ବରଗଡ଼: ସେପ୍ଟେମ୍ବର ୨୦ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବରେ ନୂଆ ଧାନରେ ଭୋଗ ଲଗାଇବା ପରେ ଅନ୍ନ ଭକ୍ଷଣ କରାଯାଏ। କିନ୍ତୁ ଗତ ଦୁଇ ଦଶନ୍ଧି ହେଲା ନୂଆଁଖାଇ ସମୟରେ ନୂଆ ଧାନ ବାହାରୁ ନାହିଁ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାଂଗକୁ ପାରମ୍ପରିକ ଧାନ ବିଲୁପ୍ତ ହୋଇଥିବାରୁ ନୂଆଁଖାଇ ବେଳେ ନୂଆ ଧାନ ଅମଳ ହୋଇପାରୁନାହିଁ। ତଥ୍ୟ କହୁଛି, ୨୫ବର୍ଷ ତଳେ ପଶ୍ଚିମ ଓଡ଼ିଶାରେ ପ୍ରାୟ ୧୦ହଜାରରୁ ଅଧିକ ପ୍ରଜାତିର ଧାନ ଦେଖିବାକୁ ମିଳୁଥିଲା। ଏବେ ଏହି ସଂଖ୍ୟା ୪ଶହକୁ ଖସି ଆସିଛି।  ପୂର୍ବରୁ ପାରମ୍ପରିକ ପଦ୍ଧତିରେ ଚାଷବାସ ଏବଂ ସ୍ବାଭାବିକ ପାଣିପାଗ ଯୋଗୁଁ ଧାନ ପ୍ରଜାତି ଢେର ଥିଲା। ଠିକଣା ସମୟରେ ଧାନ ଅମଳ ହେଉଥିଲା। କିନ୍ତୁ ଏବେ ଧାନ ପ୍ରଜାତି କେବଳ ହାଇବ୍ରିଡ୍‌ ହୋଇ ରହିଛି। ପୂର୍ବରୁ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପୂର୍ବରୁ ‘ଷାଠିଆ ଧାନ’ ପ୍ରଚୁର ମାତ୍ରାରେ ଉତ୍ପାଦନ ହେଉଥିଲା। ମାତ୍ର ୬୦ ଦିନରେ ଧାନ ବାହାରୁ ଥିବାରୁ ତାହା ନୂଆଁଖାଇ ବେଳେ ବ୍ୟବହାର ହେଉଥିଲା।

Advertisment

ସେହିପରି ଗୁଡ଼ା, କରଂଗା, କର୍‌ନି, କଲାସୁ, ହରିଶଂକର, ବାବୁଲାଲ୍‌ ଆଦି ଧାନ ବି ପାରମ୍ପରିକ ଚାଷ ପଦ୍ଧତିରେ ନୂଆଁଖାଇ ଆଗରୁ ବାହାରୁଥିଲା। ଚାଷୀ ନିଜ କ୍ଷେତରୁ ଧାନ ଅମଳ କରି ନୂଆଁଖାଇ ଅନ୍ନରେ ଲଗାଉଥିଲା। କିନ୍ତୁ ଏବେ ପଶ୍ଚିମ ଓଡ଼ିଶା ସାରା ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ୍‌ ଚାଷ ଠିକଣା ସମୟରେ ଆଗେଇ ପାରୁନାହିଁ। ଏଥର ପଶ୍ଚିମ ଓଡ଼ିଶାରେ ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷବାସ ଆଗେଇ ନ ଥିଲା। ଜଳାଭାବ ଯୋଗୁଁ ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ରୁଆ, ବିହୁଡ଼ା ବି ବନ୍ଦ ରହିଥିଲା। ଏହି ଅବଧି ପର୍ଯ୍ୟନ୍ତ ଜଳସେଚିତ ହେଉ କି ଅଣଜଳସେଚିତ, କୌଣସି ସ୍ଥାନରେ ଚାଷ କାମ ଆଗେଇ ନ ଥିଲା।

ଯେତିକି ବି ଧାନ ବୁଣା ହୋଇଛି ସେଥିରେ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ପରେ ଫଳ ଧରିବ। ତେଣୁ ନୂଆଁଖାଇ ପାଇଁ ନୂଆ ଧାନ ଏଠାରୁ ମିଳିବା ସମ୍ଭାବନା କ୍ଷୀଣ। ନୂଆଁଖାଇ ପାଇଁ ନୂଆପଡ଼ା ଜିଲ୍ଲା ଏବଂ ପଡ଼ୋଶୀ ଛତିଶଗଡ଼ର ‘ସରିଆ’ କିସମର ଧାନ ହିଁ ଭରସା। ସେଥିରେ ନୂଆ ଅନ୍ନ ଲାଗିବ। କାରଣ ସରିଆ କିସମର ଧାନ କମ୍‌ ଦିନ ଭିତରେ ଫଳି ଥାଏ। ବରଗଡ଼ ଜିଲ୍ଲାରେ ‘ମାଲ୍‌’ ଜମିରେ ଅତିକମ୍‌ରେ ତିନିମାସ ପରେ ଧାନ ବାହାରି ଥାଏ। ସେହିପରି ‘ବାହାଲ୍‌’ କିସମର ଜମିରେ ୧୪୫ ଦିନ ପରେ ଧାନ ଉତ୍ପାଦିତ ହୁଏ। ବର୍ତ୍ତମାନ ଜଳସେଚିତ ଇଲାକାରେ ପ୍ରାୟତଃ ସବୁ ବାହାଲ୍‌ ଜମି ପାଲଟି ଗଲାଣି। ଫଳରେ ନୂଆଁଖାଇ ପୂର୍ବରୁ ଧାନ ବାହାରିବା ଅସମ୍ଭବ। ତେବେ ନୂଆଁଖାଇରେ ପୂଜାର୍ଚ୍ଚନା ଓ ଅନ୍ନ ନି‌ମନ୍ତେ ବ୍ୟାବସାୟିକ ଦୃଷ୍ଟିରୁ କିଛି ଚାଷୀ ଷାଠିଆ ଓ ହରିଶଙ୍କର କିସମର ଧାନ ଚାଷ କରୁଛନ୍ତି। ଏସବୁ ଧାନର କେଣ୍ଡା ବଜାରରେ ବିକ୍ରି କରାଯାଉଛି।