କଳାହାଣ୍ଡିରେ ଲୋପ ପାଉଛି ପାରମ୍ପରିକ ଚାଷ, ହରାଉଛି ଜୈବ ବିବିଧତା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ଚାଷ ଓ ବିହନ କିସମ ଲୋପ ପାଇବାରେ ଲାଗିଥିବା ବେଳେ ଜୈବ ବିବିଧତା ହରାଇବାରେ ଲାଗିଛି । ସେହିଭଳି ବହୁ ବର୍ଷ ଧରି ଚାଲିଆସିଥିବା ମିଶ୍ରିତ ଚାଷ ଲୋପ ପାଇ ଆସୁଥିବା ବେଳେ ବର୍ତ୍ତମାନ ଜଳସେଚନ ସୁବିଧା ଯୋଗୁଁ ହାଇବ୍ରିଡ଼ ଧାନ ଚାଷ ବ୍ୟାପକ ହେବାରେ ଲାଗିଛି । ଫଳରେ ବର୍ଷା ଅଭାବ ଦେଖା ଗଲେ ଚାଷୀ ମରୁଡିର ଶିକାର ହେଉଛନ୍ତି । ମିଶ୍ରିତ ଚାଷ ବେଳେ ମରୁଡି ଦେଖା ଗଲେ ମଧ୍ୟ ଅନ୍ୟ ଫସଲ ଯୋଗୁଁ ଜୀବିକା ବିପନ୍ନ ହେଉନଥିଲା । ବର୍ତ୍ତମାନ ପାରମ୍ପରିକ ଚାଷ ଯୋଗୁଁ ଜୈବ ବିଭିଧତା ପ୍ରତି ମଧ୍ୟ ବିପଦ ଦେଖାଯାଉଥିବା ନେଇ ଚାଷୀ ମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ୧୯୬୪ ମସିହାରେ କୃଷି ବୈଜ୍ଞାନିକ ଆର.ସି ରିଚାରିକା ଓଡିଶା ଓ ବର୍ତ୍ତମାନର ଛତିଶଗଡ଼ ରାଜ୍ୟରେ ପାରମ୍ପରିକ ଧାନ ବିହନ ଉପରେ ସର୍ଭେ କରିଥିଲେ । ଏହି ଦୁଇ ରାଜ୍ୟର ୩୬ ହଜାର କିଶମ ଦେଶୀ ଧାନ ବିହନ ଥିବା ତାଙ୍କ ରିପୋର୍ଟ ରେ ଉଲ୍ଲେଖ କରିଥିଲେ । ୧୯୯୬ ମସିହାରେ ସହଭାଗୀ ବିକାଶ ଅଭିଯାନ ପକ୍ଷରୁ ଜଗଦୀଶ ପ୍ରଧାନଙ୍କ ନେତୃତ୍ୱରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଏକ ସର୍ଭେ କରିଥିଲେ । ଏହି ସର୍ଭେରେ ୧୨୦ ପ୍ରକାର କିସମ ଧାନ ଥିବା ସର୍ଭେରୁ ଜଣାପଡିଥିଲା । ୨୦୦୪ ମସିହାରେ ଡିଏଫଆଇଡି ଓ ଜଳବିଭାଜିକା ମିଶନ ପକ୍ଷରୁ ସର୍ଭେ କରାଯାଇଥିଲା । ଏହି ସର୍ଭେରେ କୃଷି ବୈଜ୍ଞାନିକ ଡ଼ଃ ହିତେନ୍ଦ୍ର ଖଟାର, ଏନଆରଆରଆଇର ପୂର୍ବ ନିର୍ଦେଶକ ଜେ.କେ ରଏ ଓ ଜଗଦୀଶ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ଟିମ କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ସର୍ଭେ କରିଥିଲେ । ଏହି ସର୍ଭେ ରିପୋର୍ଟରେ ୭୦ଟି ପାରମ୍ପରିକ ଧାନ ଚାଷ ହେଉଥିବା ଜଣାପଡିଥିଲା । ବର୍ତ୍ତମାନ ଝୁଲି, ମୁଗଦି, ସେଟକା, ନଡିଆକୋରା, କଳାଜିରା, ଦେଉଳଭୋଗ, ଆସାମଚୁଡ଼ି ସମେତ ପ୍ରାୟ ୩୦ ରୁ ୪୦ ପ୍ରକାର ପାରମ୍ପରିକ ଧାନ ବଞ୍ଚି ରହିଥିବା ଜଣାପଡିଛି ।

