କଟକ : ଦୁଇ ଦୁଇଥର ମହଲତ୍ ଦେଲା ପରେ ବି ରାଜ୍ୟରେ ସୁଧୁରି ନାହାନ୍ତି ଗାଡ଼ି ଚାଳକ। ଟ୍ରାଫିକ୍ ନି୍ୟମକୁ ନେଇ ଆଜି ବି ସଚେତନ ହୋଇପାରି ନାହାନ୍ତି। ତୃତୀୟ ଥର ପାଇଁ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇ ଆଜିଠାରୁ ଖିଲାପକାରୀଙ୍କ ଠାରୁ ଜରିମାନା ଆଦାୟ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ରାତି ୯ଟା ସୁଦ୍ଧା ମୋଟ ୧୬୫୦ ଜଣ ଖିଲାପୀ ଗାଡ଼ି ଚାଳକଙ୍କ ବିରୋଧରେ ଇ-ଚାଲାଣ କଟାଯାଇଛି। ସର୍ବାଧିକ ଖିଲାପୀ ବାଲେଶ୍ବର ଜିଲ୍ଲାରେ ଧରାପଡ଼ିଛନ୍ତି। ଆର୍ଟିଓ ଏବଂ ପୁଲିସ ପକ୍ଷରୁ ଏହି ଚଢ଼ଉ-ଯାଞ୍ଚ ଜୋରଦାର ଜାରି ରହିବ ବୋଲି ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ରାଜ୍ୟରେ ନୂଆ ମଟର ଯାନ ଆଇନ ଲାଗୁ ପରେ ଜନ ଆକ୍ରୋଶ ବୃଦ୍ଧି ପାଇଥିଲା। ଏଥିପାଇଁ ପରିବହନ କମିସନରଙ୍କ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ୬ ମାସ ମହଲତ ଦିଆଯାଇଥିଲା। ପ୍ରଥମ ଥର ୨୦୧୯ ସେପ୍ଟେମ୍ବର ୯ ତାରିଖରେ ୩ ମାସ ଏବ˚ ଦ୍ବିତୀୟ ପର୍ଯ୍ୟାୟରେ ୨୦୧୯ ନଭେମ୍ବର ୨୮ ତାରିଖରେ ୩ ମାସ ମହଲତ ମିଳିଥିଲା। ଦୁଇଟି ପର୍ଯ୍ୟାୟରେ ଗାଡ଼ି ଚାଳକ ଡିଏଲ୍ ସମେତ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ କରିବାକୁ ଏ ପ୍ରକାର ସୁଯୋଗ ଦିଆଯାଇଥିଲା। ଗଲାକାଲି ଏହି ସମୟସୀମା ଶେଷ ହେବା ପରେ ଆଜିଠାରୁ ନୂଆ ନିୟମ ଆଧାରରେ ଜରିମାନା ଆଦାୟ କରିବା ପାଇଁ ପରିବହନ କମିସନର ସମସ୍ତ ଜିଲ୍ଲାପାଳ, ପୁଲିସ ଏସ୍ପି, ଡିସିପିଙ୍କୁ ଚିଠି ଲେଖିଥିଲେ। ସେହି ଆଧାରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକଙ୍କ ସହିତ ପୁଲିସ ଏବ˚ ଆର୍ଟିଓ ଅଧିକାରୀଙ୍କ ଛକାପଞ୍ଝା ଲାଗି ରହିଥିବା ଦେଖିବାକୁ ମିଳିଥିଲା। ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆଜି ରାତି ୯ଟା ସୁଦ୍ଧା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍ଟିଓ) ପକ୍ଷରୁ ମୋଟ ୧୬୫୦ ଜଣ ଖିଲାପୀ ଗାଡ଼ି ଚାଳକଙ୍କ ବିରୋଧରେ ଇ-ଚାଲାଣ କଟାଯାଇଛି। ଏହି ତାଲିକାରେ ମଦ୍ୟପାନ କରି ଗାଡ଼ି ଚାଳନା, ରାସ୍ତାର ରଙ୍ଗ୍ ସାଇଡ୍ରେ ଗାଡ଼ି ଚାଳନା, ବାଇକ୍ରେ ତିନି ଜଣିଆ ଯିବା, ଗାଡ଼ି ଚଳାଇଲା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର, ହେଲ୍ମେଟ୍ ଏବ˚ ସିଟ୍ବେଲ୍ଟ ନବାନ୍ଧିବା ଅଭିଯୋଗରେ ସେମାନଙ୍କ ବିରୋଧରେ ଚାଲାଣ କଟାଯାଇଛି। ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୧୫୫ ଜଣ ଖିଲାପୀଙ୍କ ଚାଲାଣ କଟାଯାଇଥିବା ବେଳେ ସମ୍ବଲପୁରରେ ୧୧୯, ବରଗଡ଼ରେ ୧୦୪ ଜଣ, ଗଞ୍ଜାମ ଜିଲ୍ଲାରେ ୯୨ ଜଣ ଏବ˚ କୋରାପୁଟରେ ୮୪ ଜଣଙ୍କ ଖିଲାପୀ ଚାଳକଙ୍କୁ ଧରାଯାଇଥିଲା। ଉପରୋକ୍ତ ୫ଟି ଜିଲ୍ଲା ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇଛି।