ବସ୍ତା: ଗୋଷ୍ଠୀ ବିବାଦରୁ ଭାଙ୍ଗିଛି ପରମ୍ପରା। ପୋଡ଼ା ନହୋଇ ପୋତାଯାଇଛି ମହୀରାବଣ ପ୍ରତିକୃତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ। ସୂଚନା ଅନୁସାରେ; ବସ୍ତା ଥାନା କୁଡ଼ିଆ ପଞ୍ଚାୟତ ବେଲା ଗ୍ରାମରେ ୨୦ ବର୍ଷ ହେବ ମହୀରାବଣ ପୋଡ଼ି ଉତ୍ସବ ଆୟୋଜନ ହୋଇଆସୁଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଆଜି ହେବାର ଥିଲା। ସେହି ଅନୁସାରେ ରାବଣ ପ୍ରତିକୃତି ପ୍ରସ୍ତୁତ ହେବା ସହ ମେଳା ବସିଥିଲା। ଅନେକ ଲୋକ କାର୍ଯ୍ୟକ୍ରମ ଦେଖିବା ପାଇଁ ଭିଡ଼ ଜମାଇଥିଲେ।
ଏତିକିବେଳେ କାର୍ଯ୍ୟକ୍ରମରେ ପଶିଥିଲା କେଁ। ପୁଲିସ ଅନୁମତି ବିନା ମହୀରାବଣ ପୋଡ଼ି ଉତ୍ସବ ହୋଇ ପାରିବନି ବୋଲି ନିର୍ଦ୍ଦେଶ ଦେଇଥିଲା। ରାବଣ ପୋଡ଼ି କମିଟିର ସଭାପତି ଅନନ୍ତ ଜେନା, ସମ୍ପାଦକ ଅଭିମନ୍ୟୁ ପାତ୍ର, ଗିରୀଶ ଜେନା, ଅବିନାଶ ଜେନା, ପିକୁନ ଜେନା ଓ ଅବିନାଶ ଜେନା କହିଛନ୍ତି ପଞ୍ଚାୟତ ବିଜେପି ନେତାଙ୍କ ଅଭିଯୋଗ ଯୋଗୁ ଏପରି ସ୍ଥିତି ଉପୁଜିଛି। ତେବେ କାର୍ଯ୍ୟକ୍ରମ କିପରି ହେବ, ସେଇ ଚିନ୍ତା ସମସ୍ତଙ୍କୁ ଘାରିଥିଲା। ମତ ଆସିଥିଲା, ଯଦି ପୋଡ଼ା ପାଇଁ ଅନୁମତି ନାହିଁ, ତେବେ ପୋତି ଦିଆଯାଉ। ଆଉ କିଛି ଉପାୟ ଥିବା ବେଳେ ଶେଷରେ ସେଇୟା ହିଁ ହୋଇଥିଲା। କମିଟି ପକ୍ଷରୁ ଜେସିବି ଡକାଯାଇଥିଲା ଏବଂ ମାଟି ଖୋଳି ମହୀରାବଣ ପ୍ରତିକୃତିକୁ ପୋତି ଦିଆଯାଇଥିଲା।
ଲୋକଙ୍କ ଆବେଗ ପ୍ରତି କୁଠାରାଘାତ
ଘଟଣା ବାବଦରେ କିଛି ଜାଣିନି: ପ୍ରଦୀପ
କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଗୌରାଙ୍ଗ ଚରଣ ବେହେରା ଉଦ୍ଘାଟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ଜୟପ୍ରକାଶ ନାରାୟଣ ବେହେରା ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ମହୀରାବଣ ପୋଡ଼ା ନଯିବାରୁ ଉତ୍ସବ ଦେଖିବାକୁ ଆସିଥିବା ଲୋକେ ନିରାଶ ହୋଇଥିଲେ। ସେମାନେ ଘଟଣାଟି ଗୋଷ୍ଠୀ ବିବାଦରୁ ଘଟିଥିବା କହିବା ସହ ନିନ୍ଦା ଓ କ୍ଷୋଭ ପ୍ରକାଶ କରିଥିଲେ। ଏନେଇ ସରପଞ୍ଚ ଶ୍ରୀ ବେହେରା କହିଛନ୍ତି, ମହୀରାବଣ ପୋଡ଼ି ବଦଳରେ ପୋତାଯିବା ପରମ୍ପରା ବିରୋଧୀ। ଏହା ଲୋକଙ୍କ ଆବେଗ ପ୍ରତି କୁଠାରାଘାତ।ସେହିପରି ବସ୍ତା ବ୍ଲକ୍ ସାଂସଦ ପ୍ରତିନିଧି ତଥା ବିଜେପି ନେତା ପ୍ରଦୀପ କୁମାର ପଣ୍ଡାଙ୍କ ମତାମତ ନିଆଯାଇଥିଲା। ଘଟଣା ବିଷୟରେ ସେ କିଛି ଜାଣିନଥିବା କହିଥିଲେ।