ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ କୃଷିପ୍ରଧାନ ବ୍ଲକ ଭାବେ ପରିଚିତ। ଏହି ବ୍ଳକର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ତେବେ ଯୁଗ ପରିବର୍ତ୍ତନ ହେବା ସହ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ବଜାରରେ ଉପଲବ୍ଧ ହେବା ପରେ ବଡ଼ ଚାଷୀମାନେ ଆଉ ପୁରଣା ପଦ୍ଧତିରେ ଚାଷ କାମ କରୁ ନାହାନ୍ତି। କିନ୍ତୁ କ୍ଷୁଦ୍ର ଚାଷୀମାନେ ଆର୍ଥିକ ଅଭାବ ଯୋଗୁଁ ସେହି ପୁରଣା ପଦ୍ଧତିରେ ଚାଷ କାମ କରୁଥିବାର ଦେଖିବାକୁ ମିଳୁଛି। ବିଶେଷ କରି ବେଙ୍ଗଲାରେ ଧାନ ମଣ୍ଡାଇବା (ନବରଂଗପୁର ଭାଷାରେ ଧାନ ମଳିବା) ଯନ୍ତ୍ର ବାହାରିବା ପରେ କମ ସମୟରେ କମ ଶ୍ରମିକ ନିଯୁକ୍ତିରେ ଅଧିକ ଧାନ ମଳିବା ସମ୍ଭବ ହେଉଥିବା ଯୋଗୁଁ ବଡ଼ବଡ଼ ଚାଷୀମାନେ ଅଧିକ ବ୍ୟବହାର କରୁଛନ୍ତି। ଆଉ କିଛି କ୍ଷୁଦ୍ର ଚାଷୀ ଆଜି ମଧ୍ୟ ପୁରଣା ପଦ୍ଧତିରେ ଧାନ ମଳୁଥିବା ଦେଖିବାକୁ ମିଳିଛି।
କ୍ଷୁଦ୍ର ଚାଷୀମାନେ ଧାନ ଜମିରୁ ଧାନ ଅମଳ କରିବା ପୂର୍ବରୁ ନିଜ ଖଳାକୁ ଗୋବର ପାଣିରେ ସଫା କରିଥାନ୍ତି। ପରେ ଧାନ କାଟି ଖଳାରେ ଗଦା କରି ରଖିଥାନ୍ତି। ଧାନ ମଳିବା ପାଇଁ ଏକ ଓଜନିଆ କାଠ ଗଣ୍ଡି ବ୍ୟବହାର କରନ୍ତି। ଉକ୍ତ କାଠଗଣ୍ଡିରେ ବସିବା ପାଇଁ କାଠ ପଟା ବ୍ୟବହାର କରାଯାଏ। ସେହିପରି ସେହି କାଠଗଣ୍ଡିରେ ଏକ ଲମ୍ବା କାଠ ସଂଯୋଗ କରିବା ପରେ ସେହି କାଠଗଣ୍ଡିକୁ ବଳଦମାନେ ଟାଣିବା ପାଇଁ ଅନ୍ୟ ଏକ କାଠ ସଂଯୋଗ ହୋଇଥାଏ।
ଏହି ପୁରଣା ପଦ୍ଧତିର ଧାନ ମଳା ଯନ୍ତ୍ର ତିଆରି ହେବା ପରେ ଧାନ ମଳା ସମୟରେ ଧାନ ଗଦାରୁ ଧାନ କଡ଼ପା ଗୁଡିକୁ ତଳେ ବିଛାଇ ଦିଅନ୍ତି। ପରେ ଏହି ଓଜନିଆ କାଠଗଣ୍ଡିକୁ ବଳଦ ସାହାଯ୍ୟରେ ଧାନ କଡ଼ପା ଉପରେ ଚଳାଇ ଥାନ୍ତି। ଦୀର୍ଘ ସମୟ ଧରି ଚଳାଇବା ପରେ ଧାନ କଡ଼ପାରୁ ଧାନ ଅଲଗା ହୋଇଯାଏ। ପରେ ପାଳକୁ ଅଲଗା କରିବା ସହ ଧାନକୁ ସଂଗ୍ରହ କରିଥାନ୍ତି।
ଚାଷୀମାନେ କୁହନ୍ତି, ଏହି ପୁରଣା ପଦ୍ଧତିରେ ମଳିଲେ ଧାନ ଭାଙ୍ଗିବ ନାହିଁ ଏବଂ ପାଳ ମଧ୍ୟ ନଷ୍ଟ ହେବ ନାହିଁ। ଧାନ ମଳା ଯନ୍ତ୍ରରେ ଧାନ ମଳିଲେ ପାଳ ନଷ୍ଟ ହେବା ସହ ଗାଈଗୋରୁମାନେ ସେହି ପାଳ ଖାଇଥାନ୍ତି। ତେଣୁ କିଛି ଚାଷୀ ଏବେ ମଧ୍ୟ ପୁରଣା ପଦ୍ଧତିକୁ ଜୀବିତ ରଖିଛନ୍ତି।