ବାଲିଗୁଡ଼ା: ସମୃଦ୍ଧ ଓଡ଼ିଶାର ନୂତନ ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଶୁଭାରମ୍ଭ କରିଛନ୍ତି। ହେଲେ, କନ୍ଧମାଳ ଜିଲ୍ଲାର ଆଦିମ ଜନଜାତିଙ୍କ ନିକଟରେ ଏବେ ବି ବିକଶିତ ଭାରତର ବାର୍ତ୍ତା ପହଞ୍ଚି ପାରିନାହିଁ। କଚ୍ଚା ଘରକୁ ପକ୍କା କରିବାକୁ ରହିଥିବା ଆବାସ ଯୋଜନା ଏବେ ବି ସେମାନଙ୍କ ପାଇଁ ଅପହଞ୍ଚ। ଏଣୁ ପାରମ୍ପରିକ କାଠଘରକୁ ସେମାନେ ଛାଡ଼ି ପାରିନାହାନ୍ତି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି, କୋଟଗଡ଼, ରାଇକିଆ ବ୍ଲକରେ ଏବେ ବି ଜନଜାତି ବର୍ଗର ଲୋକେ କାଠପଟାରେ ନିର୍ମାଣ କରାଯାଇଥିବା ଘରେ ରହୁଥିବା ଦେଖିବାକୁ ମିଳୁଛି। ଲୋକେ ପୂର୍ବେ ଛଣ ଛପର କରି କାଠଘ‌ରେ ରହୁଥିବା ବେଳେ ବର୍ତ୍ତମାନ ଆଜ୍‌ବେଷ୍ଟସ୍‌ର ଛପର କରୁଛନ୍ତି। ପୂର୍ବଭଳି ଛଣ ମିଳୁନଥିବାରୁ ଆଜବେଷ୍ଟସ୍ ଓ ଟାଇଲ୍‌ ବ୍ୟବହାର କରୁଥିବା କହନ୍ତି।

Advertisment

ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତର ସତାପଦର ଗାଁରେ ବସବାସ କରୁଥିବା ଜନଜାତିଙ୍କ ପାଇଁ କାଠପଟ୍ଟା ଘର ହିଁ ଭରସା ବୋଲି ସେନାପତି ମଲ୍ଲିକ କହିଛନ୍ତି। ବୟସର ଅପରାହ୍ଣରେ ପହଞ୍ଚିଥିଲେ ମଧ୍ୟ ସେ ଆବାସ ଯୋଜନାରେ ପକ୍କା ଘରଟିଏ କରି ପାରିନାହାନ୍ତି। କାଠପଟ୍ଟା ଘରେ ସ୍ତ୍ରୀ ଓ ପିଲାଛୁଆ ଚାରି ଜଣଙ୍କୁ ନେଇ ରୁହନ୍ତି। ତେବେ, ଏଭଳି ଘରେ ରହି ସେ ଖୁସି ବୋଲି କହନ୍ତି। ଶୀତ ସମୟରେ ବେଶି ଥଣ୍ଡା ଲାଗେ ନାହିଁ କି ଖରା ସମୟରେ ବେଶି ଗରମ ମଧ୍ୟ ହୁଏ ନାହିଁ। ଏହି କାଠଘର ଶୀତତାପ ନିୟନ୍ତ୍ରିତ ଭଳି କାମ କରିଥାଏ। ତା’ଛଡ଼ା, ଏହି କାଠଘରେ ରଙ୍ଗ ଦେବା ପାଇଁ ଅଧିକ ଖର୍ଚ୍ଚ ହୁଏ ନାହିଁ। ଗୋବର ଓ ଗେରୁ ମାଟିରେ ଘର ଲିପାପୋଛା କରି ସୁନ୍ଦର କରି ରଖିଥାନ୍ତି। ଘର ଭିତରେ ଆସବାବପତ୍ର ଠାରୁ ଆରମ୍ଭ କରି ଧାନ ଚାଉଳ ଆଦି ରଖିବା ପାଇଁ ବାଉଁଶରେ ତିଆରି ଡାଲା ପ୍ରସ୍ତୁତ ହୋଇଥାଏ। ଯଦିଓ ପୁରୁଣା କାଠପଟ୍ଟା ଘରଗୁଡ଼ିକ ନଷ୍ଟ ହେବାରେ ଲାଗିଲାଣି, ତଥାପି ସେହି କାଠଘର ଆଜି ବି କନ୍ଧମାଳର ଜନଜାତିଙ୍କ ପାଇଁ ପୁରୁଣା ଗୌରବ ବହନ କରିଆସୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।