ପୁରୀ: ୨୦୨୨ର ଶେଷ ଦିନ ଓ ନୂତନ ବର୍ଷ ୨୦୨୩କୁ ସ୍ୱାଗତ ପାଇଁ ପୁରୀ ଲୋକାରଣ୍ୟ ହୋଇଛି। ଏଠାକୁ ଗତ ଦୁଇ ଦିନ ଧରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ଆଗମନ ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କୁହାଯାଉଛି। ଆଜି ସକାଳୁ ପୁରୀ ବଡ଼ଦାଣ୍ଡ, ସମୁଦ୍ର କୂଳ ସମେତ ଅଧିକାଂଶ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଏହି ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଛି। ତାହା ଅନୁଯାୟୀ, ଭାରିଯାନ ବସ୍ ଓ ଟୁହୁଇଲରମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ଗାଇଡଲାଇନ୍ ଜାରି କରାଯାଇଛି। ଏପରିକି ନୋ ଭେହିକିଲ୍ ଜୋନ୍ ମଧ୍ୟ ଘୋଷିତ ହୋଇଛି।

Advertisment

ସେପଟେ ନୂଆବର୍ଷ ଭିଡ଼ ନିୟନ୍ତ୍ରଣ ପାଇଁ ଡିସେମ୍ବର ୩୧ରୁ ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୌରସଂସ୍ଥା ପକ୍ଷରୁ ସମସ୍ତ ଉଠା ଦୋକାନୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି। ଯେଉଁ ଉଠା ଦୋକାନୀମାନେ ରାସ୍ତା ଉପରେ ବସିଛନ୍ତି, ସେମାନଙ୍କୁ ରାସ୍ତା ଉପରୁ ସମସ୍ତ ଦୋକାନ ହଟାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ଡିସେମ୍ବର ୩୦ ତାରିଖ ରାତିରୁ ସମସ୍ତ ଦୋକାନ ବନ୍ଦ ହୋଇଛି। ନୂଆବର୍ଷ ପାଇଁ ଯେହେତୁ ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ଅଧିକ ଭିଡ଼ ରହିବ, ଏହି ଦୁଇଦିନ ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ବନ୍ଦ ରଖିବାକୁ କୁହାଯାଇଥିଲା।