ରଥଯାତ୍ରା ଲାଗି ପୁରୀରେ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି: ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ରହିବ ପର୍ଯ୍ୟଟକଙ୍କ ବସ୍

ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା

ପୁରୀ: ଆସନ୍ତା ମଙ୍ଗଳବାର ଦିନ ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ। ଏହାକୁ ଆଖି ଆଗରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଭକ୍ତଙ୍କ ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି ହୋଇଛି। ଏନେଇ ଆଜି ପୁରୀଠାରେ ଅତିରିକ୍ତ ଡିଜି ଅମିତାଭ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି।
ତାଙ୍କର ସୂଚନା ଅନୁଯାୟୀ, ସମସ୍ତ ଆନ୍ତରାଜ୍ୟ ଓ ସ୍ଥାନୀୟ ପର୍ଯ୍ୟଟକଙ୍କ ବସ୍  ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ। ତେବେ ଲୋକାଲ୍ ନିୟମିତ ବସଗୁଡ଼ିକୁ ତାଳବଣିଆ ଅସ୍ଥାୟୀ ବସଷ୍ଟାଣ୍ଡକୁ ଯିବା ଲାଗ ଅନୁମତି ରହିଛି। ସମସ୍ତ ଅଟୋ ଓ ଟାଉନ ବସକୁ ପୁରୀ ଜିଲ୍ଲା ସ୍କୁଲ ଯାଏ ଯିବାକୁ ଅନୁମତି ମିଳିବ।

ଏହାଛଡ଼ା ୨୪ଟି ସ୍ଥାନରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ୪ଚକିଆ ଯାନ ପାଇଁ ତାଳବଣିଆ ପାଖରେ ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ଥିବା ବେଳେ ୨ଚକିଆ ପାଇଁ ଜଗନ୍ନାଥ ବଲ୍ଲଭ ଏବଂ ମାଟି ତୋଟା, ମଶାଣି ଚଣ୍ଡି, ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ନୀଳାଚଳ ହୋଟେଲରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହି ଯାନବାହନ ଚଳାଚଳର ନିୟମାବଳୀ ୧୯ ତାରିଖ ରାତି ୧୨ଟାରୁ ୨୧ ତାରଖ ରାତି ୧୨ଟା ଯାଏ ଲାଗୁ ହେବ ଏବଂ ୨୮ ତାରିଖ ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ମଧ୍ୟ ଏହି ସମାନ ବ୍ୟବସ୍ଥା ଲାଗୁ ରହିବ। ସେହିପରି ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା ହୋଇଛି।

ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର-୬୩୭୦୯୬୭୧୦୦/୦୬୭୫୨୨୩୨୫୫୧ ଜାରି କରାଯାଇଛି । ଏଣେ ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା ଓ ଜରୁରୀ ସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା କରାଯିବ। ପୁଲିସ ହସି ହସି ଲୋକଙ୍କ ସେବା କରିବ ବୋଲି ଅମିତାଭ ଠାକୁର କହିଛନ୍ତି।

ସମ୍ବନ୍ଧିତ ଖବର