ୍ତରରେ ଗୋବର କଣ୍ଢେଇ ପ୍ରସ୍ତୁତି ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ କରାଯାଇ ଯୁବପିଢ଼ିଙ୍କୁ ଯୋଡ଼ାଯାଆନ୍ତା ଓ ମାର୍କେଟିଂ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳନ୍ତା, ତେବେ ଏହା ପାରମ୍ପରିକ ଗୋବର କଣ୍ଢେଇ କଳାକୁ ବଞ୍ଚାଇ ରଖିବାରେ ସହାୟକ ହୁଅନ୍ତା ବୋଲି ସେ କହିଛନ୍ତି।