tci.cornell.edu

କଳାହାଣ୍ଡି ଜିଲ୍ଲାର ଚାଷୀମାନେ ପାରମ୍ପାରିକ ଧାନ ଚାଷ ପରେ ମୁଗ, ବିରି ଭଳି ଶସ୍ୟ ଜାତୀୟ ଚାଷ ଉତ୍ପାଦନ କରୁଥିଲେ । ଧାନ ପରେ ଶସ୍ୟ ଜାତୀୟ ଫସଲ ଯୋଗୁଁ ମାଟିର ଉର୍ବରତା ବୃଦ୍ଧି ପାଉଥିଲା । ଫଳରେ ଧାନ ଓ ଶସ୍ୟ ଜାତୀୟ ଫସଲର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଉଥିଲା । ଯାହା ଫଳରେ ଜୈବିକ ଉର୍ବରତା ଅଧିକ ଥିବା ଯୋଗୁଁ ଖାଦ୍ୟର ସ୍ୱାଦ ମଧ୍ୟ ଅଧିକ ସ୍ୱାଦିଷ୍ଟ ହେଉଥିଲା । ଜିଲ୍ଲାରେ ଭଟା ମୁଗ, ଧଳା, ହଳଦିଆ ଓ କଳା କିସମ ଓ ବେହାଲ ମୁଗ ମଧ୍ୟ ସେହିଭଳି କିସମର ଉତ୍ପାଦନ ହେଉଥିଲା । ଜିଲ୍ଲାର ଦୁର୍ଗମ ଅଞ୍ଚଳ ଜଙ୍ଗଲ ମାନଙ୍କରେ ଓ ଢେପ ଜମିରେ ଆଦିବାସୀମାନେ ମିଶ୍ରିତ ଚାଷ କରୁଥିଲେ । ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର ସମେତ ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳରେ ଆଦିବାସୀମାନେ ପୋଡ଼ୁ ଚାଷ କରିଥିଲେ । ସେମାନେ ଆଟ ଧାନ ସହିତ ଜମି ହିଡରେ ହରଡ଼, କାନ୍ଦୁଲ, ମାଖନ, କାକୁଡି, ଲାଉ, ଜହ୍ନି, କାଙ୍ଗ ଏବଂ ବିଭିନ୍ନ ପନିପରିବା ଚାଷ କରୁଥିଲେ । ଫଳରେ ସେମାନଙ୍କୁ ଚାଉଳ ଡାଲି ସହିତ ପନିପରିବା ମଧ୍ୟ ମିଳି ପାରୁଥିଲା । ବର୍ଷା ଅଭାବ ଦେଖାଗଲେ ଧାନଚାଷ ମରୁଡି ହେଲେ ମଧ୍ୟ ଅନ୍ୟ ଶସ୍ୟ ଜାତୀୟ ଫସଲ ଓ ଅନ୍ୟାନ୍ୟ ଫସଲ ଯୋଗୁଁ ସେମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉନଥିଲେ ।

ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳସେଚନ ଓ ଅନ୍ୟାନ୍ୟ ଜଳସେଚନର ବ୍ୟବସ୍ଥା ଯୋଗୁଁ କେବଳ ଧାନଚାଷ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି । ହାଇବ୍ରିଡ଼ ଧାନଚାଷ ଯୋଗୁଁ ଅଧିକ ଲାଭବାନ ହେଉଥିବା ଯୋଗୁଁ ଚାଷୀମାନେ ଅନ୍ୟ ଚାଷ ପ୍ରତି ମୁହଁ ଫେରାଉ ନେଉଛନ୍ତି । ଅଧିକ ଉତ୍ପାଦନ ପାଇଁ ଅଧିକ ସାର ଓ ଔଷଧ ପ୍ରୟୋଗ ଯୋଗୁଁ ମାଟିର ଜୈବ ବିଭିଧତା ପ୍ରତି ବିପଦ ଦେଖା ଦେଇଛି । ଉଭୟ ଖରିଫ ଓ ରବିରେ କେବଳ ଧାନ ଚାଷ ପ୍ରତି ଚାଷୀମାନେ ବହୁତ ଅଧିକ ଲାଭ ଥିବା ଯୋଗୁଁ ଆକୃଷ୍ଟ ହେଉଛନ୍ତି । ଲୋପ ପାଉଥିବା ପାରମ୍ପରିକ ଧାନ ବର୍ତ୍ତମାନ କେବଳ ଗବେଷଣାଗାରର ପ୍ରୟୋଗଶାଳା ପାଲଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପାରମ୍ପରିକ ଚାଷ ଓ ମିଶ୍ରିତ ଚାଷ ପ୍ରତି ପ୍ରୋତ୍ସାହନ ପ୍ରଦାନ କରାନଗଲେ ଏହି ଚାଷ ଲୋପ ପାଇବା ସହିତ ଜୈବ ବିଭିଧତା ପ୍ରତି ବିପଦ ଦେଖାଯିବ ବୋଲି ଚାଷୀମହଲରେ ପ୍ରକାଶ ପାଇଛି । ତେଣୁ କୃଷି ବିଭାଗ ପକ୍ଷରୁ ଏନେଇ ଏକ ବ୍ଲୁ ପ୍ରିଣ୍ଟ ତିଆରି କରି ଠୋସ ପଦକ୍ଷେପ ନେବାକୁ ଚାଷୀ ମହଳରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର

Comments are closed.